ମହାବାତ୍ୟା ବେଳେ ଓଡ଼ିଶାରେ ଥିଲେ ତିନି ଦିନ, ମଟରସାଇକେଲରେ ବୁଲିଥିଲେ

ଭୁବନେଶ୍ୱର: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି । ୮୪ ବର୍ଷ ବୟସରେ ଦୁନିଆରୁ ମେଲାଣି ନେଇଛନ୍ତି ପ୍ରଣବ ବାବୁ । ଭାରତୀୟ ରାଜନୀତିର ଭଦ୍ରଲୋକ । ଏକ ବଙ୍ଗୀୟ ମଧ୍ୟବିତ୍ତ ପରିବାରରୁ ଆସିଥିବା ପ୍ରଣବଙ୍କର ଇତିହାସ ଓ ସଂସ୍କୃତିରେ ଥିଲା ଗଭୀର ରୁଚି । ସେହି କ୍ରମରେ ଓଡ଼ିଶା ସହ ଥିଲା ତାଙ୍କର ସଂପର୍କ ନିବିଡ଼ । ଓଡ଼ିଶାର ଇତିହାସ ଓ ସଂସ୍କୃତି ତାଙ୍କୁ ବେସ ପ୍ରଭାବିତ କରିଥିଲା । ଏହା ଅନେକ ସମୟରେ ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି ।

tarunkanti with pranab
ମହାବତ୍ୟା କାଳରେ ରାମନଗର ଅଂଚଳରେ ପ୍ରଣବ ମୁଖାର୍ଜୀ

ଓଡ଼ିଶା ସହ ବଙ୍ଗ ପ୍ରଦେଶର ସମ୍ପର୍କ ବାବଦରେ ଥରେ ଆଲୋଚନା କରି ସେ ରବୀନ୍ଦ୍ରନାଥ ଟାଗୋରଙ୍କୁ ସ୍ମରଣ କରିଥିଲେ । ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ କେମିତି ବିଶ୍ୱକବିଙ୍କୁ ପ୍ରଭାବିତ କରିଥିଲା ସେ କଥା କହିଥିଲେ ପ୍ରଣବ ମୁଖାର୍ଜୀ । ଓଡ଼ିଶା ଓ ରବିନ୍ଦ୍ରନାଥଙ୍କ ସଂପର୍କକୁ ମନେ ପକାଇ ସେ ଜଗତସିହଂପୁର ପାଣ୍ଡୁଆ ଗାଁ କଥା ଏକ ସଭାରେ କହିଥିଲେ । ଜଗତସିଂହପୁରର ପାଣ୍ଡୁଆ ଗାଁରେ ରବିନ୍ଦ୍ରନାଥଙ୍କ ଜେଜେବାପାଙ୍କ ଜମିଦାରୀ ଥିଲା । ଏହି କ୍ରମରେ ତାଙ୍କର ଓଡ଼ିଶା ଆସିବା ହେଉଥିଲା । ପୁରୀର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ରବିନ୍ଦ୍ରନାଥ ଜଗନ୍ନାଥପୁରୀରେ ଘର କରିଥିଲେ ।

tarunkanti with pranab
୨୦୧୩ରେ ଭୁବନେଶ୍ୱର ରାଜଭବନରେ ପ୍ରଣବଙ୍କୁ ସାକ୍ଷାତ କରୁଛନ୍ତି ତରୁଣକାନ୍ତି

ପ୍ରଣବଙ୍କ ଓଡ଼ିଶାକୁ ଭଲ ପାଇବା କେତେ ଥିଲା ତାହା ୧୯୯୯ ମସିହାର ମହାବାତ୍ୟା ପରେ ଜଣା ପଡ଼ିଥିଲା । ସେତେବେଳେ କଂଗ୍ରେସର ମହାସଚିବ ଥିବା ପ୍ରଣବ ତିନି ଦିନ ପାଇଁ କେନ୍ଦ୍ରାପଡାରେ ରହିଥିଲେ । କେନ୍ଦ୍ରାପଡାର ରାମନଗର ଅଂଚଳରେ ମହାବାତ୍ୟା ପ୍ରଭାବିତ ଅଂଚଳର ଦୂରାବସ୍ଥାକୁ ନିଜ ଆଖିରେ ଦେଖିଥିଲେ । ସେହି ସମୟରେ ରାମନଗରର ତରୁଣକାନ୍ତି ନାମକ ଯୁବକଙ୍କ ମୋଟର ସାଇକେଲରେ ସେ ତିନି ଦିନ ଧରି ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିଥିଲେ । ଏହି ସମୟରେ ପ୍ରଣବ ବାବୁ ତରୁଣକାନ୍ତିଙ୍କ ଘରେ ଖାଇଥିଲେ ମଧ୍ୟ । ତରୁଣକାନ୍ତିଙ୍କ ଘରେ ସେ ମାଛ ତରକାରୀ ଓ ଭାତ ଖାଇଥିଲେ ।

tarunkanti with pranab
ମହାବାତ୍ୟା ପରେ ରାମନଗରରେ ପ୍ରଣବ

୨୦୧୩ ମସିହାରେ ଯେତେବେଳେ ପ୍ରଣବ ମୁଖାର୍ଜୀ ରାଷ୍ଚ୍ରପତି ଭାବେ ଓଡ଼ିଶା ଗସ୍ତରେ ଆସିଥିଲେ, ସେତେବେଳେ ତରୁଣକାନ୍ତିଙ୍କୁ ସାକ୍ଷାତ କରିଥିଲେ । ରାଷ୍ଟ୍ରପତି ପୁରୀରେ ଜଗନ୍ନାଥ ଦର୍ଶନ ପାଇଁ ଯାଇଥିଲେ । ସେହି ସମୟରେ ତରୁଣକାନ୍ତିଙ୍କ ଗାଁର ଅନେକ ଲୋକ ରାଷ୍ଚ୍ରପତିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ତରୁଣକାନ୍ତି ମଧ୍ୟ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାକୁ ରାଷ୍ଟ୍ରପତି ଭବନର ସଚିବଙ୍କୁ ଇମେଲ୍ କରିଥିଲେ । ତେବେ ତାଙ୍କର ଆଶା ନଥିଲା ଯେ, ମହାମହିମ ରାଷ୍ଟ୍ରପତି ତାଙ୍କୁ ସାକ୍ଷାତ କରିବେ । ତେବେ ହଠାତ ରାଷ୍ଟ୍ରପତି ଭବନରୁ ତାଙ୍କୁ ଫୋନ୍ ଆସିଥିଲା । ପୁରୀରେ ନୁହଁ ଭୁବନେଶ୍ୱର ରାଜଭବନରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାକୁ ତରୁଣକାନ୍ତିଙ୍କୁ ମିଳିଥିଲା ନିମନ୍ତ୍ରଣ । ଏଇ ଗୋଟିଏ କଥାରୁ ଜଣା ପଡ଼େ ଦେଶର ପ୍ରଥମ ନାଗରିକ ହୋଇଥିଲେ ମଧ୍ୟ ପ୍ରଣବ ୧୯୯୯ ମସିହାରେ ଭେଟିଥିବା ଜଣେ ସାଧାରଣ ଗ୍ରାମୀଣ ଯୁବକଙ୍କୁ ଭୁଲି ନଥିଲେ ।

tarunkanti with pranab
ତରୁଣକାନ୍ତିଙ୍କ ବାଇକ ପଛରେ ପ୍ରଣବ

ପ୍ରଣବ ଓଡ଼ିଶା ଆସିଲେ ଓଡ଼ିଶାର ଜାତୀୟ ଖାଦ୍ୟ ପଖାଳ ଖାଉଥିଲେ । ୨୦୧୮ ମସିହାରେ ଦି ଟାଲ୍ ମ୍ୟାନ୍ ପୁସ୍ତକ ଉନ୍ମୋଚନ ପାଇଁ ଓଡ଼ିଶା ଆସି ସେ ନବୀନ ନିବାସର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭାରତୀୟ ରାଜନୀତିର ଅନ୍ୟ ବରିଷ୍ଠ ନେତାଙ୍କ ସହ ପଖାଳ ଖାଇଥିଲେ ।

Leave a Reply