ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଆଇପିଏଲ । ସମସ୍ତ ଟିମର କ୍ୟାମ୍ପ ଆରମ୍ଭ ହୋଇଥିବା ବେଳେ ବିଜୟ ପାଇଁ ଆରମ୍ଭ ହୋଇଛି ଅଙ୍କକଷା । ତେବେ ବିରାଟ କୋହଲିଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ । ସେ କହିଛନ୍ତି କି, ବିରାଟ ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ କରିବେ । ଏହାସହ ଆରସିବି ପ୍ଲେଅଫ୍ ନିଶ୍ଚିତଭାବେ ସ୍ଥାନ ପକ୍କା କରିବ । ଯଦିଓ ଗ୍ରୀନ ଏବଂ ମ୍ୟାକ୍ସଓ୍ବେଲଙ୍କ ଭଳି ଖେଳାଳି ଅଛନ୍ତି ତଥାପି କୋହଲିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ । କୋହଲି ଯେତେବେଳେ ବିରତି ନେଇ ଫେରନ୍ତି ସେତେବେଳେ ବଡ଼ ପାଳି ଖେଳିବାରେ ସମର୍ଥ ହୁଅନ୍ତି । ଏଣୁ କୋହଲି ଦୀର୍ଘଦିନ ଧରି ଛୁଟିରେ ରହିଥିବାବେଳେ ଆଇପିଏଲରେ ଫେରିବାକୁ ଯାଉଛନ୍ତି । ଏଣୁ ଆଶା କରାଯାଉଛି କି, ସେ ଦଳକୁ ବିଜୟୀ ପାଳି ଖେଳିବେ । ମାର୍ଚ୍ଚ ୨୨ରେ ଧୋନୀଙ୍କ ନେତୃତ୍ବାଧିନ ଟିମ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ଆରସିବି । ଦୁଇ ପୂର୍ବତନ ଭାରତୀୟ ଅଧିନାୟକଙ୍କ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବାକୁ ଥିବାବେଳେ ଏହା ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି କହିଛନ୍ତି କୈଫ୍ ।
ଅବସର ନେବା ପରେ ଭାବ ବିହ୍ବଳ ହେଲେ ଧବଲ କୁଲକର୍ଣ୍ଣି
ନନ୍ଦିଘୋଷ ବ୍ୟୁରୋ: ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ଘୋଷଣା କଲେ ଧବଲ କୁଲକର୍ଣ୍ଣି । ଫାଇନାଲରେ ବିଜୟ ସହ ଅବସର ନେଇଛନ୍ତି । ଅବସର ପରେ ଭାବ ବିହ୍ବଳ ହୋଇଥିଲେ କୁଲକର୍ଣ୍ଣି । ଫାଇନାଲରେ ମୁମ୍ବାଇ ବିଦର୍ଭକୁ ହରାଇଛି । ଫାଇନାଲରେ କୁଲକର୍ଣ୍ଣି ମୁମ୍ବାଇ ପାଇଁ ଶେଷ ଓ୍ବିକେଟ ଅକ୍ତିଆର କରିଥିଲେ । ସେ ଉମେଶ ଯାଦବଙ୍କୁ ବୋଲ୍ଡ କରି ଦଳକୁ ବିଜୟୀ କରାଇଥିଲେ । ୩୫ ବର୍ଷୀୟ କୁଲକର୍ଣ୍ଣି ୯୬ଟି ପ୍ରଣମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି । ଯେଉଁଥିରେ ସେ ୨୮୫ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ୨୦୦୮ ମସିହାରେ ନିଜର ପ୍ରଥମ ଶ୍ରେଣୀ ଡେବ୍ୟୁ କରିଥିଲେ କୁଲକର୍ଣ୍ଣି । ତେବେ ଟିମ ଇଣ୍ଡିଆ ପାଇଁ ୧୨ଟି ଦିନିକିଆ ମଧ୍ୟ ଖେଳିଛନ୍ତି । ଯେଉଁଥିରେ ସେ ୧୯ ଓ୍ବିକେଟ ଅକ୍ତିଆର କରିଛନ୍ତି । ସେପଟେ ୨ଟି ଆନ୍ତର୍ଜାତୀୟ ଟି-୨୦ ମଧ୍ୟ ଖେଳିଛନ୍ତି । ଅବସର ଘୋଷଣା କରିବା ପରେ ରୋହିତ ଶର୍ମା କହିଥିଲେ କି, କୁଲକର୍ଣ୍ଣି ହେଉଛନ୍ତି ମୁମ୍ବାଇର ଯୋଦ୍ଧା ।
ଲୋକାର୍ପିତ ହେଲା ଅନଲାଇନ୍ ପ୍ରୋତ୍ସାହନ ମ୍ୟାନେଜମେଣ୍ଟ ପ୍ରଣାଳି
ଭୁବନେଶ୍ବର: ଲୋକାର୍ପିତ ହେଲା ଅନଲାଇନ୍ ପ୍ରୋତ୍ସାହନ ମ୍ୟାନେଜମେଣ୍ଟ ପ୍ରଣାଳି । ଆଇଟି ଶିଳ୍ପ ପାଇଁ ଏହା ସହାୟକ ହେବା ସହ ଏଭଳି ପ୍ଲାଟଫର୍ମ ପ୍ରଥମ କରି ସାରା ଦେଶରେ ଆରମ୍ଭ ହୋଇଛି । ଓଡ଼ିଶା ଇ-ଗଭରନାନ୍ସ କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇଥିବା ବେଳେ ଏହି ପ୍ରଣାଳିକୁ ଓକାକ ପ୍ରସ୍ତୁତ କରିଛି । ଏହି ଅନଲାଇନ୍ ପ୍ରକ୍ରିୟା ଦ୍ବାରା ଆବେଦନ କରି ଉଦ୍ୟୋଗୀ ମାନେ ସେମାନଙ୍କ ପ୍ରୋତ୍ସାହନ ଭିତ୍ତିଭୂମି ପାଇପାରିବେ । ଯକୌଣସି ସମୟରେ ଆବେଦନ ପତ୍ର ଦେଇ ନିଜର ଅପଡେଟ୍ ଜାରି କରିପାରିବେ । ସେହିପରି ନୂତନ ଜିଲ୍ଲା ଓ୍ବେବସାଇଟ୍ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହି ମାନଦଣ୍ଡରେ ୩୦ଟି ଜିଲ୍ଲାର ପୋର୍ଟାଲକୁ ବିକଶିତ କରାଯାଇଛି ।
ବଡପଡାରେ ନୂତନ ଅତ୍ଯାଧୁନିକ ଶିକ୍ଷା ସୌଧର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ନନ୍ଦିଘୋଷ ବ୍ୟୁରୋ: ସ୍ୱାଭିମାନ ଅଞ୍ଚଳରେ ଶିକ୍ଷାର ନୂତନ ଆଲୋକବର୍ତ୍ତିକା । ମାଲକାନଗିରି ଜିଲ୍ଲା ବଡପଡାରେ ନୂତନ ଅତ୍ଯାଧୁନିକ ଶିକ୍ଷା ସୌଧର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଶିକ୍ଷା ସୌଧରେ ପ୍ରଥମରୁ ଉଚ୍ଚ ମାଧ୍ୟମିକ ବା ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଗୋଟିଏ ସ୍ଥାନରେ ଶିକ୍ଷା ଲାଭ କରିପାରିବେ । ୭ ଏକର ଜମିରେ ସ୍ଥାପନ କରାଯାଇଥିବା ଏହି ଆଧୁନିକ ଶିକ୍ଷା ସୌଧ ପାଇଁ ୧୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ହଜାରେରୁ ଅଧିକ ପିଲା ପାଠ ପଢିବେ । ଭବିଷ୍ୟତ ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବାକୁ ଏଥିରେ ସମସ୍ତ ଆଧୁନିକ ସୁବିଧା ସୁଯୋଗ ରହିଛି । ସ୍ମାର୍ଟ କ୍ଲାସ ରୁମ, ୩ ହଜାର ପୁସ୍ତକ ବିଶିଷ୍ଟ ଇ-ଲାଇବ୍ରେରୀ, ଟ୍ରାଇବାଲ କର୍ଣ୍ଣର, କୁନି ପିଲାଙ୍କ ଆକ୍ଟିଭିଟି ରୁମ, ଏନସିସି ପ୍ରକୋଷ୍ଠ, କମ୍ପ୍ୟୁଟର ଲ୍ୟାବ, ICT ସ୍ମାର୍ଟ ଲର୍ଣ୍ଣିଂ ସେଣ୍ଟର, ବିଜ୍ଞାନ ପରୀକ୍ଷାଗାର ରହିଛି । ଏହାଛଡ଼ା ୨୦୦ ଆସନ ବିଶିଷ୍ଟ ଛାତ୍ରାବାସ, ୫୦୦ ଆସନ ବିଶିଷ୍ଟ ଛାତ୍ରୀନିବାସ, ଆମ୍ପିଥିଏଟର. ସୁଦୃଶ୍ୟ ବଗିଚା, ସ୍ପୋର୍ଟ୍ସ କୋର୍ଟ, ଓପନ ଜିମ୍, ସୋଲାର ଲାଇଟିଂ, ସୋଲାର ୱାଟର ସପ୍ଲଏ ଆଦି ଅନେକ ବ୍ଯବସ୍ଥା ରହିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ମାଲକାନଗିରି ସବୁବେଳେ, ସବୁ କାମରେ ମୋର ପ୍ରଥମ ପସନ୍ଦ ହୋଇ ରହିଆସିଛି। ଟଙ୍କିକିଆ ଚାଉଳ ହେଉ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉ ବା ଲକ୍ଷ୍ମୀ ଯୋଜନା- ସବୁ କାର୍ଯ୍ୟକ୍ରମ ଏହିଠାରୁ ହିଁ ଆରମ୍ଭ କରାଯାଉଛି । ବଡପଡା ଶିକ୍ଷା ସୌଧ ପାଇଁ ଆନନ୍ଦ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ, ପିଲାମାନଙ୍କ ପାଠ ପଢାର ସୁବିଧା ତଥା ସେମାନଙ୍କ ବ୍ୟକ୍ତିତ୍ୱର ବିକାଶ ପାଇଁ ଏହି ଅନୁଷ୍ଠାନ ଗଢା ଯାଇଛି । ଏହି ସବୁ ସୁବିଧା ସହରର କୌଣସି ଆଧୁନିକ ଶିକ୍ଷା ଅନୁଷ୍ଠାନର ସୁବିଧାଠାରୁ କମ୍ ନୁହେଁ ।
ସ୍ୱାଭିମାନ ଅଞ୍ଚଳର ପିଲାମାନେ ଏହାର ସୁଯୋଗ ନେଇ ନିଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ଗଢିବେ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ। ଶୃଙ୍ଖଳା, ପ୍ରତିବଦ୍ଧତା ସହିତ କଠିନ ପରିଶ୍ରମ ଓ ନିଷ୍ଠାର ସହ କାମ କଲେ ସଫଳତାର ମାର୍ଗ ପ୍ରଶସ୍ତ ହୁଏ ବୋଲି ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଶିକ୍ଷା ସୌଧରେ ଥିବା ସମସ୍ତ ସୁବିଧାର ଉପଯୋଗ କରି ନିଜର ପ୍ରତିଭାର ବିକାଶ ପାଇଁ କାମ କରିବାକୁ ସେ କହିଥିଲେ ଏବଂ ନିଜ ପରିବାର, ନିଜ ସ୍କୁଲ ଓ ନିଜ ଗାଁ ପାଇଁ ସୁନାମ ଆଣିବାକୁ ପରାମର୍ଶ ଦେଇଥିଲେ। 5T ଉପକ୍ରମରେ ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ପିଲାମାନଙ୍କ ମନରେ ବଡ ହେବା ପାଇଁ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ଅନୁସୂଚିତ ଜାତି ଓ ଜନଜାତି ପିଲାମାନେ ପାଠପଢାଠାରୁ ଖେଳ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି ମତ ଦେଇ ସେ ଏଥିପାଇଁ ଖୁସି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗଦେଇ କହିଥିଲେ ଯେ ଆଗାମୀ ଦିନରେ ସ୍ୱାଭିମାନ ଅଞ୍ଚଳରେ ଏକ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହା ମାଧ୍ୟମରେ ସ୍ୱାଭିମାନ ଅଞ୍ଚଳର ଯୁବଗୋଷ୍ଠୀ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ପାଇବେ। ସେ ଆହୁରି ମଧ୍ୟ କହିଥିଲେ ଯେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ମାଲକାନଗିରିରୁ ହିଁ କରାଯାଇଛି। ସ୍ୱାଭିମାନ ଅଞ୍ଚଳର ବିକାଶ ନିମନ୍ତେ ସେତୁ ଯୋଜନାର ପରିକଳ୍ପନା ଜରିଆରେ ଅଞ୍ଚଳରେ ଗମନାଗମନ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମିର ବିକାଶ ହୋଇପାରିଛି।
ନିଶାଶକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟିପିଟି ହତ୍ଯା କଲା ସ୍ୱାମୀ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ଯ। ସ୍ତ୍ରୀକୁ ମାରି ଶବ ସହ ତିନି ଦିନ ବିତାଇଥିଲା ସ୍ବାମୀ। ମୈତ୍ରୀବିହାର ଥାନା ତାରିଣୀନଗର ଅଞ୍ଚଳରେ ଘଟିଛି ଏଭଳି ନିର୍ମମ ହତ୍ଯାକାଣ୍ଡ। ସ୍ତ୍ରୀକୁ ପିଟିପିଟି ହତ୍ଯା କରିବା ପରେ ମୃତଦେହକୁ ଘରେ ବନ୍ଦ କରି ରଖିଥିଲା ସ୍ବାମୀ। ଘରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ହତ୍ଯାକାଣ୍ଡର ପର୍ଦ୍ଦାଫାସ ହୋଇଛି। ମୃତଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କରୁଛି ପୋଲିସ। ଅଭିଯୁକ୍ତ ହେଉଛି ଗଞ୍ଜାମ ଅଞ୍ଚଳର ଗୌରବ ଜେନା ।
ସୂଚନା ଅନୁଯାୟୀ, ନିଶାଦ୍ରବ୍ୟ ଖାଇ ରାତିରେ ଘରକୁ ଫେରିଥିଲେ ସ୍ୱାମୀ ଗୌରବ ଜେନା। ସ୍ତ୍ରୀ ବାରଣ କରିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ କୁ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ପିଟିପିଟି ହତ୍ୟା କରିଥିଲା ଗୌରବ। ସ୍ତ୍ରୀକୁ ହତ୍ୟା କରିବା ପରେ ଶବ ଏବଂ ତାଙ୍କର ୩ଟି ଛୁଆଙ୍କୁ ଘର ଭିତରେ ବନ୍ଦ କରି ରଖିଥିଲା ଅଭିଯୁକ୍ତ । ନିଜେ ମଧ୍ୟ ବାହାରକୁ ବାହାରି ନଥିଲା । ଘରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ।ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି ପୋଲିସ ।

