ବାତ୍ୟା ‘ରେମାଲ’ ପ୍ରଭାବରେ ବର୍ଷା ପାଇଁ ବିଏମସିର ପ୍ରସ୍ତୁତି

ଭୁବନେଶ୍ୱର : ସାମ୍ଭାବ୍ୟ ବାତ୍ୟା ରେମାଲ ପ୍ରଭାବରେ ବର୍ଷା ପାଇଁ ବିଏମସିର ପ୍ରସ୍ତୁତି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଜି ଓ କାଲି ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସୂଚନା ଦିଆଯାଇଛି । ଭୁବନେଶ୍ବର ଏବଂ ଆଖପାଖ ଅଞ୍ଚଳରେ ଏଯାବତ କୌଣସି ବିପଦ ସୂଚନା ନଥିଲେ ମଧ୍ୟ ହଠାତ୍ ବର୍ଷାକୁ ଏଡାଇ ଦିଆନଯାଇପାରେ । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ସାମ୍ଭାବ୍ୟ ଜଳବନ୍ଦୀକୁ ସାମ୍ନା କରିବା ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା ।  ଏହାର ପରବର୍ତୀ ପଦକ୍ଷେପ ସ୍ୱରୁପ ସଜାଗ ରହିଛି ଟିମ୍ ବି ଏମ୍ ସି । ନଗର ଯନ୍ତ୍ରୀ ବିଳାସ କୁମାର ବେହେରାଙ୍କ ଅଧକ୍ଷତାରେ ଏକ କଣ୍ଟ୍ରୋଲ ରୁମ୍ କରାଯିବାର ବ୍ୟବସ୍ଥା ହୋଇଛି । ଆଜି ଠାରୁ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକରିବ । ଏହାର ମୁଖ୍ୟ ଦାୟିତ୍ବରେ ରହିବେ ଡ୍ରେନେଜ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରିୟବ୍ରତ ବେହେରା । ଜଳବନ୍ଦୀ ଜନିତ ନାଗରିକ ମାନଙ୍କର ଆବଶ୍ୟକତା ବା ଜରୁରୀ ନିମନ୍ତେ ଲୋକେ ୧୯୨୯ କୁ କଲ କରିବେ । ୭୮୦୯୮୯୬୬୨୧ ଟୋଲଫ୍ରି ନମ୍ବରକୁ ମଧ୍ଯ ଫୋନ କରିପାରିବେ । ଏହି ନମ୍ବରଟି ଆଜି ଠାରୁ କାର୍ଯ୍ୟକରିବ । ବି ଏମ୍ ସି ଅଂଚଳରେ ସଂପ୍ରତି ୫୬ ଟି ଜଳବନ୍ଦୀ ଅଂଚଳ ଚିହ୍ନଟ ହୋଇଛି । ଏଥିପାଇଁ ଆବଶ୍ୟକୀୟ ଜଳ ନିସ୍କାସନ ପମ୍ପ୍ ପ୍ରସ୍ତୁତ ହୋଇ ରହିଛି । ଆବଶ୍ୟକ ପଡିଲେ ଅଗ୍ନିଶମ ବିଭାଗଠାରୁ ବଡ ପମ୍ପ୍ ସେଟ୍ ଅଣାଯିବାର ବ୍ୟବସ୍ଥା କରାଯାଇଛି । ସେପଟେ ଭୁବନେଶ୍ବର ଅଗ୍ନିଶମ ବିଭାଗ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସଂପୂର୍ଣ୍ଣ ସଜାଗ ରହିଥିବା ଡେପୁଟି ଫାୟର ଅଫିସର କହିଛନ୍ତି ।