spot_img
Home Blog Page 2179

ବେପରୁଆ ଗାଡି ଚାଳନାରୁ ଦୁର୍ଘଟଣା, ଚା’ ଦୋକାନୀ ମୃତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗାଡି ଧକ୍କାରେ ଜଣେ ଚା’ ଦୋକାନୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳର ଦିଲ୍ଲୀପ ପରିଡା ।

ସହିଦନଗର ଥାନା ପଣ୍ଡା ପାର୍କ ନିକଟରେ ଏହି ଦୁର୍ଘଟଣା ଘଟିଛି । ବେପରୁଆ ଗାଡି ଚାଳନାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଏଥିରେ ଥିବା ଆରୋହୀଙ୍କ ଅଟକ ରଖିଛି ପଚରା ଉଚରା କରୁଛି ପୋଲିସ ।।

ଦୁର୍ଘଟଣା କେମିତି ଘଟିଲା ? ଗାଡ଼ି କିଏ ଚଳାଉଥିଲା, ଏହାର ତଦନ୍ତ କରୁଛି ପୋଲିସ ।

ହଲିଉଡ଼ ବି କରେ ବଲିଉଡରୁ ଫିଲ୍ମ କପି: ଜାଣିଛନ୍ତି କେଉଁ ଫିଲ୍ମର ହୋଇଛି ରିମେକ୍ ?

ନୂଆଦିଲ୍ଲୀ: ଏବେ ସବୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ରିମେକ ଓ କପି ପେଷ୍ଟ ସମୟ ଚାଲିଛି । ବିଶେଷ କରି ବଲିଉଡ଼ରେ ଏହି ରିମେକର ତାଲିକା ଲମ୍ବା । ଜାଣିଛନ୍ତି କି ହଲିଉଡ ବି ଆମ ବଲିଉଡ଼ ଫିଲ୍ମକୁ କପି କରିଥାଏ । ଆସନ୍ତୁ ଜାଣିବା ବଲିଉଡର ଏମିତି କିଛି ଫିଲ୍ମ ସମ୍ପର୍କରେ, ଯାହା ଜାଣିଲେ ଆପଣ ବି ଖୁସି ହୋଇଯିବ ।

ସଙ୍ଗମ

୧୯୬୪ ମସିହାରେ ରିଲିଜ ହୋଇଥିଲା ଫିଲ୍ମ ସଙ୍ଗମ । ଫିଲ୍ମର ଲିଡ ରୋଲରେ ଥିଲେ ରାଜ କପୁର ଏବଂ ବୈଜୟନ୍ତୀ ମାଲା । ଫିଲ୍ମଟି ଦୁଇ ଜଣ ସାଙ୍ଗଙ୍କ କାହାଣୀକୁ ନେଇ ଆଦାରିତ । ଉଭୟ ଗୋଟିଏ ଝିଅକୁ ଭଲ ପାଇ ବସିଥିଲେ । ଏହି ଫିଲ୍ମରେ ପ୍ରେରିତ ହୋଇ ହଲିଉଡରେ ନିର୍ମାଣ ହୋଇଥିଲା ଫିଲ୍ମ ‘ପର୍ଲ ହାର୍ବର’ । ତେବେ ଫିଲ୍ମର କ୍ଲାଇମେକ୍ସରେ କିଛି ପରିବର୍ତ୍ତନ କରାଯାଇଥିଲା ।

ଜବ୍ ଓ୍ବି ମେଟ୍

ଜାଣି ଆଶ୍ଚର୍ଯ୍ୟ ହେବେ ହଲିଉଡ଼ରେ ‘ଜବ ଓ୍ବି ମେଟ’କୁ ରିମେକ କରାଯାଇଛି । ଫିଲ୍ମର ନାଁ ଥିଲା ‘ଲିପ ଇୟର’ । ଶାହିଦ କପୁର ଓ କରିନା କପୁର ଷ୍ଟାରର ଏହି ଫିଲ୍ମରେ କରିନା ଜୀତ ଭୂମିକାରେ ଆସିଥିଲେ, ଯିଏ ପଞ୍ଜାବୀ ପରିବାରରୁ ଆସିଥିଲେ । ଲିପ ଇୟରର ଷ୍ଟୋରୀ ଆୟରଲାଣ୍ଡ ଉପରେ ଆଧାରିତ ଥିଲା ।

ଭିକ୍କି ଡୋନର

ଆୟୁଷ୍ମାନ ଖୁରାନାଙ୍କ ନାଁ ବଲିଉଡ଼ର ସେମିତି କିଛି ଷ୍ଟାରଙ୍କ ଭିତରେ ଗଣାଯାଇଥାଏ , ଯେଉଁମାନେ କମ ସମୟରେ ବହୁତ ପ୍ରସିଦ୍ଧି ଲାଭ କରିପାରିଛନ୍ତି । ୨୦୧୨ରେ ଆୟୁଷ୍ମାନ ଷ୍ଟାରର ଭିକ୍କି ଡୋନର ପରଦାକୁ ଆସିଥିଲା । ଏହାକୁ କପି କରି ହଲିଉଡ଼ରେ ‘ଡେଲିଭରି ମେନ୍’ ନିର୍ମାଣ ହୋଇଥିଲା । ଉଭୟ ଫିଲ୍ମର କାହାଣୀରେ ବହୁତ ସାମଞ୍ଜସ୍ୟ ରହିଛି ।

ମେନେ ପ୍ୟାର କ୍ୟୁଁ କିୟା

ବଲିଉଡ ସୁପରଷ୍ଟାର ଷ୍ଟାରର ମେନେ ପ୍ୟାର କ୍ୟୁଁ କିୟା ୨୦୦୫ରେ ବଡ଼ ପରଦାକୁ ଆସିଥିଲା । ସଲମନଙ୍କ ବିପକ୍ଷରେ କ୍ୟାଟରିନା ଏବଂ ସୁସ୍ମିତା ସେନ ଥିଲେ । ଯାହାକୁ ଦର୍ଶବ ବହୁତ ପସନ୍ଦ କରିଥିଲେ । ହଲିଉଡ଼ରେ ଏହାର କାହାଣୀକୁ ନେଇ ଫିଲ୍ମ ନିର୍ମାଣ ହୋଇଥିଲା ‘ଜଷ୍ଟ ଗୋ ଓ୍ବିଥ ଇଟ୍’ ।

ଡର୍

କପି ଓ ରିମେକ୍ ଲିଷ୍ଟର ଶେଷ ନାଁ ହେଉଛି ଶାହରୁଖ ଖାନ ଷ୍ଟାରର ‘ଡର୍’ । ୯୦ ଦଶକରେ ନିର୍ମିତ ଏହି ଫିଲ୍ମ ସୁପରହିଟ୍ ହୋଇଥିଲା । ଫିଲ୍ମରେ ଶାହରୁଖଙ୍କୁ ଏମିତି ଏକ ଚରିତ୍ରରେ ଦେଖିବାକୁ ମିଳିଥିଲା, ଯିଏ ଏକ ଯୁବତୀ ପ୍ରେମରେ ପାଗଳ ଭଳି ଭଲ ପାଉଥିଲେ । ଏହି କାହାଣୀରେ ପ୍ରେରିତ ହୋଇ ହଲିଉଡରେ ‘ଫିୟର’ ନାଁରେ ଫିଲ୍ମ ନିର୍ମାଣ କରାଯାଇଥିଲା ।

କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ବିରୋଧ, ଆଜି ଇଣ୍ଡିଆ ମେଣ୍ଟ କରିବ ବିକ୍ଷୋଭ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲା । ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମର୍ଥନ ଓ ଇଡି ଗିରଫ ପ୍ରତିବାଦରେ ଆଜି ଇଣ୍ଡିଆ ମେଣ୍ଟ ତରଫରୁ କରାଯିବ ବଡ଼ ଧରଣର ବିକ୍ଷୋଭ । ରାଲିକୁ ନିର୍ବାଚନ କମିଶନ ଓ ଦିଲ୍ଲୀ ପୋଲିସ ଅନୁମତି ମିଳିଛି । ସକାଳ ସାଢେ ୯ଟାରୁ ରାଲି ଆରମ୍ଭ ହୋଇ ଦିନ ୨ଟା ପର୍ଯ୍ୟନ୍ତ ଚାଲିବ ।

ରାଲିରେ ଇଣ୍ଡିଆ ମେଣ୍ଟର ପ୍ରାୟ ସମସ୍ତ ଅଂଶୀଦାର ଦଳର ନେତା ସାମିଲ ହେବେ । କଂଗ୍ରେସ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହ ରାହୁଲ ଗାନ୍ଧୀ, ଶରଦ ପାୱାର, ଉଦ୍ଧବ ଠାକରେ, ଅଖିଳେଶ ଯାଦବ, ଫାରୁକ ଅବଦୁଲ୍ଲା, ଚମ୍ପାଇ ସୋରେନ ପ୍ରମୁଖ ସାମିଲ ହେବେ । ରାଲିକୁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଓ ଅରବିନ୍ଦ କେଜ୍ରିୱାଲଙ୍କ ସ୍ତ୍ରୀ ସୁନିତା କେଜ୍ରିୱାଲ ସମ୍ବୋଧନ କରିବାର ସମ୍ଭାବନା ରହିଛି ।

ଆର୍ଥିକ ବର୍ଷର ଶେଷ ଦିନ, ରବିବାର ହେଲେ ବି ଆଜି ଖୋଲା ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ରିଜର୍ଭ ବ୍ଯାଙ୍କ ଅଫ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି । ଆଜି ରବିବାରରେ ବି ଖୋଲା ରହିବ ଦେଶର ସମସ୍ତ ବ୍ଯାଙ୍କ । ଚଳିତ ଆର୍ଥିକ ବର୍ଷର ଆଜି ଶେଷ ଦିନ ହୋଇଥିବାରୁ ସମସ୍ତ ବ୍ଯାଙ୍କ ଖୋଲା ରଖିବାକୁ ନିର୍ଦ୍ଦେଶ ଜାରି କରିଛି ଆରବିଆଇ ।

ଆର୍ଥିକ ବର୍ଷର ଶେଷ ଦିନ ସୁଦ୍ଧା ବର୍ଷ ତମାମ ହୋଇଥିବା ସମସ୍ତ କାରବାରର ସୂଚନା ଲିପିବଦ୍ଧ ହେବା ଆବଶ୍ୟକ । ଏଥିଲାଗି ସମସ୍ତ ବ୍ଯାଙ୍କକୁ କାମ କରିବାକୁ କୁହାଯାଇଛି । ଏହାସହ NEFT ଓ RTGS କାରବାର ମଧ୍ୟ ରାତି ୧୨ଟା ପର୍ଯ୍ୟନ୍ତ ଜାରି ରହିବ ।  ଏହାବାଦ ସରକାରୀ ଚେକ୍ କ୍ଲିଅରାନ୍ସ  ଲାଗି ମଧ୍ୟ ବିଶେଷ ବ୍ୟବସ୍ଥା କରାଯିବ । ପୂର୍ବରୁ ଆୟକର ବିଭାଗ ମଧ୍ୟ ସମସ୍ତ ଅଫିସ ଖୋଲା ରଖିବାକୁ ନିଷ୍ପତ୍ତି ନେଇଥିଲା । ବିଭାଗ ପକ୍ଷରୁ ୨୯ ତାରିଖ ଦିନ ପଡିଥିବା ଗୁଡ୍ ଫ୍ରାଇଡେ, ୩୦ ତାରିଖ ଶନିବାର ଓ ଆଜି ରବିବାର ଛୁଟି ରଦ୍ଦ କରିଥିଲେ ।

କଟକରେ କାରରୁ ମିଳିଲା ବିପୁଳ ସୁନା

କଟକ: କୋଲକାତାରୁ ସୁନା ଚୋରାଚାଲାଣ, ଭାୟା ଓଡ଼ିଶା । କଟକରେ କାରରୁ ମିଳିଲା ବିପୁଳ ସୁନା । କୋଲକାତାରୁ ଚାଲାଣ ବେଳେ କଟକ ମଙ୍ଗୁଳି ଟୋଲ୍ଗେଟ୍ ନିକଟରୁ ୯ କିଲୋରୁ ଅଧିକ ବିଦେଶୀ ସୁନା ଜବତ ହୋଇଛି । ସୁନା ବିସ୍କୁଟ୍ ଓ ଏକ କାର୍ ଜବତ କରିଛି ଡିଆରଆଇ । ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏକ କାର୍ ଯୋଗେ କୋଲକାତାରୁ ସୁନା ଚୋରା ଚାଲାଣ ହେଉଥିବା ନେଇ ଡିଆରଆଇ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥଇଲା । ଡିଆରଆଇର କର୍ମଚାରୀମାନେ କଟକ ଜିଲ୍ଲା ମଙ୍ଗୁଳି ଟୋଲ୍ ପ୍ଲାଜା ନିକଟରେ ଛକି ବସିଥିଲେ।  ସୁନା ଚାଲାଣ ହେଉଥିବା କାର୍ ଯେତେବେଳେ ଘଟଣାସ୍ଥଳକୁ ପହଞ୍ଚିଥିଲା କାରକୁ ଅଟକାଇ ଯାଞ୍ଚ କରିବାବେଳେ ୯ କେଜି ୧୮୦ ଗ୍ରାମର ସୁନା ବିସ୍କୁଟ ମିଳିଥିଲା । ଏହାର ମୂଲ୍ଯ ୬ କୋଟି ୪୪ ଲକ୍ଷ ୪୬ ହଜାର ୧୬୪ ଟଙ୍କା ହେବ । ତେବେ ଅଭିଯୁକ୍ତମାନେ ସୁନାକୁ କେଉଁଠାକୁ ନେଉଥିଲେ ସେନେଇ ସ୍ପଷ୍ଟ ସୂଚନା ମିଳଇପାରିନି । ତଦନ୍ତ ପରେ ପୂରା ତଥ୍ଯ ସାମ୍ନାକୁ ଆସିବ ବୋଲି ଡିଆରଆଇ ପକ୍ଷରୁ କୁହାଯାଇଛି।

ହୃଦଘାତରେ ତାମିଲ ଅଭିନେତା ଡାନିଏଲ ବାଲାଜୀଙ୍କ ପରଲୋକ

ନନ୍ଦିଘୋଷ ବ୍ୟୁରୋ: ହୃଦଘାତରେ ତାମିଲ ଅଭିନେତା ଡାନିଏଲ ବାଲାଜୀଙ୍କ ପରଲୋକ। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ହୋଇଛି ଦେହାନ୍ତ। ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦାନିଏଲଙ୍କ ମୃତ୍ଯୁ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳାଇଛି। ମୃତ୍ଯୁବେଳକୁ ତାଙ୍କୁ ମାତ୍ର ୪୮ ବର୍ଷ ହୋଇଥିଲା। ପୁରୁସାଇୱାକ୍କମରେ ତାଙ୍କର ଶେଷକୃତ୍ଯ ସମ୍ପନ୍ନ ହୋଇଛି। କମଲ ହାସନଙ୍କ ମୁରୁଧୁନାୟଗାମରେ ସେ ପ୍ରଡକ୍ସନ ମ୍ଯାନେଜର ଭାବେ କ୍ଯାରିଅର ଆରମ୍ଭ କରିଥିଲେ। ପରେ ସେ କେତେକ ଟେଲିଭିଜନ ସିରିଏଲରେ କାର୍ଯ୍ଯ କରିଥିଲେ। କାକା କାକା ଓ ଭେଟ୍ଟାଇଯାଦୁ ବିଲାୟାଦୁରେ ସେ ଅଭିନୟ କରି ପ୍ରଶଂସା ସାଉଣ୍ଟିଥିଲେ।

ଅଚ୍ୟୁତ ସାମନ୍ତଙ୍କ ସହ ହେବ ସୁକାନ୍ତ ପାଣିଗ୍ରାହୀଙ୍କ ଟକ୍କର

ନନ୍ଦିଘୋଷ ବ୍ୟୁରୋ: ଚବିଶ ନିର୍ବାଚନରେ ହେବ କାଣ୍ଟେ କି ଟକ୍କର । ବିଜେଡି ବନାମ ବିଜେପି ମଧ୍ଯରେ ହେବ ରୋମାଞ୍ଚକର ଲଢେଇ । ପୂର୍ବରୁ ୧୮ ଲୋକସଭା ଆସନରେ କାହା ସହିତ କିଏ ଲଢିବ ସେନେଇ ସ୍ପଷ୍ଟ ସୂଚନା ମିଳିଥିବାବେଳେ ଏବେ ଅବଶିଷ୍ଟ ୩ ଲୋକସଭା ଆସନ ପାଇଁ ବି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । କନ୍ଧମାଳରେ ବିଜେଡିର ଅଚ୍ଯୁତ ସାମନ୍ତଙ୍କ ସହ ବିଜେପିର ସୁକାନ୍ତ କୁମାର ପାଣିଗ୍ରାହୀ ମୁହାଁମୁହିଁ ହେବେ । ସେହିପରି କଟକରେ ବିଜେପିର ଭର୍ତ୍ତୃହରି ମହତାବଙ୍କୁ ଟକ୍କର ଦେବେ ବିଜେଡିର ସଂତୃପ୍ତ ମିଶ୍ର ଓ ଯାଜପୁରରେ ବିଜେଡିର ଶର୍ମିଷ୍ଠା ସେଠୀ ଏବଂ ବିଜେପିର ରବୀନ୍ଦ୍ର ନାରାୟଣ ବେହେରାଙ୍କ ମଧ୍ଯରେ ଟକ୍କର ଦେଖିବାକୁ ମିଳିବ ।

କଟକ, କନ୍ଧମାଳ ଓ ଯାଜପୁର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ବର: ଓଡ଼ିଶା ପାଇଁ ଦ୍ବିତୀୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ଅବଶିଷ୍ଟ ୩ ଲୋକସଭା ଆସନ କଟକ, କନ୍ଧମାଳ ଓ ଯାଜପୁର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି ।  ଭର୍ତ୍ତୃହରି ମହତାବଙ୍କୁ ଦଳ କଟକ ଲୋକସଭା ପ୍ରାର୍ଥୀ କରିଥିବାବେଳେ ରବୀନ୍ଦ୍ର ନାରାୟଣ ବେହେରା ଯାଜପୁର ଓ ସୁକାନ୍ତ କୁମାର ପାଣିଗ୍ରାହୀ କନ୍ଧମାଳ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ତିନି ଆସନରେ ବିଜେପି ତାର ପ୍ରାର୍ଥୀ ବଦଳାଇଛି । ୨୦୧୯ରେ କଟକରୁ ପ୍ରକାଶ ମିଶ୍ର ଲୋକସଭା ପ୍ରାର୍ଥୀ ହୋଇଥିବାବେଳେ ଏଥର ଦଳ ବିଜେଡିରୁ ଯାଇଥିବା ଭର୍ତ୍ତୃହରିଙ୍କୁ ଟିକେଟ ଦେଇଛି । ସେହିପରି କନ୍ଧମାଳରୁ ମହାମେଘବାହନ ଐରଖାରବେଳ ସ୍ବାଇଁଙ୍କ ବଦଳରେ ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ଯାଜପୁରରେ ଅମିୟ ମଲ୍ଲିକଙ୍କ ବଦଳରେ ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ବିଜେପି ଟିକେଟ ଦେଇଛି । ପୂର୍ବରୁ ବିଜେପି ୧୮ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ।

ବିଜେପି ଦଳରେ ନେତା ମରୁଡି: ଶରତ ରାଉତ

ଭୁବନେଶ୍ବର: ବିଜେପି ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସି ସମ୍ପାଦକ ଶରତ ରାଉତ l ବିଜେପିର ଗ୍ରାଉଣ୍ଡରେ ବେସ ନାହିଁ ଓ ବିଜେପି ଦଳରେ ନେତା ମରୁଡି ଦେଖା ଦେଇଛି ବୋଲି ଶରତ ରାଉତ ଅଭିଯୋଗ କରିଛନ୍ତି l ବିଜେପିର ନେତା ନଥିବାରୁ ସେମାନେ ଅନ୍ୟ ଦଳର ନେତାଙ୍କୁ ନେଇ ଦଳ  ବଳ ଗୋଟାଉଛି l ବିଜେପି ଦଳର ସ୍ଥିତି ରାଜ୍ୟରେ ଦୁର୍ବଳ ଅଛି l ଆଜି ଯାଏ ବିଜେପି ରାଜ୍ୟରେ ତାହାର ସ୍ଥିତି ଜାହିର କରିପାରିନାହିଁ l ତେଣୁ ଆମଦାନୀ ନେତାଙ୍କୁ ସ୍ବାଗତ କରୁଛନ୍ତି l  ସେମାନେ ବିଜୁ ଜନତା ଦଳର ଅଲୋଡ଼ା ନେତାଙ୍କୁ ନେଇ ଦଳ ଭର୍ତ୍ତି କରୁଛନ୍ତି ବୋଲି କହି ଶରତ ରାଉତ କଟାକ୍ଷ କରିଛନ୍ତି ରାଜ୍ୟ ବିଜେପିକୁ l

 

ସବୁ ନେତା ଅପରାଧ ମୁକ୍ତ ହୋଇପାରୁଛନ୍ତି କି ?

ନନ୍ଦିଘୋଷ ବ୍ୟୁରୋ: ଅପରାଧ ମୁକ୍ତ ହେଉନାହାଁନ୍ତି ରାଜନେତା । କେତେବେଳେ ପ୍ରତିଦ୍ବନ୍ଦ୍ବୀ ଦଳର ଆକ୍ରୋଶ ତ କେତେବେଳେ ନିଜ ଅପରାଧିକ ଆଚରଣ । ଅପରାଧ ରେକର୍ଡରୁ ନେତାଙ୍କୁ ମୁକ୍ତି ମିଳୁନି । ୨୦୧୯ ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଥିବା ୫୧୪ ଜଣ ସାଂସଦଙ୍କ ଭିତରୁ ୪୪ ପ୍ରତିଶତଙ୍କ ନାମରେ ଅପରାଧୀକ ରେକର୍ଡ ରହିଛି । ୨୯ ପ୍ରତିଶତ ସାଂସଦ ହତ୍ୟା, ହତ୍ୟା ଉଦ୍ୟମ, ମହିଳା ବିରୋଧୀ ହିଂସାରେ ସାମିଲ । ଏଭଳି ରିପୋର୍ଟ ଦେଇଛି ଜାତୀୟ ଇଲେକ୍ସନ୍ ଓ୍ବାଚ୍ ଓ ଏଡିଆର୍ । ଅଭିଯୋଗ ହୋଇଛି ଏଭଳି ଭ୍ରଷ୍ଟ ନେତା ଶାସକ ଦଳରେ ସାମିଲ ହୋଇ ନିଜ କଳାକାରନାମାକୁ କ୍ଲିନ କରିବାରେ ସମର୍ଥ ହେଉଛନ୍ତି ।

ଗଣତନ୍ତ୍ରରେ ସ୍ବଚ୍ଛ ଇମେଜ୍ ଥିବା ନେତା ଭୋଟରଙ୍କ ପ୍ରଥମ ପସନ୍ଦ । ହେଲେ ସବୁ ନେତା ଅପରାଧ ମୁକ୍ତ ହୋଇପାରୁଛନ୍ତି କି ? ଏମିତି ହେଉନି । ନ୍ୟାସନାଲ ଇଲେକ୍ସନ୍ ଓ୍ବାଚ୍ ଓ ଏଡିଆର ରିପୋର୍ଟ । ୨୦୧୯ ସାଧାରଣ ନିର୍ବାଚନରେ ୫୧୪ ଜଣ ନିର୍ବାଚିତ ସାଂସଦଙ୍କ ଭିତରୁ ୨୨୫ ଜଣ ସେମାନଙ୍କ ନାମରେ ଅପରାଧିକ ରେକର୍ଡ ଥିବା ଘୋଷଣା କରିଛନ୍ତି । ୧୪୯ ଜଣଙ୍କ ବିରୋଧରେ ରହିଛି ଜଘନ୍ୟ ଅପରାଧ । ହତ୍ୟା, ହତ୍ୟା ଉଦ୍ୟମ, ସାମ୍ପ୍ରଦାୟିକ ହିଂସା, ଅପହରଣ ଓ ମହିଳା ବିରୋଧୀ ହିଂସାରେ ସଂଶ୍ଲିଷ୍ଟ । ୯ ଜଣଙ୍କ ନାମରେ କେବଳ ହତ୍ୟା, ମହିଳାଙ୍କ ବିରୋଧରେ ଅପରାଧ କରିଥିବା ୧୬ ଜଣ ସାଂସଦଙ୍କ ଭିତରୁ ୩ ଜଣଙ୍କ ବିରୋଧରେ  ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ରାଜନୈତିକ ଶତ୍ରୁତା ଯୋଗୁ କେତେକଙ୍କ ବିରୋଧରେ ଅପରାଧୀକ ରେକର୍ଡ ଗଡ଼ୁଛି । କିନ୍ତୁ ମହିଳା ଦୁଷ୍କର୍ମ, ହତ୍ୟା ଭଳି ମାମଲାରେ କେତେକ ନେତା ନିଜ ଆଚରଣ ଯୋଗୁ ଏଭଳି କଳାକାରନାମାରେ ଲିପ୍ତ ରହିଛନ୍ତି ।

ଅପରାଧିକ ରେକର୍ଡ ଥିବା ନେତାଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି । ଆଉ ଅପରାଧିକ ରେକର୍ଡ ଥିବା ନେତାଙ୍କ ପ୍ରଥମ ପସନ୍ଦ ଶାସକ ଦଳ ବୋଲି ଅଭିଯୋଗ ହୋଇଛି । ଶାସକ ଦଳରେ ଯୋଗ ଦେଇ ଟିକେଟ୍ ହାତେଇଲେ ସେମାନଙ୍କ କଳା କାରନାମାକୁ ସହଜରେ ଘଣ୍ଟ ଘୋଡ଼ା ଯାଇପାରୁଛି । ନିର୍ବାଚନକୁ ଅବାଧ ଓ ସ୍ବଚ୍ଛ କରିବାକୁ ଭାରତୀୟ ନିର୍ବାଚନ କମିଶନ ବି ବଡ଼ ପଦକ୍ଷେପ ନେଉଛନ୍ତି । ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କୁ ପ୍ରାର୍ଥୀ କରାଗଲେ ସଂପୃକ୍ତ ପ୍ରାର୍ଥୀଙ୍କ ପାଇଁ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିବ । ଏତେସବୁ ପଦକ୍ଷେପ ପରେ ଅପରାଧିକ ରେକର୍ଡ ଥିବା ବ୍ୟକ୍ତି ନିର୍ବାଚନରେ ଭାଗ ନେଉଛନ୍ତି । ଶାସକ ଦଳରେ ସେମାନେ ଯୋଗଦେଇ ଦୁରାଚାରୀରୁ ସଦାଚାରୀ ହେଉଥିବା ଅଭିଯୋଗ ହୋଇଛି ।