ଅମିତ ଶାହଙ୍କ ଗସ୍ତକୁ ନେଇ ରାଜ୍ଯ ବିଜେପିକୁ ସମାଲୋଚନା କଲେ ଭୃଗୁ ବକ୍ସିପାତ୍ର

1 min read

ବ୍ରହ୍ମପୁର: ହତାଶ ଓଡ଼ିଶା ବିଜେପି କର୍ମୀଙ୍କୁ ଉତ୍ସାହିତ କରିବାକୁ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହଙ୍କ ଗସ୍ତକୁ ନେଇ ରାଜ୍ଯ ବିଜେପିକୁ ସମାଲୋଚନା କରି ଏପରି କହିଛନ୍ତି ବିଜେଡି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର । ସେ କହିଛନ୍ତି, ରାଜ୍ଯ ବିଜେପି ନେତାଙ୍କ ଅପାରଗତା କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭଲଭାବେ ଜଣା । ୨୦୦୯ ମସିହାରୁ ଏଯାଏଁ ଓଡ଼ିଶାବାସୀଙ୍କ ବିଶ୍ବାସ ଜିତିପାରିନି ବିଜେପି । ରାଜ୍ଯ ନେତାମାନଙ୍କ ଉପରେ ଭରସା ପାଉନଥିବାରୁ କର୍ମୀଙ୍କୁ ଉତ୍ସାହିତ କରିବାକୁ ଶାହ ଓଡ଼ିଶା ଆସିଥିଲେ । କାରଣ ସେମାନେ ନିର୍ବାଚନ ଫଳାଫଳ କଣ ହେବ ସେକଥା ଜାଣିସାରିଲେଣି । ଏଣୁ ନିରାଶ କର୍ମୀଙ୍କ ମନରେ ଉତ୍ସାହିତ କରିବା ହିଁ ଓଡ଼ିଶା ଗସ୍ତର ମୁଖ୍ଯ ଉଦ୍ଦେଶ୍ଯ ରହିଥଇଲା ।

ସାରା ଦେଶରେ ନବୀନ ଓଡି଼ଶା ଏକ ମଡେଲ ଭାବେ ପରିଚିତ ହୋଇଛି । ସ୍ବାସ୍ଥ୍ଯ, ଶିକ୍ଷା, ରୋଜଗାର, କୃଷକଙ୍କ ଉନ୍ନତିରେ ଓଡ଼ିଶା ଅନ୍ଯ ରାଜ୍ଯମାନଙ୍କ ପାଇଁ ଉଦାହରଣ ।  ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ନୀତିକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି । ବିଗତ ୧୦ ବର୍ଷରେ ଓଡ଼ିଶାର ଅନେକ ଉପଲବ୍ଧି ପାଇଁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । ବିଭିନ୍ନ ସମୟରେ ପ୍ରତିଷ୍ଠିତ ଏଜେନ୍ସିଙ୍କ ସର୍ଭେ ରିପୋର୍ଟରେ ନବୀନ ଏକ ନମ୍ବର ମୁଖ୍ଯମନ୍ତ୍ରୀ ହୋଇଛନ୍ତି । ଓଡ଼ିଶା ଏକମାତ୍ର ରାଜ୍ଯ ଯିଏ ଚାଷୀମାନଙ୍କ ଆୟକୁ ଦୁଇଗୁଣା କରିପାରିଛି । ବେକାରୀ ହ୍ରାସରେ ଓଡ଼ିଶା ଏକ ନମ୍ବର ହୋଇଥିବାବେଳେ ବିଜେପି ଶାସିତ ରାଜ୍ଯରେ ସ୍ଥିତି ଉଦବେଗଜନକ । ମହିଳା ସଶକ୍ତିକରଣରେ ନବୀନ ଓଡ଼ିଶା ଏକ ମଡେଲ । ଯାହାକୁ ଅନ୍ଯ ରାଜ୍ଯ ଓ କେନ୍ଦ୍ର ସରକାର ମଧ୍ଯ ଅନୁକରଣ କରୁଛନ୍ତି ।

ମାତ୍ର ମହିଳାଙ୍କ ଏକ୍ସପୋଜର ଭିଜିଟକୁ ଓଡ଼ିଶା ବିଜେପି ନେତା ଷଡ଼ଯନ୍ତ୍ର କରି ବନ୍ଦ କରିଦେଇଛି । ଓଡ଼ିଶାର ମହିଳାମାନେ ସଶକ୍ତ ହେଲେ ଓଡ଼ିଶା ବିଜେପି ନେତାଙ୍କ ଦେହରେ ଯାଉନି । ବିଏସକେୱାଇ ହେଉଛି ଦେଶରେ ଅନନ୍ଯ ଯୋଜନା । ଏହାକୁ ବି ବନ୍ଦ କରିବାକୁ ବିଜେପି ନେତା ଷଡ଼ଯନ୍ତ୍ର କରୁଛି । ଫାଇଭ-ଟି ମାଧ୍ଯମରେ ରାଜ୍ଯରେ ୭ ହଜାର ସ୍କୁଲର ରୂପାନ୍ତରଣ ହୋଇଛି । ମାତ୍ର ଓଡ଼ିଶାରେ ଥିବା କୌଣସି କେନ୍ଦ୍ରୀୟ ବିଦ୍ଯାଳୟରେ ସ୍ମାର୍ଟ କ୍ଲାସରୁମ ହୋଇପାରଲାନି । ନବୀନଙ୍କ ନେତୃତ୍ବରେ ରାଜ୍ଯରେ ଦୃତ ବିକାଶ, ଦୃଢ ବିକାଶ, ନିରନ୍ତର ବିକାଶ ଚାଲିଛି । ସେଥିରେ କୌଣସି ବିରତି ଲାଗିନି । ଆଗକୁ ମଧ୍ଯ ଏହି ଧାରା ଜାରି ରହିବ ବୋଲି ଭୃଗୁ କହିଛନ୍ତି ।