ଅର୍ଥମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ; ଦୁଇ ବିଭାଗକୁ ବଜେଟରେ ସର୍ବାଧିକ ଗୁରୁତ୍ୱ

ନୂଆଦିଲ୍ଲୀ: ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବଜେଟର ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲୋକସଭାରେ ବଜେଟ ଆଗତ କରିବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଚଳିତ ବଜେଟରେ ମୁଖ୍ୟ ଦୁଇଟି ବିଭାଗକୁ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ । ସ୍ୱାସ୍ଥ୍ୟ ଏବଂ ଇନଫ୍ରାଷ୍ଚ୍ରକଚରକୁ ଚଳିତ ବଜେଟରେ କେନ୍ଦ୍ର ସରକାର ପ୍ରାଧାନ୍ୟ ଦେଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଚଳିତ ବଜେଟରେ ସବୁ କ୍ଷେତ୍ରକୁ ସ୍ପର୍ଶ କରାଯାଇଛି । କିନ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । ଯେଉଁଥିପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ୨.୨୪ ଲକ୍ଷ କୋଟିର ଆର୍ଥିକ ରାଶି ଦିଆଯାଇଛି । ସରକାର କରୋନା ମହାମାରୀ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଛନ୍ତି । ଭାରତ ମଧ୍ୟ ଏହି ମୁକାବିଲାରେ ସଫଳ ହୋଇଛି । କରୋନା ଭ୍ୟାକ୍ସିନ ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଉଁଥିପାଇଁ ୩୫ ହାଜର କୋଟିର ଆର୍ଥିକ ରାଶି ବ୍ୟୟ ଅଟକଳ କରାଯାଇଥିବା ମଧ୍ୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏହି ବଜେଟ ଗ୍ରାମୀଣ ବିକାଶ ଠାରୁ ଆରମ୍ଭ କରି କୃଷିକ୍ଷେତ୍ର, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି । ଗ୍ରାମୀଣ ବିକାଶ ପାଇଁ ୪୦ ହଜାର କୋଟି, କୃଷି କ୍ଷେତ୍ର ପାଇଁ ସାଢେ ୧୬ ଲକ୍ଷର ଆର୍ଥିକ ରାଶି ବଜେଟରେ ସ୍ଥାନ ପାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକରୁ ଅଧିକ ଉନ୍ନତି କରିବା ସହ ପ୍ରତିରକ୍ଷା ବିଭାଗକୁ ଶକ୍ତିଶାଳୀ କରିବା ପାଇଁ ମଧ୍ୟ କେନ୍ଦ୍ରୀୟ ବଜେଟରେ ଅର୍ଥ ପ୍ରଦାନ କରାଯାଇଥିବା ପ୍ରେସମିଟରେ କହିଛନ୍ତି ଅର୍ଥମନ୍ତ୍ରୀ ।

ସେହିପରି ପ୍ରଥମ ଥର ପାଇଁ ଲୋକସଭାରେ ମୋଦି ସରକାର ଆଣିଛନ୍ତି ପେପରଲେସ ବଜେଟ । କୋଭିଡ ଦୂର ହେବା ପରେ ଏହି ବଜେଟ ଦେଶର ପ୍ରଥମ ବାର୍ଷିକ ବଜେଟ । କୋଭିଡକୁ ପ୍ରତିହତ କରିବା ସହ ଭ୍ୟାକ୍ସିନ ବିତରଣକୁ ବଢାଇବା ପାଇଁ ସରକାର ପ୍ରତିବଦ୍ଧ । ଚଳିତ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବା ସହ ବଜେଟ ଅର୍ଥ ୧୩୭ ପ୍ରତିଶତକୁ ବୃଦ୍ଧି କରାଯାଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ନିର୍ମଳା ସୀତାରମଣ ।

Leave a Reply