spot_img
Home Blog Page 2180

ବୌଦ୍ଧରେ ତିଆରି ହେଉଛି ବଡ଼ ବଡ଼ ଟନେଲ, ଗଡ଼ିବ ଟ୍ରେନ୍

ବୌଦ୍ଧ: ବୌଦ୍ଧରେ ନିର୍ମାଣ ହେଉଛି ବଡ଼ ବଡ଼ ଟନେଲ । ବୌଦ୍ଧରୁ ଦଶପଲ୍ଲା ପର୍ଯ୍ୟନ୍ତ ମୋଟ ୭ଟି ଟନେଲ ନିର୍ମାଣ କରାଯାଉଛି । ଆଡେଣିଗଡ଼ଠାରେ ନିର୍ମାଣ ହେଉଛି ସବୁଠାରୁ ବଡ଼ ଟନେଲ । ଏହାର ଲମ୍ବ ୪ କିଲୋମିଟର ରହିଛି । ସେପଟେ ମାର୍ଦ୍ଧଙ୍ଗଠାରେ ନିର୍ମାଣ ହେଉଥିବା ଟନେଲରେ ଉଭୟ ପଟକୁ ରହିଛି ବାଟ । ଜାଣିଲେ ଖୁସି ହେବେ, ବୌଦ୍ଧ ଦେଇ ରେଳ ଚଳାଚଳ ହେବ । ଏଥିପାଇଁ ଇଷ୍ଟକୋଷ୍ଟ ରେଲଓ୍ବେ ଏହି ସବୁ ଟନେଲ ନିର୍ମାଣ କରୁଛି । ଏହି ସମସ୍ତ ଟନେଲ ନିର୍ମାଣ କାମକୁ ସୋସିଆଲ ମିଡିଆରେ ଇଷ୍ଟକୋଷ୍ଟ ରେଳଓ୍ବେ ପକ୍ଷରୁ ସେୟାର କରାଯାଇଛି ।

ସୂଚନାଯୋଗ୍ୟ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ମାଗଣା ଜମି । ପ୍ରକଳ୍ପ ଖର୍ଚ୍ଚର ୫୦ ପ୍ରତିଶତ ମଧ୍ୟ ରାଜ୍ୟ ସରକାର ବହନ କରୁଛନ୍ତି । ରେଳ ଲାଇନ ବିଛା ଯିବା ପାଇଁ ବିଭିନ୍ନ ପାହାଡ କାଟି ରେଳବାଇ ପକ୍ଷରୁ ଟନେଲ ନିର୍ମାଣ କରାଯାଉଛି । ଆଡ଼େଣିଗଡରେ ତିଆରି ହେଉଥିବା ଟନେଲ ଲମ୍ବ ୪ କିମି ରହିଛି । ଯାହା ହେବ ଓଡ଼ିଶାର ସବୁଠାରୁ ବଡ ଟନେଲ । ତେଇଶମାଇଲରେ ୭ ନମ୍ବର ଟନେଲ ନିର୍ମାଣ ଚାଲିଛି । ମାର୍ଦ୍ଧିଙ୍ଗ ଗ୍ରାମରେ ନିର୍ମାଣ ହେଉଛି ୨ଟି ଟନେଲ । ଆଉ ୩ଟି ଟନେଲ ଦଶପଲ୍ଲାଠାରୁ ମାଧପୁର ମଧ୍ୟରେ ନିର୍ମାଣ ଚାଲିଛି । ଦ୍ରୁତ ଗତିରେ ନିର୍ମାଣ ଚାଲିଥିବା ବେଳେ ଗତକାଲି ଟନେଲ ନମ୍ବର ୫ର ବାଟ ଉଭୟ ପଟୁ ଖୋଲିଛି । ଯାହାର ଫୋଟ ଓ ଭିଡ଼ିଓ ରେଳବାଇ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଛି ।

ଗମନାଗମନ ଓ ପରିବହନ କ୍ଷେତ୍ରରେ ମୁଖ୍ୟତଃ ପଶ୍ଚିମ ଓଡିଶାର ୪ଟି ଜିଲ୍ଲାକୁ ପୂର୍ବ ଓଡିଶା ସହ ଯୋଡିବା ପାଇଁ ୧୯୯୪-୯୫ ମସିହାରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । ଡିଆରମଙ୍କ କହିବା ଅନୁସାରେ ମାର୍ଚ୍ଚ ମାସ ଶେଷ ସୁଦ୍ଧା ବୌଦ୍ଧ ଜିଲ୍ଲାକୁ ରେଳ ଗଡିବ । ଅଳ୍ପ ଦିନ ବ୍ୟବଧାନରେ ଜିଲ୍ଲାବାସୀ ରେଳ ସେବା ପାଇବାକୁ ଯାଉଥିବାରୁ ରାଜ୍ଯ ସରକାରଙ୍କୁ ଧନ୍ଯବାଦ ଜଣାଇଛନ୍ତି ।

ସ୍ତ୍ରୀ କାଠ ଫାଳିଆ ମାଡ଼ରେ ସ୍ବାମୀ ମୃତ

ଦାରିଙ୍ଗବାଡି: ସ୍ବାମୀ-ସ୍ତ୍ରୀ ସାଙ୍ଗ ହୋଇ ବଜାର ଗଲେ । ମାତାଲ ହୋଇ ଘରକୁ ଫେରିଲେ । ସନ୍ଧ୍ୟାରେ ପାରିବାରିକ କଳହକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା । ଏଥିରେ ଉତ୍ତେଜିତ ହୋଇ ଏକ କାଠ ଫାଳିଆରେ ପିଟି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ଏମିତି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗାବଡ଼ି ଥାନା ଅଞ୍ଚଳରେ ।

ମିଳିଥିବା ସୂଚନା ଅନୁସାରେ, ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ପଞ୍ଚାୟତ ମାର୍ଦ୍ଧିପଙ୍କା ଛକରେ ଏହି ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀ ମାଡ଼ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣଙ୍କ ହେଲେ ନେତ୍ର ମାଝି । ନେତ୍ର ଏବଂ ତାଙ୍କ ପତ୍ନୀ ସୁଭନ୍ତୀ ମାଝି ଗତକାଲି ଦାରିଙ୍ଗବାଡି ବଜାରକୁ ଯାଇଥିଲେ । ସେଠାରେ ମଦ ପିଇ ମାତାଲ ଅବସ୍ଥାରେ ଉଭୟ ଘରକୁ ଫେରିଥିଲେ । କୌଣସି କଥାକୁ ନେଉ ଘରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ହଠାତ୍ ସୁଭନ୍ତୀ ରାଗିଯାଇ ଏକ କାଠ ଫାଳିଆରେ ସ୍ଵାମୀକୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ନେତ୍ରଙ୍କ ମୃତ୍ୟୁ ଘଟିଥିଲା ।

ଖବରପାଇ ସ୍ଥାନୀୟ ସରପଞ୍ଚ ଦାରିଙ୍ଗବାଡି ଥାନା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ । ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ଏସଡିପିଓ ରାହୁଲ ଗୋଏଲଙ୍କ ନେତୃତ୍ଵରେ ସାଇଣ୍ଟିଫିକ ଟିମ୍ ଏବଂ ଥାନା ଅଧିକାରୀ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।

ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ

ନୂଆଦିଲ୍ଲୀ: ଆଉ ନାହାନ୍ତି ବିଶିଷ୍ଟ ଗଜଲ ଗାୟକ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପଙ୍କଜ ଉଧାସ । ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଦୀର୍ଘ ଦିନ ହେବେ ସେ ଅସୁସ୍ଥ ଥିଲେ । ପଙ୍କଜଙ୍କ ମୃତ୍ୟୁ ନେଇ ତାଙ୍କ ଝିଅ ନାୟାବା ଉଧାସ ସୂଚନା ଦେଇଛନ୍ତି । ଏହି ଖବର ଜଣାପଡ଼ିବା ପରେ ବଲିଉଡ଼ରେ ଶୋକର ଛାୟା ଖେଳିଯାଇଛି ।

୧୯୫୧ ମେ’ ୧୭ରେ ଗୁଜରାଟର ଜେଟପୁରରେ ପଙ୍କଜ ଜନ୍ମଗ୍ରହଣ କରିଥିଲେ । ନାମ୍ ଫିଲ୍ମର ଲୋକପ୍ରିୟ ଗୀତ ‘ଚିଠି ଆଇ ହେ…’ ଗୀତର ଗାୟକ ହେଉଛନ୍ତି ପଙ୍କଜ । ଏହି ଗୀତ ତାଙ୍କୁ ଲୋକପ୍ରିୟତା ଦେଇଥିଲା ।

ଇଂଲଣ୍ଡକୁ ହରାଇ ଘରୋଇ ମାଟିରେ ଭାରତ ବନାଇଲା ଏମିତି ରେକର୍ଡ, କୌଣସି ଦେଶ ଆଖପାଖରେ ନାହାନ୍ତି

ଭୁବନେଶ୍ବର: ରାଞ୍ଚିରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ମ୍ୟାଚ୍ ଜିତି ଭାରତ ଏମିତି ଏକ ରେକର୍ଡ କରିଛି ଯାହାର ଆଖପାଖରେ କୌଣସି ଟେଷ୍ଟ ପ୍ଲେଇଂ ଟିମ୍ ନାହାନ୍ତି । ଆଉ ଏହି ରେକର୍ଡଟି କ’ଣ ଜାଣିଛନ୍ତି କି ? ଘରୋଇ ମାଟିରେ ଭାରତ ଚତୁର୍ଥ ପାଳିରେ ୨୦୦ରୁ କମ ରନର ବିଜୟ ଲକ୍ଷ୍ୟ ହାସଲ କରିବାରେ ରେକର୍ଡ କରିଛି । ପୂର୍ବରୁ ଭାରତ ପାଖରେ ଏହି ରେକର୍ଡ ଥିଲେ ବି ରାଞ୍ଚି ମ୍ୟାଚ୍ ଜିତି ଏହାକୁ ଆଉ ପାଦେ ଆଗକୁ ନେଇଛି । ଆସନ୍ତୁ ଜାଣିବା ଭାରତ ବନାଇଥିବା ଏହି ରେକର୍ଡ ସମ୍ପର୍କରେ ।

ଆପଣ ତ ଜାଣିଥିବେ ଟେଷ୍ଟ ମ୍ୟାଚରେ ଚଟି ପାଳି ଖେଳାଯାଇଥାଏ । ଦୁଇ ଦଳ ଦୁଇଥର ଲେଖାଏଁ ବ୍ୟାଟିଂ କରିଥାନ୍ତି । ଚତୁର୍ଥ ପାଳିର ବ୍ୟାଟିଂ ନିର୍ଣ୍ଣୟ କରିଥାଏ ମ୍ୟାଚର ଫଳାଫଳ । ଆଉ ଏହି ଚତୁର୍ଥ ପାଳିରେ ୨୦୦ରୁ କମ ରନର ଟାର୍ଗେଟକୁ ପିଛା କରି ଜିତିବାରେ ରେକର୍ଡ କରିଛି ଭାରତ ।

ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ଖେଳିଥିବା ଟେଷ୍ଟରେ ଏମିତି ସୁଯୋଗ ୩୩ ଥର ଆସିଛି । ଯେଉଥିରେ ଭାରତ ଆଗରେ ୨୦୦ରୁ କମ ରନ୍ର ବିଜୟ ଲକ୍ଷ୍ୟ ରହିଛି । ଆଉ ଏଥିରେ ଭାରତ ୩୦ ଥର ବିଜୟୀ ହୋଇଥିବା ବେଳେ ୩ ଥର ମ୍ୟାଚ୍ ଡ୍ର ହୋଇଛି । ଅର୍ଥାତ ୨୦୦ରୁ କମ ରନର ଟାର୍ଗେଟକୁ ପିଛା କରି ମ୍ୟାଚ୍ ନହାରିବାରେ ରେକର୍ଡ କରିଛି ଭାରତ ।

୧୧ ବର୍ଷ ପରେ ଭାରତକୁ ମିଳିଲା ବିଜୟ

ଟେଷ୍ଟ ମ୍ୟାଜରେ ମିଟ୍ ଇଣ୍ଡିଆ ଘରୋଇ ପରିବେଶରେ ଖେଳି ଶେଷ ଥର ଅଷ୍ଟ୍ରେଲିଆ ବିପକ୍ଷରେ ୨୦୦ରୁ କମ ରନ୍ କରି ମ୍ୟାଚ୍ ଜିତିଥିଲା । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟା ୨୦୧୩ରେ ଖେଳାଯାଇଥିଲା । ଯାହାକୁ ଭାରତ ୬ ଓ୍ବିକେଟରେ ଜିତି ନେଇଥିଲା ।

ରାଞ୍ଜିରେ ଭାରତ ଇଂଲଣ୍ଡକୁ ହରାଇ ୩-୧ରେ ୫ ଟିକିଆ ସିରିଜକୁ କବଜା କରିଛି । ଚତୁର୍ଥ ଦିନରେ ୧୯୨ ରନର ଟାର୍ଗେଟକୁ ୫ ଓ୍ବିକେଟରେ ହାସଲ କରିଛି ଭାରତ । ଦଳ ପକ୍ଷରୁ ଶୁବମନ ଗିଲ ଓ ଧ୍ରୁବ ଜୁରେଲଙ୍କ ଷଷ୍ଠ ୱିକେଟରେ ୭୨ ରନର ପାର୍ଟନରସିପ ଦଳକୁ ବିଜୟୀ କରିବାରେ ମୁଖ୍ଯ ଭୂମିକା ତୁଲାଇଥିଲା । ଗିଲ ୫୨ ରନ କରି ନଟଆଉଟ ଥିବାବେଳେ ଜୁରେଲ ୩୯ ରନର ଦମଦାର ସହଯୋଗ ଦେଇଥିଲେ । ଏକଦା ୫ ୱିକେଟ ହରାଇ ୧୨୦ରନ କରି ଭାରତ ଅସୁବିଧାରେ ପଡିଯାଇଥିଲା । ହେଲେ ଗିଲ ଓ ଜୁରେଲ ଯୋଡ଼ି ଦଳକୁ ସମ୍ଭାଳି ନେଇଥିଲେ । ଦ୍ବିତୀୟ ପାଳିରେ ଭାରତକୁ ଜିତିବା ଲାଗି ୧୯୨ରନ ଟାର୍ଗେଟ ଦେଇଥିଲା ଭ୍ରମଣକାରୀ ଦଳ ଇଂଲଣ୍ଡ । ଗତକାଲି ତୃତୀୟ ଦିନର ଖେଳ ଶେଷବେଳକୁ ଭାରତ ୪୦ ରନ କରିନେଇଥିଲା । ଆଜି ବାକି ୧୫୨ରନ ଟାର୍ଗେଟକୁ ହାସଲ କରି ସିରିଜ ସିଲ କରିପାରିଛି ରୋହିତ ବାହିନୀ ।

ଲୋହିତ ସାଗରରେ ସ୍କୁବା ଡାଇଭିଂ କରି ଚର୍ଚ୍ଚାରେ ଓଡ଼ିଆ ବାପ-ଝିଅ

ବକାବା: ଓଡ଼ିଆ ସ୍କୁବା ଡାଇଭର ବାପା ଓ ଝିଅଙ୍କ ପୁଣି କମାଲ । ଲୋହିତ ସାଗରରେ ସ୍କୁବା ଡାଇଭିଂ କରି ପହଞ୍ଚିଲେ ସମୁଦ୍ରକରେ ବୁଡିଥିବା ହରକୁଲସ-ସି ଏୟାରକ୍ରାଫ୍ଟ ପାଖରେ । ଏହି ସ୍କୁବା ଡାଇଭର ହେଲେ ଓଡ଼ିଶା ପ୍ରିୟଦର୍ଶୀ ପାଣିଗ୍ରାହୀ ଏବଂ ତାଙ୍କ ୧୩ ବର୍ଷର ଝିଅ ତିସ୍ୟା ପାଣିଗ୍ରାହୀ । ଆରବୀୟ ଦେଶ ଜୋର୍ଡାନର ଅକାବା ଲୋହିତ ସାଗରରେ ସ୍କୁବା ଡାଇଭିଂ କରିଛନ୍ତି ।

ସ୍କୁବା ଡାଇଭିଂ କରି ସମୁଦ୍ର ଭିତରେ ୫୫ ଫୁଟ୍ ଗଭୀରରେ ବୁଡ଼ି ରହିଥିବା ହରକୁଲସ ସି-130 ଏୟାରକ୍ରାଫ୍ଟ ଭିତରେ ପ୍ରବେଶ କରିବା ସହ ବିଚରଣ କରିଛନ୍ତି । ହରକୁଲସ-ସି ଏୟାରକ୍ରାଫ୍ଟକୁ ୨୦୧୭ରେ ସମୁଦ୍ର ଗର୍ଭରେ ବୁଡ଼ାଇ ଦିଆଯାଇଥିଲା । ତିସ୍ୟା ଏବଂ ପ୍ରିୟଦର୍ଶୀ ଡାଇଭିଂ କରି ଏୟାରକ୍ରାଫ୍ଟର ମଧ୍ୟଭାଗ ଦେଇ ଏହା ଭିତରେ ପ୍ରବେଶ କରିବା ସହ କକପିଟରେ କିଛି କ୍ଷଣ ବିତାଇଥିଲେ । କୁନି ସମୁଦ୍ର ବୁଡ଼ାଳି ତିସ୍ୟା କକପିଟରେ ପଶି ଏହାର ନିୟନ୍ତ୍ରଣ କକ୍ଷରେ ବିଭିନ୍ନ ଉପକରଣ ସହ ଖେଳୁଥିବା ଦେଖିବାକୁ ମିଳିଛି ।

ପ୍ରିୟଦର୍ଶୀ ଓ  ତିସ୍ୟା ଦୁବାଇର ପ୍ରତିଷ୍ଠିତ ସ୍କୁବା ଡାଇଭର ଭାବେ ଜଣାଶୁଣା । ପ୍ରିୟଦର୍ଶୀ ଦୁବାଇରେ ଭାରତୀୟ ବହୁ ରାଷ୍ଟ୍ରୀୟ କଂପାନୀରେ କାର୍ଯ୍ୟରତ ଅଛନ୍ତି । ତିସ୍ୟା ଦୁବାଇର ଏକ ପ୍ରତିଷ୍ଠିତ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି । ପୂର୍ବରୁ ସ୍କୁବା ଡାଇଭିଂ କରି ଅନେକ ରେକର୍ଡ ସୃଷ୍ଟି କରିଛନ୍ତି ଏହି ବାପା, ଝିଅ ଯୋଡ଼ି ।

ଇଡିର ସପ୍ତମ ସମନକୁ ଏଡ଼ାଇ ଗଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବାରମ୍ବାର ସମନ । ହେଲେ କେଜ୍ରିଓ୍ବାଲ ଇଡି ନୋଟିସକୁ ବାରମ୍ବାର ଏଡାଇ ଚାଲିଛନ୍ତି । ଏହି କ୍ରମରେ ଇଡିରେ ହାଜର ହେବାକୁ ହୋଇଥିବା ୭ମ ସମନକୁ ବି ଏଡାଇ ଦେଇଛନ୍ତି କେଜ୍ରିଓ୍ବାଲ ।

ଇଡିର ନୋଟିସ ସତ୍ତ୍ଵେ ହାଜର ହୋଇନାହାନ୍ତି କେଜରିୱାଲ । ମାମଲା ବର୍ତ୍ତମାନ କୋର୍ଟରେ ଥିବାରୁ କୌଣସି ସଂସ୍ଥା କାର୍ଯ୍ୟାଳୟକୁ ଯିବାର ଆବଶ୍ୟକ ନାହିଁ । ଆଇନଗତ ପ୍ରକ୍ରିୟାକୁ ଆମେ ସମ୍ମାନ ଦେଉଛୁ ବୋଲି ଆପ ପକ୍ଷରୁ କୁହାଯାଇଛି । ଇଡି ବାରମ୍ବାର ସମନ କରିବା ବଦଳରେ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ଅନୁରୋଧ କରୁଛୁ ବୋଲି କେଜ୍ରିଓ୍ବାଲ କହିଛନ୍ତି ।

ମାର୍ଚ୍ଚ ୧୬ରେ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ଏହି ମାମଲା କୋର୍ଟରେ ଅଛି । ଦୈନିକ ସମନ ପଠାଇବା ପରିବର୍ତ୍ତେ ଇଡି ଧୈର୍ଯ୍ୟର ସହ କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ ବୋଲି ଆପ୍ କହିଛି । ଗତ ଶୁକ୍ରବାର କେଜ୍ରିୱାଲ ଇଡିରେ ହାଜର ନହେବାକୁ ନେଇ ତଦନ୍ତକାରୀ ସଂସ୍ଥା କୋର୍ଟରେ ପହଞ୍ଚିଥିଲା । ମୁଖ୍ୟମନ୍ତ୍ରୀ ଜାଣିଶୁଣି ସମନକୁ ଏଡାଇ ଚାଲିଥିବା ଇଡି କହିଥିଲା । ଏହି ଦିନ କେଜରିୱାଲ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ । ବଜେଟ ଅଧିବେଶନ ଚାଲିଥିବାରୁ ସେ କୋର୍ଟରେ ହାଜର ହୋଇପାରିବେ ନାହିଁ ବୋଲି କହିଥିଲେ । କୋର୍ଟ ଉଭୟ ପକ୍ଷକୁ ଶୁଣିବା ପରେ ପରବର୍ତ୍ତୀ ଶୁଣାଣି ପାଇଁ ମାର୍ଚ୍ଚ ୧୬ ତାରିଖକୁ ସମୟ ଧାର୍ଯ୍ୟ କରିଛନ୍ତି ।

ବରମୁଣ୍ଡା ଆମ୍ବେଦକର ବସ୍‌ ଟର୍ମିନାଲରେ ହେବ ପୋଲିସ୍‌ ଆଉଟପୋଷ୍ଟ

ଭୁବନେଶ୍ବର: ବରମୁଣ୍ଡା ଆମ୍ବେଦକର ବସ୍‌ ଟର୍ମିନାଲରେ ହେବ ପୋଲିସ୍‌ ଆଉଟପୋଷ୍ଟ। ନିକଟରେ ଉଦ୍‌ଘାଟିତ ହେବାକୁ ଥିବା ଡ. ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲରେ ଏକ ପୋଲିସ୍‌ ଆଉଟପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି। ଏଥିରେ ୮୯ ଜଣ ପୋଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ। 5T ଉପକ୍ରମରେ ଏହି ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍‌ ଶୀଘ୍ର ଏହା ଲୋକାର୍ପିତ ହେବ । ଏଠାକୁ ଦୈନିକ ୭୦୦ ରୁ ୮୦୦ ବସ୍‌ ଯାତାୟତ କରିବ । ଭବିଷ୍ୟତରେ ବସ୍‌ ସଂଖ୍ୟା ୧୭୦୦ ରୁ ୧୮୦୦କୁ ବୃଦ୍ଧି ପାଇପାରେ। ତା ସହିତ ଦୈନିକ ୩୫ ରୁ ୪୫ ହଜାର  ଯାତ୍ରୀ ମଧ୍ୟ ଯିବା ଆସିବା କରିବେ ବୋଲି ଆକଳନ କରାଯାଇଛି ।

5T ଅଧ୍ୟକ୍ଷ ବିଭିନ୍ନ ସମୟରେ ନିର୍ମାଣାଧୀନ ଟର୍ମିନାଲକୁ ଯାଇ ଏହାର ଅଗ୍ରଗତି ସମୀକ୍ଷା କରିବା ସମୟରେ ଅଧିକାରୀ ଓ ସ୍ଥାନୀୟ ଲୋକମାନଙ୍କ ସହିତ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏଠାରେ ଏକ ପୋଲିସ୍‌ ଆଉଟପୋଷ୍ଟ ପାଇଁ ପ୍ରସ୍ତାବ ଆସିଥିଲା। ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଏଠାରେ ପୋଲିସ୍‌ ଆଉଟପୋଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

ଏହି ଟର୍ମିନାଲରେ ଯାତ୍ରୀଙ୍କ ପାଇଁ ରେଷ୍ଟୁରାଣ୍ଟ, ବହୁତଳ କାର ପାର୍କିଂ, ଆହାର କେନ୍ଦ୍ର, ଯାତ୍ରୀଙ୍କ ପାଇଁ ନେବା ଆଣିବା ସୁବିଧା, ୧୪୪ଟି ବସ୍‌ ବେ, ସିଟି ବସ୍‌ ପାଇଁ ବସ୍‌ ବେ ଓ ଦୋକାନ ବଜାର ଅନେକ ସୁବିଧା ରହିବ। ଏଥିପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥାର ଗୁରୁତ୍ୱ ଯଥେଷ୍ଟ ଅଧିକ ରହୁଛି। ଏହି ଆଉଟପୋଷ୍ଟରେ ୮୯ଜଣ ପୋଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ। ଏଥି ମଧ୍ୟରୁ ୨ଜଣ ସବ୍‌-ଇନ୍‌ସ୍ପେକ୍ଟର, ୯ଜଣ ଆସିଷ୍ଟାଣ୍ଟ ସବ୍‌-ଇନ୍‌ସ୍ପେକ୍ଟର, ୪ଜଣ ହାବିଲଦାର, ୭୨ଜଣ କନଷ୍ଟେବଳ ଓ ୨ଜଣ ଡ୍ରାଇଭର ରହିବେ।

ସୋସିଆଲ ମିଡିଆରେ ମିଛ ଖବର ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ସାଇବର ଥାନାରେ ହେବ ଅଭିଯୋଗ

କଟକ: ସୋସିଆଲ ମିଡିଆରେ ମିଛ ଖବର ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ସାଇବର ଥାନାରେ ହେବ ଅଭିଯୋଗ । ମାଟ୍ରିକ ବୋର୍ଡ ପରୀକ୍ଷାର ଗଣିତ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ଘଟଣାରେ ଏପରି ଚେତାବନୀ ଶୁଣାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ସେଭଳି କୌଣସି ପ୍ରଶ୍ନ ପତ୍ର ଭାଇରାଲ ହୋଇନଥିବା ସ୍ପଷ୍ଟ କରିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ବିଦ୍ୟାର୍ଥୀ ଏଭଳି କୌଣସି କଥା ବା ଭାଇରାଲକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ସେ ଅପିଲ କରିଛନ୍ତି । ଆଜିର ପରୀକ୍ଷା ରାଜ୍ୟର ପ୍ରତ୍ୟେକ କେନ୍ଦ୍ରରେ ଶୃଙ୍ଖଳିତ ଭାବରେ ଶେଷ ହୋଇଛି । ଭାଇରାଲ ଗୁଜବକୁ ନେଇ ବିଦ୍ୟାର୍ଥୀଙ୍କ ପରୀକ୍ଷା ପ୍ରଭାବିତ ହେବନାନାହିଁ । ବିଦ୍ୟାର୍ଥୀ ସୋସିଆଲ ମିଡ଼ିଆଠୁ ବର୍ତ୍ତମାନ ଦୂରେଇ ରୁହିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ସୋସିଆଲ ମିଡିଆରେ ଏପରି କାମ ନକରିବାକୁ ବୋର୍ଡ ସଭାପତି ଅନୁରୋଧ କରିଛନ୍ତି ।

ବିଜେଡ଼ିରେ ମିଶିଲେ ବ୍ରହ୍ମପୁର ମହାନଗର ନିଗମର ୪ବିଜେପି କର୍ପୋରେଟର

ଭୁବନେଶ୍ବର: ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ବିଜେଡ଼ିରେ ମିଶିଲେ ବ୍ରହ୍ମପୁର ମହାନଗର ନିଗମର ୪ବିଜେପି କର୍ପୋରେଟର । ୧୫ରୁ ୨୫ ବର୍ଷ ଧରି କାମ କରିବା ପରେ ଅଣଦେଖା ହେବାରୁ ଶଙ୍ଖ ଧରିବାକୁ ନିଷ୍ପତ୍ତି ନେଲେ । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ଯଧାରାରେ ଆକୃଷ୍ଟ ହୋଇ ବିଜେପି ଛାଡି ବିଜେଡିରେ ମିଶିଛନ୍ତି । ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ନମ୍ବର ୨୦ର କର୍ପୋରେଟର ଥିବା ରଞ୍ଜିତା ବେହେରା ୧୫ ବର୍ଷ ପରେ ବିଜେପି ଛାଡି ବିଜେଡିର ମିଶିଛନ୍ତି । ସେହିପରି ୱାର୍ଡ ନମ୍ବର ୨୧ର କର୍ପୋରେଟର ଡି. କରୁଣାକର ୨୫ ବର୍ଷ ଧରି କାମ କରିବା ପରେ ଅଣଦେଖା ଯୋଗୁଁ ବିଜେଡିର ମିଶିଛନ୍ତି । ପ୍ରଦୀପ ଶତପଥୀ ୱାର୍ଡ ନମ୍ବର ୨୨ର କର୍ପୋରେଟର ଥିବାବଳେ ୧୫ ବର୍ଷ ଧରି ବିଜେପିରେ କାମ କରିଆସୁଥିଲେ । କିନ୍ତୁ ବିଜେପିରେ ଅବହେଳିତ ହେବାରୁ ଆଜି ଶଂଖ ଧରିଛନ୍ତି ।

ସେହିପରି ଅନ୍ଯତମ କର୍ପୋରେଟର ନୀଳକଣ୍ଠ ସାହୁ ମଧ୍ଯ ୨୫ ବର୍ଷ ପରେ ବିଜେପି ଛାଡି ବିଜେଡିରେ ଯୋଗଦେଇଛନ୍ତି । ତେବେ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ବିଜେପି ପାଇଁ ଦୀର୍ଘବର୍ଷ ହେଲା କଠୋର ପରିଶ୍ରମ କରିଥିଲୁ । ଯେଉଁ ଦଳ ପାଇଁ ବହୁ କଷ୍ଟ କରିଥିଲୁ ସେହି ଦଳ ଅଣଦେଖା କଲା । ଚାକିରି ନାଁରେ ଠକେଇ କରିଥିବା ଲୋକଙ୍କୁ ଆପଣାଇଛି ବିଜେପି । ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି କୋଳେଇ ନେଇଛି । ଏହାକୁ ବିରୋଧ କରି ବିଜେପି ସହ ସମ୍ପର୍କ ଛିଡ଼ାଇଛୁ । ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାରେ ସାମିଲ ହେବାକୁ ନିଷ୍ପତ୍ତି ନେଲୁ ବୋଲି କହିଛନ୍ତି ବିଜେଡିରେ ଯୋଗଦେଇଥିବା ଏହି କର୍ପୋରେଟର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ବିଜେଡିରେ ସାମିଲ ହୋଇଥିବା ସେମାନେ କହିଛନ୍ତି ।

ମୁସଲିମ୍ ପକ୍ଷକୁ ଝଟକା, ଜ୍ଞାନବ୍ୟାପୀରେ ଜାରି ରହିବ ପୂଜାପାଠ

ଲକ୍ଷ୍ନୌ: ଜ୍ଞାନବ୍ୟାପୀ ମାମଲାରେ ମୁସଲିମ୍ ପକ୍ଷକୁ ଝଟକା ଲାଗିଛି । ଜ୍ଞାନବ୍ୟାପୀରେ ଜାରି ରହିବ ପୂଜାପାଠ । ହିନ୍ଦୁମାନେ ପୂଜାପାଠ କରିବା ଜାରି ରଖିବାକୁ ଅନୁମତି ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ ।

ଆଜି କୋର୍ଟ ଜ୍ଞାନବ୍ୟାପୀ ମସଜିଦ ବିବାଦ ମାମଲାର ଶୁଣାଣି କରି ମୁସଲିମ ପକ୍ଷର ଆବେଦନକୁ ଖାରଜ କରିଦେଇଛନ୍ତି । ଏହା ସହ ବାରଣାସୀ କୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି ।

ଗତମାସରେ ବାରଣାସୀ କୋର୍ଟ ଜ୍ଞାନବ୍ୟାପୀର ଏକ କୋଠରୀରେ ପୂଜା କରିବାକୁ ହିନ୍ଦୁ ମାନଙ୍କୁ ଅନୁମତି ଦେଇଥିଲେ । ଏହି ରାୟକୁ ଚ୍ୟାଲେଞ୍ଚ କରି ଆଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ଏହାକୁ ନେଇ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ । ଏହା ପରେ ସେମାନେ ହାଇକୋର୍ଟ ଯାଇଥିଲେ । ହାଇକୋର୍ଟରେ ଏହି ରାୟ ପ୍ରକାଶ ପାଇଛି ।

ଦୀର୍ଘଦିନ ଧରି ଜ୍ଞାନବ୍ୟାପୀ ମସଜିଦକୁ ନେଇ ବିବାଦ ଲାଗି ରହିଛି । କାଶୀ ବିଶ୍ବନାଥ ମନ୍ଦିରରେ ମୁସଲିମ ଶାସନ ସମୟରେ ମସଜିଦ ନିର୍ମାଣ କରାଯାଇଥିଲା ବୋଲି ହିନ୍ଦୁମାନେ ଦାବି କରି ଆସୁଛନ୍ତି । ଏହି ମାମଲା ଏବେ କୋର୍ଟରେ ପହଞ୍ଚିଛି ।