ଆଜି ଶପଥ ନେବେ ଜୋ ବିଡେନ୍, ଓ୍ୱାସିଂଟନ୍‌ ୨୫ ହଜାର ଯବାନଙ୍କ ଦ୍ୱାରା ସୁରକ୍ଷା ଦୁର୍ଗରେ ପରିଣତ

ଆମେରିକା: ଆଜିଠୁ ଆମେରିକାରେ ବିଡେନ୍ ସରକାର। ଓ୍ୱାର୍ ଜୋନ୍‌ ବା ଯୁଦ୍ଧକ୍ଷେତ୍ର ଭଳି ସୁରକ୍ଷା ବଳୟ ମଧ୍ୟରେ ଆଜି ଶପଥ ନେବେ ଜୋ ବିଡେନ୍। ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ବିଡେନ୍ ଶପଥ ନେବେ। ଭାରତୀୟ ସମୟ ଅନୁସାରେ ରାତି ସାଢେ ୧୦ଟାରେ ହେବ ଶପଥଗ୍ରହଣ। ଉତ୍ସବ ପାଇଁ ଓ୍ୱାସିଂଟନ ଡିସି ଓ ଏହାର ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପାରମ୍ପରିକ ଭାବେ ଆଇନଜୀବୀ, ସୁପ୍ରିମକୋର୍ଟ ବିଚାରପତି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବରେ ସାମିଲ ହେବେ।

ସମାରୋହରେ ଲେଡି ଗାଗା ଜାତୀୟ ସଙ୍ଗୀତ ପରିବେଷଣ କରିବେ। ଶପଥ ଗ୍ରହଣ ଉତ୍ସବ ସ୍ଥଳରେ ପୋଲିସ ସମେତ ଯବାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ତେବେ ବିଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେନି ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏନେଇ ପୂର୍ବରୁ ସେ ଘୋଷଣା କରିଛନ୍ତି। ପରିସ୍ଥିତିକୁ ନଜରରେ ରଖି ଓ୍ୱାସିଂଟନ ଡିସିରେ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଟ୍ରମ୍ପ ସମର୍ଥକଙ୍କ ବିଦ୍ରୋହ ଡାକରା ଯୋଗୁ ଏହି ଉତ୍ସବରେ ବିଡେନ୍‌ଙ୍କ ସମର୍ଥକଙ୍କୁ ଘରେ ରହିବାକୁ କୁହାଯାଇଛି।

ଗତ ଡିସେମ୍ବର ମାସରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା। ଏଥିରେ ବିଡେନ୍‌ ବିଦାୟୀ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପଙ୍କୁ ବହୁ ଭୋଟରେ ହରାଇଥିଲେ। ହେଲେ ନିର୍ବାଚନ ଫଳାଫଳ ମାନିବାକୁ ଟ୍ରମ୍ପ ପ୍ରସ୍ତୁତ ନଥିଲେ। ସ୍ଥିତି ଏଭଳି ହୋଇଥିଲା ଯେ, ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟୋଲ ବିଲ୍ଡିଂ ଭିତରକୁ ଧସେଇ ପଶି ହିଂସା ଘଟାଇଥିଲେ। ତେଣୁ ଶପଥ ଗ୍ରହଣ ଉତ୍ସବ ଦିନ ଓ ଏହାପରେ ରାଜଧାନୀ ଓ୍ୱାସିଂଟନ ସମେତ ଆମେରିକାର ସବୁ ରାଜ୍ୟର ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Leave a Reply