ମୁସଲିମ୍ ପକ୍ଷକୁ ଝଟକା, ଜ୍ଞାନବ୍ୟାପୀରେ ଜାରି ରହିବ ପୂଜାପାଠ

ଲକ୍ଷ୍ନୌ: ଜ୍ଞାନବ୍ୟାପୀ ମାମଲାରେ ମୁସଲିମ୍ ପକ୍ଷକୁ ଝଟକା ଲାଗିଛି । ଜ୍ଞାନବ୍ୟାପୀରେ ଜାରି ରହିବ ପୂଜାପାଠ । ହିନ୍ଦୁମାନେ ପୂଜାପାଠ କରିବା ଜାରି ରଖିବାକୁ ଅନୁମତି ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ ।

ଆଜି କୋର୍ଟ ଜ୍ଞାନବ୍ୟାପୀ ମସଜିଦ ବିବାଦ ମାମଲାର ଶୁଣାଣି କରି ମୁସଲିମ ପକ୍ଷର ଆବେଦନକୁ ଖାରଜ କରିଦେଇଛନ୍ତି । ଏହା ସହ ବାରଣାସୀ କୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି ।

ଗତମାସରେ ବାରଣାସୀ କୋର୍ଟ ଜ୍ଞାନବ୍ୟାପୀର ଏକ କୋଠରୀରେ ପୂଜା କରିବାକୁ ହିନ୍ଦୁ ମାନଙ୍କୁ ଅନୁମତି ଦେଇଥିଲେ । ଏହି ରାୟକୁ ଚ୍ୟାଲେଞ୍ଚ କରି ଆଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ଏହାକୁ ନେଇ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ । ଏହା ପରେ ସେମାନେ ହାଇକୋର୍ଟ ଯାଇଥିଲେ । ହାଇକୋର୍ଟରେ ଏହି ରାୟ ପ୍ରକାଶ ପାଇଛି ।

ଦୀର୍ଘଦିନ ଧରି ଜ୍ଞାନବ୍ୟାପୀ ମସଜିଦକୁ ନେଇ ବିବାଦ ଲାଗି ରହିଛି । କାଶୀ ବିଶ୍ବନାଥ ମନ୍ଦିରରେ ମୁସଲିମ ଶାସନ ସମୟରେ ମସଜିଦ ନିର୍ମାଣ କରାଯାଇଥିଲା ବୋଲି ହିନ୍ଦୁମାନେ ଦାବି କରି ଆସୁଛନ୍ତି । ଏହି ମାମଲା ଏବେ କୋର୍ଟରେ ପହଞ୍ଚିଛି ।