ଲୋହିତ ସାଗରରେ ସ୍କୁବା ଡାଇଭିଂ କରି ଚର୍ଚ୍ଚାରେ ଓଡ଼ିଆ ବାପ-ଝିଅ

1 min read

ବକାବା: ଓଡ଼ିଆ ସ୍କୁବା ଡାଇଭର ବାପା ଓ ଝିଅଙ୍କ ପୁଣି କମାଲ । ଲୋହିତ ସାଗରରେ ସ୍କୁବା ଡାଇଭିଂ କରି ପହଞ୍ଚିଲେ ସମୁଦ୍ରକରେ ବୁଡିଥିବା ହରକୁଲସ-ସି ଏୟାରକ୍ରାଫ୍ଟ ପାଖରେ । ଏହି ସ୍କୁବା ଡାଇଭର ହେଲେ ଓଡ଼ିଶା ପ୍ରିୟଦର୍ଶୀ ପାଣିଗ୍ରାହୀ ଏବଂ ତାଙ୍କ ୧୩ ବର୍ଷର ଝିଅ ତିସ୍ୟା ପାଣିଗ୍ରାହୀ । ଆରବୀୟ ଦେଶ ଜୋର୍ଡାନର ଅକାବା ଲୋହିତ ସାଗରରେ ସ୍କୁବା ଡାଇଭିଂ କରିଛନ୍ତି ।

ସ୍କୁବା ଡାଇଭିଂ କରି ସମୁଦ୍ର ଭିତରେ ୫୫ ଫୁଟ୍ ଗଭୀରରେ ବୁଡ଼ି ରହିଥିବା ହରକୁଲସ ସି-130 ଏୟାରକ୍ରାଫ୍ଟ ଭିତରେ ପ୍ରବେଶ କରିବା ସହ ବିଚରଣ କରିଛନ୍ତି । ହରକୁଲସ-ସି ଏୟାରକ୍ରାଫ୍ଟକୁ ୨୦୧୭ରେ ସମୁଦ୍ର ଗର୍ଭରେ ବୁଡ଼ାଇ ଦିଆଯାଇଥିଲା । ତିସ୍ୟା ଏବଂ ପ୍ରିୟଦର୍ଶୀ ଡାଇଭିଂ କରି ଏୟାରକ୍ରାଫ୍ଟର ମଧ୍ୟଭାଗ ଦେଇ ଏହା ଭିତରେ ପ୍ରବେଶ କରିବା ସହ କକପିଟରେ କିଛି କ୍ଷଣ ବିତାଇଥିଲେ । କୁନି ସମୁଦ୍ର ବୁଡ଼ାଳି ତିସ୍ୟା କକପିଟରେ ପଶି ଏହାର ନିୟନ୍ତ୍ରଣ କକ୍ଷରେ ବିଭିନ୍ନ ଉପକରଣ ସହ ଖେଳୁଥିବା ଦେଖିବାକୁ ମିଳିଛି ।

ପ୍ରିୟଦର୍ଶୀ ଓ  ତିସ୍ୟା ଦୁବାଇର ପ୍ରତିଷ୍ଠିତ ସ୍କୁବା ଡାଇଭର ଭାବେ ଜଣାଶୁଣା । ପ୍ରିୟଦର୍ଶୀ ଦୁବାଇରେ ଭାରତୀୟ ବହୁ ରାଷ୍ଟ୍ରୀୟ କଂପାନୀରେ କାର୍ଯ୍ୟରତ ଅଛନ୍ତି । ତିସ୍ୟା ଦୁବାଇର ଏକ ପ୍ରତିଷ୍ଠିତ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି । ପୂର୍ବରୁ ସ୍କୁବା ଡାଇଭିଂ କରି ଅନେକ ରେକର୍ଡ ସୃଷ୍ଟି କରିଛନ୍ତି ଏହି ବାପା, ଝିଅ ଯୋଡ଼ି ।