ଇଡିର ସପ୍ତମ ସମନକୁ ଏଡ଼ାଇ ଗଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବାରମ୍ବାର ସମନ । ହେଲେ କେଜ୍ରିଓ୍ବାଲ ଇଡି ନୋଟିସକୁ ବାରମ୍ବାର ଏଡାଇ ଚାଲିଛନ୍ତି । ଏହି କ୍ରମରେ ଇଡିରେ ହାଜର ହେବାକୁ ହୋଇଥିବା ୭ମ ସମନକୁ ବି ଏଡାଇ ଦେଇଛନ୍ତି କେଜ୍ରିଓ୍ବାଲ ।

ଇଡିର ନୋଟିସ ସତ୍ତ୍ଵେ ହାଜର ହୋଇନାହାନ୍ତି କେଜରିୱାଲ । ମାମଲା ବର୍ତ୍ତମାନ କୋର୍ଟରେ ଥିବାରୁ କୌଣସି ସଂସ୍ଥା କାର୍ଯ୍ୟାଳୟକୁ ଯିବାର ଆବଶ୍ୟକ ନାହିଁ । ଆଇନଗତ ପ୍ରକ୍ରିୟାକୁ ଆମେ ସମ୍ମାନ ଦେଉଛୁ ବୋଲି ଆପ ପକ୍ଷରୁ କୁହାଯାଇଛି । ଇଡି ବାରମ୍ବାର ସମନ କରିବା ବଦଳରେ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ଅନୁରୋଧ କରୁଛୁ ବୋଲି କେଜ୍ରିଓ୍ବାଲ କହିଛନ୍ତି ।

ମାର୍ଚ୍ଚ ୧୬ରେ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ଏହି ମାମଲା କୋର୍ଟରେ ଅଛି । ଦୈନିକ ସମନ ପଠାଇବା ପରିବର୍ତ୍ତେ ଇଡି ଧୈର୍ଯ୍ୟର ସହ କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ ବୋଲି ଆପ୍ କହିଛି । ଗତ ଶୁକ୍ରବାର କେଜ୍ରିୱାଲ ଇଡିରେ ହାଜର ନହେବାକୁ ନେଇ ତଦନ୍ତକାରୀ ସଂସ୍ଥା କୋର୍ଟରେ ପହଞ୍ଚିଥିଲା । ମୁଖ୍ୟମନ୍ତ୍ରୀ ଜାଣିଶୁଣି ସମନକୁ ଏଡାଇ ଚାଲିଥିବା ଇଡି କହିଥିଲା । ଏହି ଦିନ କେଜରିୱାଲ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ । ବଜେଟ ଅଧିବେଶନ ଚାଲିଥିବାରୁ ସେ କୋର୍ଟରେ ହାଜର ହୋଇପାରିବେ ନାହିଁ ବୋଲି କହିଥିଲେ । କୋର୍ଟ ଉଭୟ ପକ୍ଷକୁ ଶୁଣିବା ପରେ ପରବର୍ତ୍ତୀ ଶୁଣାଣି ପାଇଁ ମାର୍ଚ୍ଚ ୧୬ ତାରିଖକୁ ସମୟ ଧାର୍ଯ୍ୟ କରିଛନ୍ତି ।