୪ର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାର୍ଯ୍ୟାନ୍ୱୟନରେ ପ୍ରଥମ ହେଲା ରାଜ୍ୟ

1 min read

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା  କାର୍ଯ୍ୟାନ୍ୱୟନରେ  ଓଡ଼ିଶା ଚତୁର୍ଥ ଥର ପାଇଁ ଜାତୀୟ ସ୍ତରରେ ଅଗ୍ରଣୀ ସ୍ଥାନରେ  ରହିଥିବା ଜାତୀୟ ପୋର୍ଟାଲ୍ ତଥ୍ୟରୁ ଜଣାପଡିଛି ।  ୨୦୧୬-୧୭ ଆର୍ଥିକବର୍ଷରୁ ୨୦୧୯-୨୦ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ଜାତୀୟ ସ୍ତରରେ ୧ ନମ୍ୱର ସ୍ଥାନ ବଜାୟ ରଖିଛି । ମୁଖ୍ୟ ଶାସନ ସଚିବ  ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁ​ଷ୍ଠିତ ରାଜ୍ୟ ସ୍ତରୀୟ ଷ୍ଟାଣ୍ଡିଂ କମିଟି ବୈଠକରୁ  ଏହା ଜଣାପଡିଛି । ରାଜ୍ୟ ଲୋକସେବା ଭବନରୁ ‘ଡ଼ିଜିଟାଲ୍  ମୋଡ୍’ ରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ  ଗ୍ରାମ ଉନ୍ନୟନ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ  ପ୍ରଦୀପ କୁମାର ଜେନା ବିଭିନ୍ନ ଜିଲ୍ଲାରେ ପି.ଏମ୍.ଜି.ଏସ୍.ଓ୍ୱାଇ ର ୧ମ ଓ ୨ୟ  ପର୍ଯ୍ୟାୟ କାର୍ଯ୍ୟାନ୍ୱୟନ ସମ୍ୱନ୍ଧିତ ସଦ୍ୟତମ ତଥ୍ୟ  ସହ  ୩ୟ ପର୍ଯ୍ୟାୟ ପାଇଁ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକର ଆର୍ଥିକ ଓ ବୈଷୟିକ  ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଛନ୍ତି ।

ଗ୍ରାମ ରାସ୍ତା ସଂଯୋଗୀକରଣରେ ପ୍ରସ୍ତାବ ଗୁଡିକର ଗୁରୁତ୍ୱ ବିଚାରକରି ପି.ଏମ୍.ଜି.ଏସ୍.ଓ୍ୱାଇ ର ୩ୟ ପର୍ଯ୍ୟାୟରେ ସମୁଦାୟ ୯୪୦୦ କି.ମି. ରାସ୍ତା ନିର୍ମାଣ ନିମନ୍ତେ ବୈଠକରେ ନୀତିଗତ ନିଷ୍ପତ୍ତି ହୋଇଥିଲା । ନିର୍ମାଣର ଗୁଣାତ୍ମକମାନ  ଏବଂ ନିର୍ମାଣ ସରିଥିବା  ରାସ୍ତାର ଉପଯୁକ୍ତ  ରକ୍ଷଣାବେକ୍ଷଣ ଉପରେ  ମୁଖ୍ୟ  ଶାସନ ସଚିବ ଶ୍ରୀ ତ୍ରିପାଠୀ ଗୁରୁତ୍ୱ ଆରୋପ  କରିଥିଲେ । ୩ୟ ପର୍ଯ୍ୟାୟ ରାସ୍ତା ନିର୍ମାଣ ଚଳିତ ଆର୍ଥିକ ବର୍ଷରୁ ଆରମ୍ଭ କରି ୨୦୨୪-୨୫ ବର୍ଷ ମଧ୍ୟରେ ସାରିବା ପାଇଁ ଶ୍ରୀ ତ୍ରିପାଠୀ  ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀ ଜେନା  ଜଣାଇଛନ୍ତି ଯେ  ଭୁ-କେନ୍ଦ୍ରିକ ମ୍ୟାପିଂ ମାଧ୍ୟମରେ  ରାସ୍ତା ଗୁଡିକର ଅଗ୍ରାଧିକାର ସ୍ଥିର  କରାଯାଉଛି । ​ଗୋଟିଏ ରାସ୍ତା କେତେ ଗ୍ରାମକୁ ସଂଯୋଗ କରିବ, ଏହାଦ୍ୱାରା କେତେ ଲୋକ ଉପକୃତ ହେବେ, ରାସ୍ତାଟି କେତେ ହସ୍ପିଟାଲ୍, ବିଦ୍ୟାଳୟ, ଗ୍ରାମୀଣ ବଜାର, ପର୍ଯ୍ୟଟନ ସ୍ଥଳୀ, ଆଦିକୁ ସଂଯୋଜିତ କରିବ  ଏସବୁ କଥା ବିଚାରକୁ ନେଇ ରାସ୍ତାର ନିର୍ମାଣ ଅଗ୍ରାଧିକାର ସ୍ଥିର  କରିବା ପାଇଁ ମୁଖ୍ୟ ଶାସନ ସଚିବ  ଶ୍ରୀ ତ୍ରିପାଠୀ  ପରାମର୍ଶ ଦେଇଛନ୍ତି ।

ତୃତୀୟ ପର୍ଯ୍ୟାୟ ନିମନ୍ତେ ପ୍ରଥମ ଦଫାରେ ୧୩ଟି ଜିଲ୍ଲାର ୩୫୦୦ କି.ମି ରାସ୍ତା ନିର୍ମାଣ ପାଇଁ ୫୧୮ଟି ପ୍ରକଳ୍ପ ପ୍ରସ୍ତାବ ଅନୁମୋଦିତ  ହୋଇଥିଲା । ଅନୁଗୁଳ ଜିଲ୍ଲାର ୨୯ଟି ପ୍ରକଳ୍ପ ପ୍ରସ୍ତାବ, ବରଗଡର ୪୧ଟି, ବୈାଦ୍ଧର ୧୨ଟି, ଦେଓଗଡର ୧୨ଟି, ଢ଼େଙ୍କାନାଳର ୩୫ଟି, ଗଜପତିର ୪୧ଟି, ଝାରସୁଗୁଡାର ୨୬ଟି, କନ୍ଧମାଳର ୫୭ଟି, କେନ୍ଦୁଝରର ୫୨ଟି, କୋରାପୁଟର ୭୧ଟି, ରାୟଗଡାର ୪୬ଟି, ସୋନପୁରର ୨୮ଟି ଏବଂ ସୁନ୍ଦରଗଡ ଜିଲ୍ଲାର ୬୮ଟି ପ୍ରକଳ୍ପ ପ୍ରସ୍ତାବ  ଏହାର ଅନ୍ତର୍ଭୁକ୍ତ ।ଏହି ସମସ୍ତ ପ୍ରକଳ୍ପ ନିମନ୍ତେ ସମୁଦାୟ ୨୨୦୫ କୋଟି ଟଙ୍କାର ବ୍ୟୟ ଅଟକଳ  କରାଯାଇଛି ବୋଲି ଗ୍ରାମ ଉନ୍ନୟନ ବିଭାଗ ଇଞ୍ଜିନିୟର ଇନ୍ ଚିଫ୍ ଶ୍ରୀ ଚନ୍ଦ୍ରମୌଳି ପଟ୍ଟନାୟକ ଜଣାଇଛନ୍ତି । ଅବଶିଷ୍ଟ ୧୭ ଟି ଜିଲ୍ଲାର ୫,୯୦୦ କି.ମି. ରାସ୍ତା ନିମନ୍ତେ ପ୍ରକଳ୍ପ ପ୍ରସ୍ତାବ  ସେପ୍ଟେମ୍ୱର ମାସ ସୁଦ୍ଧା ପ୍ରସ୍ତୁତ  କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ  ନିର୍ଦ୍ଦେଶ ଦେଇଥିଲେ ।

Leave a Reply