ମୁଣ୍ଡ ଖୋଜୁଛି ପୋଲିସ, ବୁଦା ମୂଳେ ପଡିଛି ମହିଳାଙ୍କ ମୃତ ଦେହ

ଭୁବନେଶ୍ୱର: ଉପାନ୍ତ କିମ୍ବା ଅପହଞ୍ଚ ନୁହେଁ । ପୋଲିସର କଡ଼ା ସୁରକ୍ଷା ବଳୟ ଭିତରେ ଅପରାଧିଙ୍କ ଉତ୍ପାତ । ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି ଲୋମଟାଙ୍କୁରା ଦୃଶ୍ୟ । ବୁଦା ମୁଳରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିବା ବେଳେ ଏକ ଛୁରୀ, ୪ଟି ଗ୍ଲୋବସ ଓ ମଦ ବୋତଲ ଜବତ କରିଛି ପୋଲିସ। ସେପଟେ ମୃତ ଦେହରେ ମୁଣ୍ଡ ନଥିବାରୁ ମହିଳାଙ୍କ ପରିଚୟ ଯୋଗାଡ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏପର୍ଯ୍ୟନ୍ତ ମୃତକଙ୍କ ମୁଣ୍ଡ ମିଳିପାରିନଥିବା ବେଳେ ହାତରେ ଓମ୍ ଥିବା ଏକ ଟାଟୁ ରହିଥିବା ଜଣାପଡିଛି ।

ସୂଚନା ମୁତାବକ ଚନ୍ଦକା ଥାନା ଅନ୍ଧାରୁଆ ଦାସପୁରରୁ ରାସ୍ତାକଡ଼ ବୁଦାମୁଳରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଦେହ ମିଳିବା ପରେ ପୁରା ଅଞ୍ଚଳକୁ ସିଲ୍ କରି ରାସ୍ତାକଡ଼ ଜଙ୍ଗଲ ଭିତରେ ମହିଳାଙ୍କ ମୁଣ୍ଡ ଖୋଜିବାରେ ଲାଗିଛି ପୋଲିସ । ମହିଳାଙ୍କ ବେକକୁ ଛୁରୀରେ କାଟି ମୁଣ୍ଡ ଗଣ୍ଡି ଅଲଗା କରିଦିଆ ଯାଇଥିବା ଅନୁମାନ କରାଯାଉଛି । ଗତକାଲି ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି । ଘଟଣାସ୍ଥଳରୁ ଛୁରୀ, ୪ଟି ଗ୍ଲୋବସ ଓ ମଦ ବୋତଲ ମଧ୍ଯ ଜବତ ହୋଇଛି । ଯାହା ଅନୁମାନ କରୁଛି କି ଜବତ ଛୁରୀରେ ହିଁ ମହିଳାଙ୍କ ମୁଣ୍ଡ କଟାଯାଇଛି । ଏହି ହତ୍ୟାକାଣ୍ଡ ଓଡିଶା ବାୟୋଟେକ ପାର୍କ ନିକଟରେ ଘଟିଥିବାବେଳେ ପାର୍କର କର୍ମଚାରୀଙ୍କୁପଚରାଉଚରା କରିଛି ଚନ୍ଦକା ପୋଲିସ ।

କିନ୍ତୁ ପ୍ରଶ୍ନ ଉଠୁଛି, କିଏ କାଟି ନେଲା ମହିଳାଙ୍କ ମୁଣ୍ଡ । ମୁଣ୍ଡବିହୀନ ମୃତ ମହିଳାଙ୍କ ପରିଚୟ କଣ । ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣାରେ କିଏ ସଂଶ୍ଲିଷ୍ଟ । ସେପଟେ ମହିଳାଙ୍କ ଡାହାଣ ହାତରେ ଥିବା ଓମ୍ ଚିତା ମହିଳାଙ୍କ ପରିଚୟ ଖୋଜିବାରେ ସହାୟକ ହୋଇପାରିବ । ଅନ୍ୟପଟେ ପରିଚୟ ସ୍ପଷ୍ଟ କରିବା ସହ ଘଟଣାସ୍ଥଳରେ ଡଗ ସ୍କ୍ବାଡ ପହଞ୍ଚି ତନାଘନା ଚଳାଇଛି । ସେହିପରି ମୃତଦେହ ଜବତ ହୋଇଥିବା ସ୍ଥାନର ୪ଶହ ମିଟର ଦୂରରେ ଏକ ଗଛରେ ଲୁଗା ବ୍ୟାଗକୁ ମଧ୍ୟ ଜବତ କରିଛି ପୋଲିସ । ତେଣୁ ମହିଳାଙ୍କୁ ଅନ୍ୟ ସ୍ଥାନରେ ହତ୍ୟା ପରେ ଏଠାରେ ମୃତଦେହ ଫିଙ୍ଗାଯାଇଥିବା ମଧ୍ୟ ସନ୍ଦେହ ଦୃଢିଭୂତ କରୁଛି । ସେପଟେ ଭୁବନେଶ୍ୱର ଡିସିପି କହିଛନ୍ତି ଏହି ହତ୍ୟାକାଣ୍ଡ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ।

Leave a Reply