ବରଗଡ଼ : କାଲି ଭୋଟ ହେବାକୁ ଥିବା ବେଳେ ଶାଢ଼ୀ ଲାଞ୍ଚ ଦେଇ ଭୋଟ ହାତେଇବାର ଚେଷ୍ଟା । ଏହି ଅଭିଯୋଗ ଆସିଛି ବରଗଡ଼ରୁ। ଆସନ୍ତାକାଲି ବରଗଡ଼ରେ ଭୋଟ ହେବ। ତା ପୂର୍ବରୁ ଆଜି ସକାଳେ ଦୁଇ ଜଣ ଯୁବକ ଗୋବିନ୍ଦ ପାଲି ଅଞ୍ଚଳରେ ଶାଢ଼ୀ ବାଂଟୁଥିଲେ। ଏହି ସମୟରେ ତାଙ୍କୁ ଧରିଥିଲେ ସ୍ଥାନୀୟ ଲୋକେ। ପରେ ବରଗଡ଼ ଟାଉନ ଥାନା ପୋଲିସ ସେଠାରେ ପହଞ୍ଚିଥିଲା। ଦୁଇ ଯୁବକଙ୍କଠାରୁ ୨ ବସ୍ତା ଶାଢ଼ୀ ଓ ଗୋଟିଏ ମଟର ସାଇକଲ ଜବତ ହୋଇଛି। ବିଜେପିକୁ ଭୋଟ ଦେବାକୁ କହି ଏହି ଶାଢ଼ୀ ବଣ୍ଟା ଯାଉଥିବାର ଅଭିଯୋଗ ହୋଇଛି। ବରଗଡ଼ ପୋଲିସ ଅଧିକ ତଦନ୍ତ କରୁଛି।
ବିଜେପି ମୁଖ୍ଯାଳୟ ସମ୍ମୁଖରେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବରେ ବିକ୍ଷୋଭ
ନୂଆଦିଲ୍ଲୀ : ବିଜେପିର ତାନାଶାହୀ ବିରୋଧରେ ଆମ୍ ଆଦମୀ ପାର୍ଟିର ଗର୍ଜନ। ନୂଆଦିଲ୍ଲୀ ବିଜେପି ମୁଖ୍ଯାଳୟ ସମ୍ମୁଖରେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ବରେ ବିକ୍ଷୋଭ। ସେଠାରେ ଆୟୋଜିତ ସମାବେଶରେ ଉଦବୋଧନ ଦେଇଛନ୍ତି କେଜରିୱାଲ। ସେ କହିଛନ୍ତି ଆପ୍ ନେତାଙ୍କ ବିରୋଧରେ କେନ୍ଦ୍ର ସରକାର ଚଳାଇଛନ୍ତି ଅପରେସନ ଝାଡୁ। ଆପ୍ ନେତାଙ୍କୁ ବିଜେପି ଟାର୍ଗେଟ କରୁଛି। ବହୁ ନେତାଙ୍କୁ ଗିରଫ କରାଯାଉଛି। ବିଜେପି ଯାହାକୁ ଇଚ୍ଛା ତାକୁ ଗିରଫ କରୁ ବୋଲି କହିଛନ୍ତି କେଜରିୱାଲ। ଆପ୍ ଏମପି ସ୍ବାତୀ ମାଲିୱାଲଙ୍କ ଅଭିଯୋଗ କ୍ରମେ ସହାୟକ ବିଭବ କୁମାର ଗିରଫ ହେବାପରେ ବିକ୍ଷୋଭ ନିଷ୍ପତ୍ତି ନେଇଥିଲେ କେଜରିୱାଲ। ସେ କହିଛନ୍ତି ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ସଞ୍ଜୟ ସିଂଙ୍କ ସମେତ ତାଙ୍କୁ ବି ଜେଲରେ ପୂରାଗଲା। ସମସ୍ତ ଆପ୍ ନେତାଙ୍କୁ ଜେଲରେ ପୂରାଇବା ଲାଗି ଯୋଜନା କରାଯାଉଛି।
ଶାଳୀନତା ଭୁଲିଯାଉଛନ୍ତି ଅପରାଜିତା ଏବଂ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଲା ବିଜେଡି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଲେ ସସ୍ମିତ ପାତ୍ର । ବାରମ୍ବାର କାହିଁକି ବିଜେପିର ଏହି ଦୁଇ ସାଂସଦ ଓଡ଼ିଶାର ବିକାଶକୁ ବିରୋଧ କରୁଛନ୍ତି ତାହା ସମସ୍ତଙ୍କୁ ଅାଶ୍ଚର୍ଯ୍ୟ କରୁଛି । ୫ବର୍ଷ କିଛି କରିପାରିଲେ ନାହିଁ ଯଦି ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ପାଇଁ କରୁଛନ୍ତି ରାଜ୍ୟବାସୀଙ୍କ ପାଇଁ କରୁଛନ୍ତି ତାହେଲେ କାହିଁକି ଅାପଣ ବିରୋଧ କରୁଛନ୍ତି । ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଶ୍ନରେ କାହିଁକି ଉତ୍ତର ନଦେଇ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନଙ୍କ ଉପରେ ଏତେ ଅପଶବ୍ଦ ବ୍ୟବହାର କରୁଛନ୍ତି ବୋଲି ପ୍ରଶ୍ନକଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ସାଂସଦ ଭାବେ ୫ ବର୍ଷ ରହିବା ପରେ ଓଡ଼ିଶା ଲାଗି କରିଛନ୍ତି କଣ ? ରାଜ୍ଯର ବିଭିନ୍ନ ସ୍ବାର୍ଥ ନେଇ କେନ୍ଦ୍ରମନ୍ତ୍ରୀ କରିଛନ୍ତି କଣ? ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ଯତା କାହିଁକି ଦିଆଗଲା ନାହିଁ? ବିଜୁ ବାବୁଙ୍କୁ କାହିଁକି ଭାରତ ରତ୍ନ ଦିଆଗଲା ନାହିଁ? ୧୪ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଷଡ଼ଯନ୍ତ୍ର କରି ବନ୍ଦ କରିଦେଲେ। ଚାଷୀଙ୍କ ଆୟ ବଢ଼ାଇବା, ଫସଲ ବୀମା ପ୍ରଦାନ କରିବା, ଏମଏସପି ଦୁଇଗୁଣ ପ୍ରତିଜ୍ଞା ଗଲା କୁଆଡେ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ତଥା ବିଜେ଼ଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର। ସେ କହିଛନ୍ତି- ବିଜେପି ନେତାମାନେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଅରୁଚିକ ମନ୍ତବ୍ଯ ଦେଉଛନ୍ତି। ବୟସ, ଅଭିଜ୍ଞତା ନେଇ ଅରୁଚିକର ମନ୍ତବ୍ଯ ଦେଉଛନ୍ତି। ଯାହା ଅତ୍ଯନ୍ତ ନିନ୍ଦନୀୟ। ସାଂସଦ ଅପରାଜିତା ଷଡ଼ଙ୍ଗୀ ହାରିବା ନିଶ୍ଚିତ।
ବିଜେପି ନେତାମାନେ ବାରମ୍ବାର ଅପମାନଜନକ ବକ୍ତବ୍ଯ ମୁଖ୍ଯମନ୍ତ୍ରୀଙ୍କ ବିରୋଧରେ ଦେଉଛନ୍ତି। ବୟସ, ଅଭିଜ୍ଞତା ନେଇ ଅରୁଚିକର ମନ୍ତବ୍ଯ ଦେଉଛନ୍ତି। ଏହା ରାଜନୀତିରେ ଶୋଭା ପାଏନି। ବିଜେଡି କେବେ ବି ବିଜେପିର ନେତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ଯ ଦେଇନାହିଁ। ମାତ୍ର ବିଜେପି ନେତାଙ୍କ ଏପରି ମନ୍ତବ୍ଯ ଅତ୍ୟନ୍ତ ନିନ୍ଦନୀୟ। ଭୁବନେଶ୍ବର ଲୋକସଭା କ୍ଷେତ୍ର ଲାଗି କଣ ରହିଛି ଅବଦାନ ବୋଲି ପ୍ରଶ୍ନ କରିଥିଲେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ହେଲେ ସାଂସଦ ନାନା ଅରୁଚିକର ମନ୍ତବ୍ଯ ଦେଇଥିବାରୁ ତାହାକୁ ନିନ୍ଦା କରିଛନ୍ତି ସସ୍ମିତ। ଓଡ଼ିଶାର ସ୍ବାର୍ଥ ବିରୋଧରେ ଅପରାଜିତା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କାମ କରୁଛନ୍ତି। ଏନଏଚ ୫୫ ବର୍ତ୍ତମାନ ସୁଦ୍ଧା ସମ୍ଭବ ହୋଇପାରିଲା ନାହିଁ। ଉପକୂଳ ରାଜପଥ ହେଲାନାହିଁ। ଇସ୍କନ ମନ୍ଦିର ସମ୍ମୁଖରେ କାହିଁକି ପାଣି ଜମୁଛି ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ।
ନାକଟିଦେଉଳରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସଭାରେ ଚେୟାର ଖାଲି
ସମ୍ବଲପୁର : ସମ୍ବଲପୁରରେ ଚାଲିଛି ଜୋରଦାର ପ୍ରଚାର । ବିଜେଡି ସୁନାମୀକୁ ସାମ୍ନା କରିବାକୁ କେନ୍ଦ୍ରରୁ ଆସୁଛନ୍ତି ଗଣ୍ଡା ଗଣ୍ଡା କେନ୍ଦ୍ରମନ୍ତ୍ରୀ । ସେହି ପରିପ୍ରେକ୍ଷୀରେ ସମ୍ବଲପୁର ରେଢ଼ାଖୋଲ ନାକଟିଦେଉଳରେ ବିକଶିତ ଭାରତ ବିଜୟ ସଂକଳ୍ପ ସମାବେଶ ରେ ଯୋଗ ଦେଇଥିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ରାଜନାଥ ସିଂ ଆସିଥିବା ଜନ ସାଧାରଣଙ୍କୁ ଉଦବୋଧନ ଦେବାକୁ ବାହାରିଲେ କିୁନ୍ତୁ ହଠାତ୍ କିଛି ଅଜବ ଦୃଶ୍ୟ ଦେଖିବାକୁ ପାଇଥିଲେ । ଏତେ ବଡ଼ ସଭାର ଆୟୋଜନ କରାଯାଇଥିଲା । ହେଲେ ଭାଷଣ ଦେଲାବେଳେ ଚେୟାର ରେ ଲୋକ ନ ଥିଲେ ଚେୟାର ସବୁ ଖାଲି ପଡିଥିଲା । ଟାଇଁ ଟାଇଁ ଖରାରେ ଆସିଥିବା ଲୋକଙ୍କୁ ପିଇବା ପାଣିର ସୁବିଧା ନ ଥିବା ବେଳେ ଲୋକେ ପାଣି ପାଇଁ ଏଣେତେଣେ ଖୋଜୁଥିଲେ ।
କେତେକ ଲୋକ ସଭାକୁ କାହିଁକି ଓ କାହାକୁ ଦେଖି ଆସିଛ ବୋଲି ପଚାରିବାରୁ କିଏ କହୁଥିଲା ମୁଖ୍ୟମନ୍ତ୍ରୀ ଆସିଛନ୍ତି ତ କିଏ କହୁଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖିବାକୁ ଆସିଛୁ । କିନ୍ତୁ କେହି ବି ଜାଣିନଥିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସିଥିଲେ । ସଭାରେ ଏତେ ଅବ୍ୟବ୍ୟସ୍ତ ହୋଇଥିଲା ଲୋକେ ରାଗରେ ଖପ୍ପା ହୋଇଯାଇଥିଲେ । ଲୋକେ ସଭା ଆରମ୍ଭରୁ ପଳାଉଥିବା ଦେଖାଯାଇଥିଲା ଓ ଆମକୁ ସଭାକୁ ଟେମ୍ପୋ ରେ ଆଣିଲେ ଓ ପହଁଚିଲେ 200 ଟଙ୍କା ଦେବୁ ବୋଲି କହି ଦେଇ ନ ଥିବାରୁଲୋକେ ଅଶାନ୍ତି ବ୍ୟକ୍ତ କରିଥିଲେ ।
ଯେତେ କେଳେଙ୍କାରୀ, ସବୁ ବିଜେପିରେ କୋଳାକୋଳି
ଭୁବନେଶ୍ୱର : ଯେତେ କେଳେଙ୍କାରୀ ନେତା ଅଛନ୍ତି ସବୁ କୋଳାକୋଳି ହେଉଛନ୍ତି ବିଜେପି ଭାଡ଼ିରେ । ଗୋଟିଏ ପରେ ଗୋଟିଏ ଜନ ବିରୋଧୀ ନେତା ଏବେ ସବୁ ଏକାଠି ବିଜେପି ଭାଡ଼ିରେ । ରାଜ୍ୟବାସୀ ଜାଣିଛନ୍ତି କେଳେଙ୍କାରୀ ନେତାଙ୍କର ଭବିଷ୍ୟତ କଣ ? ଜନବିରୋଧୀ ନେତାଙ୍କୁ କେମିତି ସାବାଡ଼ କରିହେବ ରାଜ୍ୟବାସୀ ବେସ ଭଲ ଭାବବରେ ଜାଣୀଛନ୍ତି । ଯେଉଁ ସମୀର ଦାଶଙ୍କୁ ହତ୍ୟା ଅଭିଯୁକ୍ତ କହି ଦିନେ ବିଜେପି ହଲ୍ଲାବୋଲ କରୁଥିଲା, ଯାହାଙ୍କ କେଳେଙ୍କାରୀର ଚିଠା ଧରି ତମ୍ବିତୋଫାନ କରୁଥିଲା, ଆଜି ସେହି ସମୀର ଦାଶଙ୍କୁ ଜ୍ବାଇଁପୁଅ ଭଳି ବାଟବରଣୀ କରି ନେଇଛି ବିଜେପି । ସମୀର ଦାଶ ବିଜେପିରେ ମିଶିବା ପରେ ରାଜ୍ୟବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ- ବିଜେପିର ନୀତି ନୈତିକତା ଅଛି ତ ? କାରଣ ୬ ମାସ ତଳେ ହତ୍ୟା ଅଭିଯୁକ୍ତ ବୋଲି ଯେଉଁ ସମୀର ଦାଶଙ୍କ ବିରୋଧରେ ବିଜେପି ଅଭିଯୋଗ ଆଣୁଥିଲା, ଆଜି ସିଏ କେମିତି ନିର୍ମଳ ଓ ଗେହ୍ଲାପୁଅ ହୋଇଗଲେ ? ସେଦିନ ହତ୍ୟାକାରୀ ବୋଲି କହି ଗାଳି ଦେଉଥିଲେ, ଆଜି କେମିତି ଆଦରି ନେଲେ ? ପୁରୀ ଜିଲ୍ଲା ଗୋପ୍ ବ୍ଲକ ୧୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ଯୁ ମାମଲାରେ ସମୀର ଦାଶଙ୍କ ହାତ ଥିବା ଅଭିଯୋଗ ହେଉଥିଲା । ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପାଇଁ ସମୀର ଦାଶ ଦାୟୀ ବୋଲି ଅଙ୍ଗୁଳି ଉଠିଥିଲା । ମୃତ ଧର୍ମେନ୍ଦ୍ରଙ୍କ ସ୍ତ୍ରୀଙ୍କୁ ସମୀର ଦାଶ ବ୍ଲାକମେଲ କରୁଥିବା ନେଇ ଆସିଥିଲା ସାଂଘାତିକ ଅଭିଯୋଗ ।
ସେତେବେଳେ ରାଜ୍ୟ ବିଜେପିର ତୁଙ୍ଗ ନେତାମାନେ ସମୀର ଦାଶଙ୍କ ବିରୋଧରେ ହଲ୍ଲାବୋଲ କରିଥିଲେ । ମାଳମାଳ ଭାଇରାଲ ଅଡିଓ ଏବଂ ଫଟୋ ଧରି ପୋଲ୍ ଖୋଲିଥିଲେ । ସମୀର ଦାଶଙ୍କ ବିବାଦୀୟ ଚରିତ୍ର ଓ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେଇନଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ତ୍ରିମଣ୍ଡଳରୁ ସମୀରଙ୍କୁ ନବୀନ ବାଦ୍ ଦେବା ସହ ପରବର୍ତ୍ତୀ ସମୟରେ ବିଜେଡି ଟିକେଟ ବି ଦେଇନଥିଲେ । ବିଜେଡି ପ୍ରତ୍ଯାଖ୍ୟାନ କରିଥିବା ବିବାଦୀୟ ସମୀର ଦାଶଙ୍କୁ ଆଜି କୋଳେଇ ନେଇଛି ବିଜେପି । ପୁଣିଥରେ ବିଜେପି ପ୍ରମାଣିତ କରିଛି ଯେ, ସବୁ ଗୁଣ୍ଡା, ବଦମାସ ଓ କେଳେଙ୍କାରୀ ବ୍ୟକ୍ତିଙ୍କ ପାଇଁ ସେ ହିଁ ଆଶ୍ରୟସ୍ଥଳୀ । ପୂର୍ବରୁ ବିଜେଡିରୁ ବହିଷ୍କୃତ ଜନବିରୋଧୀ ପ୍ରଦୀପ ପାଣିଗ୍ରାହୀ ଓ ଗୁଣ୍ଡା ପ୍ରଶାନ୍ତ ଜଗଦ୍ଦେବଙ୍କୁ ବି ଦଳକୁ ନେଇ ବିଜେପି ନିଜ ହୀନ ରାଜନୀତିର ପରିଚୟ ଦେଇଥିଲା । ଏବେ ସେହି ତାଲିକାରେ ଯୋଡ଼ି ହୋଇଛନ୍ତି ସମୀର ଦାଶ ।
ବିଜେପି କର୍ମୀ ଗୁଣ୍ଡାଗିରି କରୁଛନ୍ତି : ବିଜେଡି
ନନ୍ଦିଘୋଷ ବ୍ୟୁରୋ: ସିଇଓଙ୍କୁ ଫେରାଦ ହେଲା ବିଜେଡ଼ି ପ୍ରତିନିଧି ଦଳ। ମୁଁହରେ ରାମ ନାମ କହି ଛୁରି ଧରି ଚାଲନ୍ତି ବିଜେପି ନେତା। ଟିଟଲାଗଡ ନିର୍ବାଚନମଣ୍ଡଳିର ବିଜେପି ପ୍ରାର୍ଥୀ ନବୀନ ଜେନଙ୍କ ସମର୍ଥକ ଗତ ୧୭ ତାରିଖ ରାତି ୯ ଟା ୩୦ରେ ଜମୁତ ଗାଁରେ ବିଜେଡ଼ି କର୍ମୀଙ୍କୁ ଆକ୍ରମଣ କରିଥିଲେ । ବିଜେଡ଼ି ନେତ୍ରୀ ଟୁକୁନି ସାହୁଙ୍କ କିଛି ସମର୍ଥକ ବୋଲର ଗାଡିରେ ସେହି ରାସ୍ତା ଦେଇ ଯାଉଥିବା ବେଳେ ୫୦-୬୦ ଜଣ ଲୋକ ଆସି ସେମାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ସୁନା ଓ ଟଙ୍କା ନେଇଯାଇଛନ୍ତି। ଏହି ଘଟଣାରେ ଥାନାରେ ଅଭିଯୋଗ ପରେ କିଛି ଜଣଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଅନ୍ୟ ମାନଙ୍କୁ ଗିରଫ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ CEO ଙ୍କୁ ଭେଟି ଅନୁରୋଧ କରିଛନ୍ତି ବିଜେଡ଼ିର ପ୍ରତିନିଧି ଦଳ।
ବିଜେଡିରେ ଯୋଗଦେଲେ ସୋର ପୌର ପରିଷଦର ବହୁ ବିଜେପି ନେତା
ଭୁବନେଶ୍ବର: ବିଜେଡିରେ ମିଶିଲେ ସୋର ପୌର ପରିଷଦର ବହୁ ବିଜେପି ନେତା। ସସ୍ମିତା ଦାଶ, ରଞ୍ଜନ ଦାଶ, ଉର୍ମିଳା ରାଉତ, ରିୟା ରାଣୀ ସେଠି, ପବିତ୍ର ସେଠି, ସନ୍ଧ୍ୟା ମହାପାତ୍ର, ଲୋକନାଥ ରାଉତ, ବିଶ୍ୱ ରଞ୍ଜନ ଦାଶଙ୍କ ସମେତ ଅନେକ ନେତା ବିଜେପି ଛାଡି ବିଜେଡିରେ ମିଶିଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ବର୍ତ୍ତମାନର କାଉଁସିଲର ଅଛନ୍ତି। ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର। ଯୋଗଦାନରେ ବିଜେଡି ସୋରରେ ଆହୁରି ସଶକ୍ତ ହେବ। 2024 ରେ ବିଧାୟକ ଓ ସାଂସଦ ଅନେକ ଭୋଟରେ ଜିତିବେ। ବିଜେଡି ନେତା ଅଶୋକ ନାୟକ କହିଛନ୍ତି ମାଧବ ଧଡ଼ାଙ୍କୁ ଜିତାଇବାକୁ ଆମ ସହିତ ପାଦରେ ପାଦ ମିଶାଇ ସାମିଲ ହୋଇଥିବା ନେତାଙ୍କୁ ଶୁଭେଚ୍ଛା ଜଣାଉଛୁ।ଲଢେଇ ଏକ ତରଫା ହେବ। ସେହିଭଳି ରଞ୍ଜନ ଦାଶ କହିଛନ୍ତି ମୁଖ୍ୟମନ୍ତ୍ରୀ ବହୁ ବିକାଶ କରୁଛନ୍ତି। ତାହା ଆମେ ସୋର ପାଇଁ କରି ମାଧବ ଧଡ଼ାଙ୍କୁ ଜିତାଇବୁ ବୋଲି କହିଛନ୍ତି ।
ଆନନ୍ଦପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର
ନନ୍ଦିଘୋଷ ବ୍ୟୁରୋ: ଆନନ୍ଦପୁରର ହାଟଡିହିରେ ବିଜେଡି ସରକାର କରିଥିବା କାମର ଲମ୍ବା ତାଲିକା ରଖି ଭୋଟ ମାଗିଛନ୍ତି। ଜୟ ଜଗନ୍ନାଥ, ଜୟ ମା ତାରିଣୀ କହି ନିଜ ଭାଷଣ ଆରମ୍ଭ କରିଥିଲେ ପାଣ୍ଡିଆନ। ସାଧାରଣ ଜନତାଙ୍କ ଜୋଶ୍ ଦେଖି ବିରୋଧୀଙ୍କ ନିଦ ଭାଙ୍ଗି ଯାଇଥିବା କହିଛନ୍ତି ପାଣ୍ଡିଆନ। ଧରଣୀଧର ୟୁନିଭରସିଟି, ତାରିଣୀ ମନ୍ଦିରର ରୂପାନ୍ତରଣ, ମମତା ଯୋଜନା ପରି କାମର ଉଦାହରଣ ଦେଇ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଜଙ୍ଗଲଜାତ ଦ୍ରବ୍ଯ ବିକ୍ରି କରି ଆଦିବାସୀମାନେ ଯେମିତି ଉଚିତ ମୂଲ୍ଯ ପାଇବେ, ଆଦିବାସୀଙ୍କ ପୂଜାସ୍ଥଳୀର ବିକାଶ ପାଇଁ ଏସଡିସି ଗଠନ କରାଯାଉଥିବା ପାଣ୍ଡିଆନ କହିଛନ୍ତି।
ଏହା ସହିତ ଆଦିବାସୀଙ୍କ ବିରୋଧରେ ଥିବା ୫୦ ହଜାରରୁ ଅଧିକ ମାମଲା ପ୍ରତ୍ଯାହାର ପାଇଁ ମୁଖ୍ଯମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ପାଣ୍ଡିଆନ। ଜୁନ ୯ରେ ନବୀନ ପଟ୍ଟନାୟକ ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍ ଛାଡ଼, ଦ୍ବିତୀୟ ଦସ୍ତଖତରେ ସମସ୍ତଙ୍କ ପାଇଁ BSKY ନବୀନ କାର୍ଡ, ତୃତୀୟ ଦସ୍ତଖତରେ ୬୦ ବର୍ଷରୁ ଅଧିକ ବୟସର ମିଶନ ଶକ୍ତି ମାଆମାନଙ୍କ ପାଇଁ ପେନସନ ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି ପାଣ୍ଡିଆନ। ବିଜେଡିର ମାଗଣା ବିଜୁଳି କଥା ଶୁଣି ବିରୋଧୀଙ୍କୁ ସକ୍ ଲାଗିଛି। ବଡ଼ ମାର୍ଜିନରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ ଜନତାଙ୍କୁ ଆହ୍ଵାନ ଦେଇଛନ୍ତି ପାଣ୍ଡିଆନ।
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ମାଡ଼ି ଆସୁଛି ବାତ୍ୟା!
ନନ୍ଦିଘୋଷ ବ୍ୟୁରୋ: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହା ଅଧିକ ଘନୀଭୂତ ହୋଇ ନେଇପାରେ ବାତ୍ଯାର ରୂପ । ତେବେ ବାତ୍ଯା ହେବ କି ନାହିଁ, ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ। ଦକ୍ଷିଣ ତାମିଲନାଡୁ ଓ ଶ୍ରୀଲଙ୍କା ନିକଟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ମୌସୁମୀ ପ୍ରବାହ ଯୋଗୁଁ ପଶ୍ଚିମା ବାୟୁ ମଧ୍ୟ ଶକ୍ତିଶାଳୀ ହେବାରେ ଲାଗିଛି । ଏହି ଘୁର୍ଣ୍ଣିବଳୟ ୨ରୁ ୩ ଦିନ ମଧ୍ଯରେ ପୂର୍ବ ଦିଗକୁ ମୁହାଁଇବା ସହ ଆହୁରି ବଳ ଗୋଟାଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ୨୧ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ। ୨୨ ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଉତ୍ତର ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ଥିବାବେଳେ, କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି l ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଉତ୍ତର ଆନ୍ଧ୍ରପ୍ରଦେଶ ତଥା ଓଡିଶା ମୁହାଁ ହୋଇପାରେ। ତଥାପି ବର୍ତ୍ତମାନ ସୁଦ୍ଧା ଏହାକୁ ନେଇ କିଛି ସ୍ପଷ୍ଟ ଭାବେ ସୂଚନା ଆସିନାହିଁ। ତେବେ ଆଉ ଦୁଇ ଦିନ ଯାଏ ଗ୍ରୀଷ୍ମ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ଅପରାହ୍ନରେ ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ଼ର କିଛି ଅଞ୍ଚଳରେ ଘଡ଼ଘଡ଼ି ହେବାର ସମ୍ଭାବନା ।
ଆଣ୍ଡାମାନକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ନନ୍ଦିଘୋଷ ବ୍ୟୁରୋ: ଆଣ୍ଡାମାନକୁ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ରବିବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କୋମରିନ-ମାଳଦ୍ବୀପ, ଦକ୍ଷିଣ ବଙ୍ଗୋପ ସାଗର, ନିକୋବର ଏବଂ ଦକ୍ଷିଣ – ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହୋଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

