କମିଶନରେଟ ପୋଲିସର SOP: ବାହୁ ଦେଖାଇ ଦାଦାଗିରି କଲେ ଗିରଫ ହେବେ ବାଉଁଶର

1 min read

ଭୁବନେଶ୍ବର: ଦାଦାଗିରି ଚଳିବନି । ଆଇନକୁ ହାତକୁ ନେଲେ ହାତରେ ପଡ଼ିବ ହାତକଡ଼ି । ବାହୁ ଦେଖାଇ ଦାଦା ବନିଲେ ବାନ୍ଧିବ ପୋଲିସ । ଗତ କିଛିଦିନ ଧରି ବାରମ୍ବାର ବାରରେ ନିୟୋଜିତ ବାଉନସରଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଆକ୍ସନ ମୋଡ଼କୁ ଆସିଛି କମିଶନରେଟ ପୋଲିସ । ଜାରି ହୋଇଛି ଏସଓପି ।

ବାହୁବଳୀଙ୍କୁ ସାବାଡ଼ କରିବା ପାଇଁ ନୂଆ କମିଶନର ଆଣିଲେ ଏସଓପି । ସିଆରପି ଛକରେ ଜମି ପଜେସନ ହେଉ କିମ୍ବା ଓପିଡି ବାର ସମ୍ମୁଖ ଗଣ୍ଡଗୋଳ । ଝାରପଡା ଅଞ୍ଚଳରେ ଭାଇଗିରି ପାଇଁ ହେଉ ଅଥବା ଏମ୍ବାସି ପବ ସମ୍ମୁଖରେ ଗଣ୍ଡଗୋଳ । ସବୁଠି ସାମ୍ନାକୁ ଆସିଛି ଦଲାଲ ବାଉନସରଙ୍କ କାରନାମା । ତେଣୁ ଏମାନଙ୍କ ଉପରେ ଲଗାମ ଲଗାଇବା ପାଇଁ କମିଶନରେଟ ପୋଲିସ ଆଣିଛି ଏସଓପି ।

ନୋଟିଫିକେସନ ଅନୁସାରେ ବାଉଁଶର ପ୍ରଥମତଃ PASARA ଅଧୀନରେ ରେଜିଷ୍ଟର ସିକ୍ୟୁରିଟି ସଂସ୍ଥାର ହୋଇଥିବା ଆବଶ୍ଯକ । ଚାକିରି ପୂର୍ବରୁ ପୋଲିସ ଭେରିଫିକେସନ ଆବଶ୍ୟକ । ଯଦି ପୂର୍ବରୁ କେହି କାମ କରୁଛନ୍ତି ତେବେ ସମ୍ପୃକ୍ତ ଡ୍ୟାନ୍ସ ବାର ମାଲିକ ନିକଟସ୍ଥ ଥାନାରେ ଏ ନେଇ ଲିଖିତନାମା ଦାଖଲ କରିବେ । ତାଙ୍କ ନାଁରେ ଅପରାଧିକ କାର୍ଯ୍ୟକଳାପ ଅଛି କି ନାହିଁ, ସେ ନେଇ ତଦନ୍ତ ହେବ ।

ଅଣ୍ଡର ସେକ୍ସନ ୫୮, ଅର୍ବାନ ଆକ୍ଟ ୨୦୦୩ ମୁତାବକ ଯଦି କୌଣସି ବାର, ପବ ଏ ନିୟମର ଉଲ୍ଲଂଘନ କରେ ତେବେ ଧାରା ୧୪୪ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ଆଇନଶୃଙ୍ଖଳା ପରିସ୍ଥିତି ସେଠାରେ ସୃଷ୍ଟି ହୁଏ, ତେବେ ୧୧୨କୁ କଲ କରି ପୋଲିସକୁ ଜଣାଇପାରିବେ । ବାରମ୍ବାର ଗଣ୍ଡଗୋଳ ଘଟଣା ନଜର ଆସିବା ପରେ ୩ଟି ପବକୁ ପୂର୍ବରୁ ସ୍କାନରକୁ ନେଇଛି ଅବକାରୀ ବିଭାଗ । ଏହା ପରେ ବି ଯଦି ନିୟମ ଉଲ୍ଲଂଘନ କରି କୌଣସି ଗ୍ରାହକଙ୍କ ମାନବାଧିକାର କ୍ଷୁର୍ଣ୍ଣ ହୁଏ, ତେବେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସିପି ସଞ୍ଜୀବ ପଣ୍ଡା ।

ରାଜ୍ୟରେ ବର୍ତ୍ତମାନ ୪ ଶହ ରେଜିଷ୍ଟରଭୁକ୍ତ ସିକ୍ୟୁରିଟି ସଂସ୍ଥା ରହିଛି । କମିଶନରଙ୍କ ଏଭଳି ନିର୍ଦ୍ଦେଶକୁ ସ୍ୱାଗତ କରିଛି ସଂଘ ।