ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଓଡ଼ିଶାରେ ନିର୍ବାଚନ ମାହୋଲ୍ । ଦେଶରେ ପଞ୍ଚମ ତଥା ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ମେ’୨୦ ରେ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ତାସହ ନାମାଙ୍କନ ଦାଖଲ ପ୍ରକ୍ରିୟା ବି ଆରମ୍ଭ ହେଉଛି । ମେ ୩ ତାରିଖରେ ନାମାଙ୍କନ ସରି ୪ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୬ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ଯାହାରର ସୁଯୋଗ ରହିଛି । ଏହାପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇ ମେ’ ୨୦ରେ ନିର୍ବାଚନ ହେବ ।

ଏହି ପର୍ଯ୍ୟାୟରେ ୫ଟି ଲୋକସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ । ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସ୍କାରେ ମତଦାନ ହେବ । ଏହି ୫ ଆସନ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବରଗଡରେ ବିଜେଡି ପରିଣିତା ମିଶ୍ରଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ପ୍ରଦୀପ ପୁରୋହିତ ଓ କଂଗ୍ରେସ ସଞ୍ଜୟ ଭୋଇଙ୍କୁ ପ୍ରାର୍ଥୀ କରିଛି । ସୁନ୍ଦରଗଡ଼ରେ ବିଜେଡିର ଦିଲ୍ଲୀପ ତିର୍କୀ, ବିଜେପିର ଜୁଏଲ ଓରାମ ଓ କଂଗ୍ରେସର ଜନାର୍ଦ୍ଦନ ଦେହୁରୀଙ୍କ ମଧ୍ଯରେ ଟକ୍କର ହେବ ।

ସେହିପରି ବଲାଙ୍ଗୀରରେ ବିଜେଡିର ସୁରେନ୍ଦ୍ର ସିଂଭୋଇ ବିଜେପିର ସଙ୍ଗୀତା ସିଂହଦେଓ ଓ କଂଗ୍ରେସ ମନୋଜ ମିଶ୍ର ପ୍ରାର୍ଥୀ ହୋଇଛନ୍ତି । ସେହିପରି କନ୍ଧମାଳରେ ଅଚ୍ଯୁତ ସାମନ୍ତଙ୍କୁ ବିଜେଡି ରିପିଟ୍ କରିଥିବାବେଳେ ବିଜେପି ସୁକାନ୍ତ ପାଣିଗ୍ରାହୀ ଓ କଂଗ୍ରେସ ଅମିରଚାନ୍ଦ ନାୟକଙ୍କୁ ପ୍ରାର୍ଥୀ କରିଛି । ଆସିକା ଲୋକସଭାରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ଫାଇଟ । ଏଠାରେ ବିଜେଡି ଏଥର ନବାଗତା ରଞ୍ଜିତା ସାହୁଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ଅନୀତା ଶୁଭଦର୍ଶିନୀ ଓ କଂଗ୍ରେସ ଦେବକାନ୍ତ ଶର୍ମାଙ୍କୁ ମଇଦାନକୁ ଓହ୍ଲାଇଛି ।