ଧାନର ସବର୍ନିମ୍ନ ସହାୟକ ମୂଲ୍ୟ ନେଇ ସ୍ୱାମୀନାଥନ କମିଟି ସୁପାରିସ୍ ଉପରେ କାହିଁକି ଗୁରୁତ୍ୱ ଦେଉଛି ବିଜେଡି ?

1 min read
Why BJD Focused In Swaminathan Report On Paddy MSP

ନୂଆଦିଲ୍ଲୀ: ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ହୋଇଛି । ଏଥିରେ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ସ୍ୱାମୀନାଥନ କମିଟିଙ୍କ ରିପୋର୍ଟ କଥା ଉଠାଇଥିଲେ । ସ୍ୱାମୀନାଥନ କମିଟି ରିପୋର୍ଟକୁ ଲାଗୁ କରିବାକୁ କାହିଁକି ବିଜେଡି ଦାବି କରୁଛି ସେନେଇ ଗୃହରେ ତଥ୍ୟ ରଖିଛନ୍ତି ଡ.ସସ୍ମିତ ପାତ୍ର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନର ଜବାବ ରଖିଛନ୍ତି ସସ୍ମିତ । ଧାନର ସବର୍ନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନେଇ ସ୍ୱାମୀନାଥନ କମିଟି ସୁପାରିସ୍ ଉପରେ କାହିଁକି ବିଜେଡି ଗୁରୁତ୍ୱ ଦେଉଛି ବୋଲି ଗତକାଲି ରାଜ୍ୟସଭାରେ ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Why BJD Focused In Swaminathan Report On Paddy MSP

ଏହାର ଜବାବରେ ବିଜେଡି ସାଂସଦ ସସ୍ମିତ ପାତ୍ର ଧାନର ସବର୍ନିମ୍ନ ସହାୟକ ମୂଲ୍ୟ କାହିଁକି କ୍ୱିଣ୍ଟାଲ ପିଛା ୨ ହଜାର ୯୩୦ ଟଙ୍କା ହେବା ଉଚିତ୍ ବିସ୍ତୃତ ଭାବେ ବୁଝାଇଛନ୍ତି । ସ୍ୱାମୀନାଥନ କମିଟିର ସୁପାରିସ୍ ଅନୁସାରେ ଧାନର A-୨ ଦାମ୍ ୧ ହଜାର ୧୬୬ଟଙ୍କା ଯାହା କେବଳ ଉତ୍ପାଦନ ଖର୍ଚ୍ଚ । ଏବଂ ଏହା ଉପରେ ଦେଢଗୁଣା ଏମ୍‌ଏସ୍‌ପି ବୃଦ୍ଧି କରି କେନ୍ଦ୍ର ସରକାର ୧ ହଜାର ୭୫୦ଟଙ୍କା ରଖିଛନ୍ତି । ହେଲେ A-୨ ଖର୍ଚ୍ଚ ଉପରେ ମଜୁରୀ, ବିହନ, ସାର, କିଟନାଶକ ଖର୍ଚ୍ଚ ମିଶିଲେ ଏହା ଏଫ୍ଏଲ୍(ଫୁଲ ଲେବର) ଦାମ୍ ଏବଂ ଏଥିରେ ଜମିର ଭଡ଼ା ଏବଂ ସୁଧ ମିଶିଲେ ଏହା C୨ ଭାବେ ପରିଗଣିତ ହୁଏ ।

ସ୍ୱାମୀନାଥନ କମିଟି C୨ ଦାମ୍ ଉପରେ ଏମ୍ଏସ୍‌ପି ଦେଢଗୁଣା ଦେବାକୁ ସୁପାରିଶ କରିଥିବା ବେଳେ କେନ୍ଦ୍ର ସରକାର ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ସସ୍ମିତ କହିଛନ୍ତି । ୨୦୧୭ ମସିହାରେ ଓଡ଼ିଶା ବିଧାନସଭାରେ ଧାନର କ୍ୱିଣ୍ଟାଲ ପିଛା ସବର୍ନିମ୍ନ ସହାୟକ ମୂଲ୍ୟ ସ୍ୱାମୀନାଥନ କମିଟି ସୁପାରିସ୍ ଅନୁସାରେ ୨ ହଜାର ୯୩୦ଟଙ୍କା କରିବାକୁ ସବର୍ସମ୍ମତ ପ୍ରସ୍ତାବ ଅଣାଯାଇଥିଲା ।

Leave a Reply