ଫିକା ପଡ଼ିବ ଜାଗର ଯାତ୍ରା, ମନ୍ଦିରରେ ଗହଳି କରିବାକୁ ଅନୁମତି ଦେଲାନି ପ୍ରଶାସନ

ଆରଡ଼ି: ଏଥର ଜାଗର ବି ପଡ଼ିବ ଫିକା । ଜାଗରରେ ଭଗବାନଙ୍କ ନିକଟରେ ଦୀପ ଜାଳିବାକୁ ହେଲା ବାରଣ । ଏଭଳି କଟକଣା ଲାଗୁ କରାଯାଇଛି ଆରଡିପୀଠ ଆଖଣ୍ଡଳମଣି ମନ୍ଦିରରେ । କରୋନା ମହାମାରୀ ଭୟଭୟତାକୁ ନେଇ ଚଳିତବର୍ଷ ବିନା ଭକ୍ତରେ ପାଳନ ହେବ ଆଖଣ୍ଡଳମଣିଙ୍କ ଜାଗରଯାତ୍ରା । ହେଲେ ବିଧିବିଧାନ ଅନୁଯାୟୀ ଅନୁଷ୍ଠିତ ହେବ ସମସ୍ତ ନୀତିକାନ୍ତି । ମନ୍ଦିର ନୀତି ନୀର୍ଘଣ୍ଟ  ଅନୁଯାୟୀ ଜାଗରଯାତ୍ରା ଦିନ ଭୋର ୪ଟାରେ ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ପହିଲି ବଡପଣ୍ଡାଙ୍କ ଦ୍ୱାରା କନିକାରାଜାଙ୍କର ଘର୍ଷଣଲାଗି, ଜଳାଭିଷେକ ସରିବା ପରେ ପାଳିଆ ସେବାୟତଙ୍କ ପକ୍ଷରୁ ଖେଚୁଡି ଅନ୍ନ ନୀତି ଭୋଗ ଲାଗି ହେବ।

ସକାଳ 5ଟା ଠାରୁ ରାତ୍ର ୧୨ଟା ପର୍ଯ୍ୟନ୍ତ ହେବାକୁ ଥିବା ସର୍ବସାଧାରଣ ଦର୍ଶନ ଚଳିତବର୍ଷ ମହାମାହାରୀ କରୋନା ପାଇଁ ବନ୍ଦ ରହିବ । ଏନେଇ ଭଦ୍ରକ ଜିଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି । ଏପରିକି ଜାଗରଯାତ୍ରାର ପୂର୍ବଦିନ ଅର୍ଥାତ ମାର୍ଚ୍ଚ ୧୦ରୁ ୧୧ଯାଏଁ ପୀଠରେ ଦେଖିବାକୁ ମିଳିବନି ଭକ୍ତଙ୍କ ଗହଳି । ମେଳା ଓ ସାଂସ୍କୃତିକ କାର୍ଯକ୍ରମ ଉପରେ ମଧ୍ୟ ରୋକ ଲଗାଯାଇଛି ।

ତେବେ ଶହଶହ ବର୍ଷର ପରମ୍ପରାକୁ ଅନୁଯାୟୀ, ସେବାୟତମାନେ କୋଭିଡ୍‌ ନିୟମ ପାଳନ କରି ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ସମ୍ପନ୍ନ କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି । ସନ୍ଧ୍ୟା ୬ଟାରୁ ୪ପ୍ରହର ନୀତି ଆରମ୍ଭ ହେବ । ଏହାପରେ ରାତି ଗୋଟାଏରେ ସୁନାବେଶ ସମ୍ପନ୍ନ ହେବ । ପରେ ଭୋର ୪ଟା ୩୦ରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ ବୋଲି ନୀତି ନିର୍ଘଣ୍ଟ ହୋଇଛି ।

Leave a Reply