ବିଗୁଡୁଛି ରାଜ୍ୟ ଅର୍ଥନୀତି, କିନ୍ତୁ ଶୁଣୁନି କେନ୍ଦ୍ର

1 min read

ଭୁବନେଶ୍ୱର: କରୋନା ମହାମାରୀ ରାଜ୍ୟ ଅର୍ଥନୀତି ଉପରେ ବଡ଼ ପ୍ରଭାବ ପକାଇଛି । ଅର୍ଥନୀତିକୁ ବାଲାନ୍ସ କରିବା ପାଇଁ ରାଜ୍ୟ ସରକାର କେତେକ କଟକଣା ଜାରି କରିଛନ୍ତି । ବହୁ କ୍ଷେତ୍ରରେ ଅର୍ଥକାଟ କରାଯାଇଛି । ସେପଟେ କିନ୍ତୁ କେନ୍ଦ୍ରଠାରୁ ରାଜ୍ୟ ଯେଉଁ ପ୍ରାପ୍ୟ ପାଇବା କଥା, ତାହା ପାଉନଥିବାରୁ ଏହି ସଙ୍କଟ ସମୟରେ ଆର୍ଥିକ ବୋଝ ବଢୁଛି । ବକେୟା ଅର୍ଥ ଦେବା ପାଇଁ କେନ୍ଦ୍ରକୁ ରାଜ୍ୟ, ବାରମ୍ବାର ଦାବି କରୁଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ସେପଟେ ରାଜ୍ୟ ପ୍ରାପ୍ୟ, କେନ୍ଦ୍ର ଦେଉନଥିବାରୁ କେନ୍ଦ୍ରକୁ ଟାର୍ଗେଟ କରିଛି କଂଗ୍ରେସ । ଏ ପ୍ରସଙ୍ଗରେ ମାପିଚୁପି ବୟାନ ଦେଇଛି ରାଜ୍ୟ ବିଜେପି ।

କରୋନା ଯୋଗୁଁ ପ୍ରଭାବିତ ହୋଇଛି ରାଜ୍ୟ ଅର୍ଥନୀତି । ଅର୍ଥନୀତିରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଖର୍ଚ୍ଚକାଟ କରିଛନ୍ତି । ତେବେ ଏହି ସଙ୍କଟ ସମୟରେ ରାଜ୍ୟ କେନ୍ଦ୍ର ଠାରୁ ଯେଉଁ ବକେୟା ଅର୍ଥ ପାଇବା କଥା ତାହା ପାଉନାହିଁ । ଯାହା ରାଜ୍ୟ ସରକାରଙ୍କ ଅର୍ଥନୀତିକୁ ଅଧିକ ପ୍ରଭାବିତ କରିଛି । GST ବାବଦରେ ୨ ହଜାର କୋଟି ଟଙ୍କା କ୍ଷତିପୂରଣ ଏଯାଏଁ ରାଜ୍ୟ ସରକାର ପାଇନାହାନ୍ତି ।

ସେହିପରି ଧାନ ସଂଗ୍ରହ ବାବଦରେ ପାଖାପାଖି ୨୬ଶହ କୋଟି ଟଙ୍କା କେନ୍ଦ୍ର ପାଖରେ ବକେୟା ଅଛି । ଏହାଛଡ଼ା ୪ ବର୍ଷ ହେବ କୋଇଲା ରୟାଲଟି ସଂଶୋଧନ କରିଯାଇ ନାହିଁ । ଯାହାର ସିଧାସଳଖ ପ୍ରଭାବ ରାଜ୍ୟ ଅର୍ଥନୀତି ଉପରେ ପଡ଼ିଛି । କରୋନା ସଂଙ୍କଟ ସମୟରେ କେନ୍ଦ୍ର ରାଜ୍ୟକୁ ଏହି ବାକି ଅର୍ଥ ଦେଲେ ରାଜ୍ୟ ଅର୍ଥନୀତିରେ ସୁଧାର ଆସିବ ପାରିବ ବୋଲି କଂଗ୍ରେସ ଦାବି କରିଛି ।

ସେପଟେ ବିଜେପି କେନ୍ଦ୍ର ପାଉଣା ବାବଦରେ ମାପିଚୁପି ବୟାନ ଦେଇଛି । କେନ୍ଦ୍ର ବକେୟା GST ବାବଦରେ କାହିଁକି ଅର୍ଥ ଦେଇନାହିଁ ତାହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଲୋଚନା ପରିସର ଭୁକ୍ତ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି । ସେପଟେ  GST ବାବଦ କ୍ଷତିପୂରଣ ଠାରୁ ବିଭିନ୍ନ ବକେୟା ପାଉଣା କେନ୍ଦ୍ର ଓଡ଼ିଶାକୁ ଦେବାକୁ ରାଜ୍ୟ ବାରମ୍ବାର ଦାବି କରୁଥିବା ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ କହିଛନ୍ତି ।

କୋଭିଡ୍-୧୯ ମହାମାରୀରେ କିପରି ରାଜ୍ୟର ଆର୍ଥିକ ସ୍ଥିତି ସୁଧୁରିବ ସେ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ଅର୍ଥନୈତିକ ସମୀକ୍ଷକ । GST କ୍ଷତିବାବଦ ଅର୍ଥ ସହ ଧାନ ସଂଗ୍ରହର ବକେୟା ଅର୍ଥ ଦେଲେ ଓଡ଼ିଶା କିଛି ମାତ୍ରାରେ ଏହି ସଙ୍କଟରୁ ମୁକୁଳିପାରିବ ବୋଲି ଅର୍ଥନୈତିକ ସମୀକ୍ଷକ ମତ ଦେଇଛନ୍ତି । କେନ୍ଦ୍ର ପାଖରେ ରାଜ୍ୟ ବିଭିନ୍ନ ଟିକସ ବାବଦରେ ୭ ହଜାର କୋଟି ଟଙ୍କା ପାଇବ । ଏହି ବକେୟା ଅର୍ଥ ପାଇଁ କେନ୍ଦ୍ର ପାଖରେ ଓଡ଼ିଶା ବାରମ୍ବାର ଦାବି କରୁଛି ।

(ଭୁବନେଶ୍ୱରରୁ ଚିନ୍ମୟ ମହାପାତ୍ର)

Leave a Reply