ପୁଣି ଝଟକିବ ‘ଆଶା ସାଗର’ର ସୌନ୍ଦର୍ଯ୍ୟ

1 min read

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସର୍ବବୃହତ ପୁଷ୍କରିଣୀ ‘ଆଶା ସାଗର’ର ହେବ ପୁନରୁଦ୍ଧାର । ଚାରିପାଖରେ ହେବ ସୌନ୍ଦର୍ଯ୍ୟକରଣ । ପୁଣି ନିଜ ସୌନ୍ଦର୍ଯ୍ୟର ଲୋକଙ୍କୁ ଆକୃଷ୍ଟ କରିବ ଆଶା ସାଗର । 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଭବାନୀପାଟଣା ଆସିଥିବା ବେଳେ ଆଶା ସାଗର ପୁନରୁଦ୍ଧାର ପାଇଁ ସ୍ଥାନୀୟ ଲୋକେ ଅନୁରୋଧ କରିଥିଲେ । ଏନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି । ଯାହାକୁ ନେଇ ସହରବାସୀ ଖୁସି ପ୍ରକାଶ କରିଛନ୍ତି ।

ଆଶା ସାଗରର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ପଦକ୍ଷେପ । ଜଳପୂର୍ଣ୍ଣ ହୋଇ ରହିବ ୬୦ ଏକର ଜମି ପରିମିତ ଆଶା ସାଗର । ଚତୁଃପାର୍ଶ୍ବର ହେବ ନବକଳେବର । ଜଳ ସେଚନ ସହ ପାନୀୟ ଜଳର ହେବ ସୁବିଧା । ସହରବାସୀଙ୍କ ଜୀବନରେଖା କୁହାଯାଉଥିବା ଏହି ପୁଷ୍କରିଣୀ ପ୍ରାୟ ଦୁଇ ଦଶନ୍ଧି ହେଲା ପୋତି ହୋଇରହିଥିଲା ।

‘ଆଶା ସାଗର’ ପୁନରୁଦ୍ଧାର ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତ ନଭେମ୍ବର ୨୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି । ୬ କୋଟି ୬୮ ଲକ୍ଷ ୬୧ ହଜାର ଟଙ୍କା ବ୍ୟୟ ଅଟକଳକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଭବାନୀପାଟଣା ପୌରାଞ୍ଚଳରେ ଥିବା ୨୫ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଆଶା ସାଗର ପୁନରୁଦ୍ଧାର ଦାୟିତ୍ବ ଦିଆଯାଇଛି ।

ସିପାହୀ ବିଦ୍ରୋହ ବେଳେ କଳାହାଣ୍ଡିର ତତ୍କାଳୀନ ମହାରାଜା ଉଦିତ ପ୍ରତାପ ଦେଓ ଲୋକଙ୍କ ସୁବିଧା ପାଇଁ ‘ଆଶା ସାଗର’ ଖନନ କରିଥିଲେ । ଚାଷଜମିକୁ ଜଳସେଚନ ଓ ପାନୀୟଜଳର ସୁବିଧା ଯୋଗାଇବା ଥିଲା ମୁଖ୍ୟ ଉଦ୍ଦେଶ୍ୟ । ୯୯ ଏକର ପରିମିତ ଜଳାଶୟର ଗଭୀରତା ୪୦ ଫୁଟ୍ ଥିଲା । ମହାରାଣୀ ଆଶାକୁମାରୀ ଦେବୀଙ୍କ ସ୍ମୃତିରେ ଏହାର ନାମ ରଖାଯାଇଥିଲା ‘ଆଶା ସାଗର’ । ତେବେ ଆଶା ସାଗରର ଜମି ଚାରିପଟୁ ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଛି ।