ଆବଶ୍ୟକତା ପୂରଣ ପାଇଁ ସର୍ଭେ କରିବ ଆପ୍

ସୁନ୍ଦରଗଡ଼: ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ପ୍ରଶାସନ ମାଇକ୍ରୋ ପ୍ରୋଜେକ୍ଟ ପ୍ଲାନ ବା ଅଣୁ ପ୍ରକଳ୍ପ ଯୋଜନା ଆରମ୍ଭ କରିବାକୁ ଯାଉଛି। ତୃଣମୂଳ ସ୍ତରରେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ମୋବାଇଲ ଆପ୍‌ ଜରିଆରେ ଏକ ସର୍ଭେ ହେବ। ଏହି ‘ବେସଲାଇନ୍‌ ସର୍ଭେ’ ଆପକୁ ସୋମବାର ଦିନ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଛନ୍ତି।

ଅଣୁ ପ୍ରକଳ୍ପ ଯୋଜନା ଏବଂ ଏହି ସର୍ଭେ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବେଳେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇଏସଡି ବୈଷୟିକ ସହାୟତା ଯୋଗାଇ ଦେଉଛି। ଓ୍ୱାଇଏସଡି ସହିତ ଆଉ ଦୁଇଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାରଦା ଏବଂ ନିୟତି ଫାଉଣ୍ଡେସନକୁ ସର୍ଭେ ଦାୟିତ୍ୱ ଦିଆଯାଇଛି।

ପ୍ରଭାବିତ ହେମଗିରି, କୋଇଡ଼ା, କୁତ୍ରା, ଲହୁଣିପଡ଼ା, କୁଆରମୁଣ୍ଡା ଏବଂ ରାଜଗାଙ୍ଗପୁର ବ୍ଲକରେ ଏହି ସର୍ଭେ କରାଯିବ। ୨୯ଟି ଗ୍ରାମ ପଞ୍ଚାୟତର ୧୮୫ଟି ଗ୍ରାମରେ ସର୍ଭେ ହେବ। ୪୦ ହଜାର ଲୋକଙ୍କୁ ଏଥିରେ ଯୋଡ଼ାଯିବ। ସ୍ୱେଚ୍ଛାସେବୀମାନେ ଘରକୁ ଘର ବୁଲି ମୋବାଇଲ ଆପ ଜରିଆରେ ଲୋକଙ୍କ ମତାମତ ସଂଗ୍ରହ କରିବେ। ୩ରୁ ୪ ମାସ ଧରି ଏହି ସର୍ଭେ ଚାଲିବ। ଲୋକଙ୍କ ମତାମତକୁ ଆଧାର କରି ପ୍ରଶାସନ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ଅଣୁ ପ୍ରକଳ୍ପ ଯୋଜନା ମାଧ୍ୟମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଲାଗୁ କରିବାର ବ୍ୟବସ୍ଥା କରାଯିବାକୁ ନିଷ୍ପତି ହୋଇଛି।

Leave a Reply