ଇନ୍ଦ୍ରାବତୀ ମ୍ୟୁଜିଅମ୍ କହିବ କଳାହାଣ୍ଡିର ବିକାଶର କାହାଣୀ

1 min read

କଳାହାଣ୍ଡି: କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ଆଜି ବିକାଶର ମଡେଲ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗୁରୁବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ । ଆଜି ୫୪ଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ବେଳେ, ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।

Naveen Declares To Establish Indravati Museum Park And Temple In Kalahandi (2)

ମୁଖ୍ୟମନ୍ତ୍ରୀ କହିଛନ୍ତି- ‘କଳାହାଣ୍ଡିବାସୀ ମୋତେ ବହୁତ ଭଲ ପାଆନ୍ତି । ମୁଁ ମଧ୍ୟ କଳାହାଣ୍ଡିକୁ ବହୁତ ଭଲ ପାଏ । କଳାହାଣ୍ଡି ମାଟିରେ ମୋର ଯେତିକି ବିନ୍ଦୁ ରକ୍ତ ପଡିଛି, କଳାହାଣ୍ଡିର ବିକାଶ ପାଇଁ ମୁଁ ତାର ୧୦ ଗୁଣ ଅଧିକ ପରିଶ୍ରମ କରିବି ।’

ଏଥିସହ ପଢ଼ନ୍ତୁ- କଳାହାଣ୍ଡିରେ ବିଜୁଙ୍କୁ ହୋଇଥିଲା ପଥର ମାଡ, ନବେ ଦଶକର କଥାକୁ ମନେ ପକାଇଲେ ନବୀନ

୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ସମୟର ସ୍ମୃତି ଚାରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ- ଓଡ଼ିଶା ମା’ର ସେବା ପାଇଁ ମୁଁ ଯେତେବେଳେ ସୁଯୋଗ ପାଇଲି, ସେତେବେଳେ ବିଜୁ ବାବୁଙ୍କ କଥା ମୋ ମନକୁ ବାରମ୍ବାର ଆସୁଥିଲା ଏବଂ କଳାହାଣ୍ଡିର ବିକାଶ ପାଇଁ ମୋତେ ମାର୍ଗ ଦେଖାଉଥିଲା । ଏ ଭିତରେ  କଳାହାଣ୍ଡିର ଛବି ଉଜ୍ଜଳ ହୋଇଛି । ନୂଆ ଓଡ଼ିଶା ପାଇଁ ବାଟ ଦେଖାଇଛି ।

Naveen Declares To Establish Indravati Museum Park And Temple In Kalahandi (2)

କୃଷି କ୍ଷେତ୍ରରେ କଳାହାଣ୍ଡିର ବିକାଶର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଥିଲେ- ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ଏବେ ଭାତହାଣ୍ଡି ହୋଇଛି । କଳାହାଣ୍ଡି ଧାନ ଉତ୍ପାଦନରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ, ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ମଧ୍ୟ ଚାଉଳ ଯୋଗାଉଛି । ୧୦ଟି ରାଜ୍ୟ କେନ୍ଦ୍ରୀୟ ଭଣ୍ଡାରକୁ ଯେତିକି ଚାଉଳ ଯୋଗାଉଛନ୍ତି, କଳାହାଣ୍ଡି ଏକାକୀ ସେତିକି ଚାଉଳ ଯୋଗାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Naveen Declares To Establish Indravati Museum Park And Temple In Kalahandi (2)

ଏ ସବୁ ସମ୍ଭବ ହୋଇପାରିଛି କଳାହାଣ୍ଡିର ଚାଷୀ ତଥା ସମସ୍ତ ଜନସାଧାରଣଙ୍କ ଦୃଢ଼ ଇଚ୍ଛା ଶକ୍ତି ଗଭୀର ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ଯୋଗୁଁ । କଳାହାଣ୍ଡିର ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୧୨୦୦ କୋଟି ଟଙ୍କା ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଜଳସେଚନ ସୁବିଧା ୩ ଗୁଣ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଓ ପୁଷ୍ଟି କ୍ଷେତ୍ରରେ ଭଲ କାମ ପାଇଁ କଳାହାଣ୍ଡି ସାରା ଦେଶରେ ବେଷ୍ଟ ପରଫର୍ମିଂ ଡିଷ୍ଟ୍ରିକ୍ଟ ହୋଇପାରିଛି । ମାଛ ଚାଷ କ୍ଷେତ୍ରରେ ମଧ୍ୟ ଦେଶରେ ଶ୍ରେଷ୍ଠ ଜିଲ୍ଲାର ମର୍ଯ୍ୟାଦା ଲାଭ କରିଛି ।

ଏଥିସହ ପଢ଼ନ୍ତୁ- କଳାହାଣ୍ଡିକୁ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଭେଟି, କହିଲେ କଳାହାଣ୍ଡି ବାଣ୍ଟୁଛି ପ୍ରଗତିର ବାର୍ତ୍ତା

ମୁଖ୍ୟମନ୍ତ୍ରୀ କହିଥିଲେ- ୨୦୦୦ ମସିହାରେ କଳାହାଣ୍ଡିରେ ଶିଶୁ ମୃତ୍ୟୁ ହାର ପ୍ରତି ହଜାରରେ ୭୬ ଥିବାବେଳେ, ମାତୃ ମୃତ୍ୟୁ ହାର ୪୩୨ଥିଲା । ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯୋଗୁ ଆଜି ଏହି ହାର କମିଛି ଏବଂ ଆମେ ବହୁ ସଂଖ୍ୟାରେ ଶିଶୁ ଓ ମା’ ମାନଙ୍କର ଜୀବନ ରକ୍ଷା କରିପାରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Naveen Declares To Establish Indravati Museum Park And Temple In Kalahandi (2)

କଳାହାଣ୍ଡିର ଏହି ରୂପାନ୍ତରର ସବୁ ଶ୍ରେୟ ଇନ୍ଦ୍ରବତୀ ନଦୀକୁ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ- ଇନ୍ଦ୍ରବାତୀ ଆମର ମା’ ଏବଂ କଳାହାଣ୍ଡିର ଜୀବନରେଖା । ସେ ତାର ପ୍ରତିଟି ଜଳବିନ୍ଦୁ ଦେଇ କଳାହାଣ୍ଡିକୁ ସମୃଦ୍ଧ କରିଛି । କଳାହାଣ୍ଡିବାସୀଙ୍କ ଦେହରେ ତାର ପାଣି ରକ୍ତ ହୋଇ ବୋହୁଛି । ମା’ ଇନ୍ଦ୍ରାବତୀର ଏହି ଅବଦାନକୁ ସମ୍ମାନ ଜଣାଇ ଏଠାରେ ଏକ ସଂଗ୍ରହାଳୟ ଓ ଉଦ୍ୟାନ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ମ୍ୟୁଜିଅମ୍ ସାରା ବିଶ୍ୱକୁ କଳାହାଣ୍ଡିର ରୂପାନ୍ତରର କାହାଣୀ କହିବ ।

Naveen Declares To Establish Indravati Museum Park And Temple In Kalahandi (2)

ଏହି ଉଦ୍ୟାନ ଭିତରେ ମା’ ଇନ୍ଦ୍ରାବତୀଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଇନ୍ଦ୍ରାବତୀର ଟୋପାଏ ବି ଜଳବିନ୍ଦୁକୁ ନଷ୍ଟ ହେବାକୁ ନ ଦେଇ, କଳାହାଣ୍ଡିର ବିକାଶରେ ପୂରା ବିନିଯୋଗ କରିବା ସହିତ ଭବିଷ୍ୟତ ପିଢି ପାଇଁ ଇନ୍ଦ୍ରାବତୀର ପାଣିକୁ ସୁରକ୍ଷିତ ରଖିବାକୁ ସଂକଳ୍ପ ନେବା ପାଇଁ ମୁଖ୍ୟମନ୍ତ୍ରୀ କଳାହାଣ୍ଡିର ଚାଷୀ ଭାଇଭଉଣୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ ।

ଏଥିସହ ପଢ଼ନ୍ତୁ- ଉପାନ୍ତରେ ଜଳିଲା ନବୀନଙ୍କ ଉର୍ଜା, କଳାହାଣ୍ଡିକୁ ୨୦୮୫ କୋଟିର ଭେଟି

ଆଜି ଉଦ୍‌ଘାଟିତ ଓ ଶିଳାନ୍ୟାସ କରାଯାଇଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ମେଗା ଉଠା ଜଳସେଚନ ବ୍ୟବସ୍ଥା, ଫୁଡ୍ ପାର୍କ, ନୂଆ ବିଦ୍ୟୁତ ଫିଡର ଲାଇନ୍, ଭବାନୀପାଟଣାରେ ନୂଆ ବସ୍‌ଷ୍ଟାଣ୍ଡ, ରାସ୍ତାଘାଟ, ସେତୁ ଆଦି ବିଭିନ୍ନ ପ୍ରକଳ୍ପ ରହିଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ ,ମନ୍ତ୍ରୀ ରଘୁନଦନ ଦାଶ, ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଉଦବୋଧନ   ଦେଇଥିଲେ । ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ଆକର୍ଷଣୀୟ ନୃତ୍ୟ ଜରିଆରେ କଳାହାଣ୍ଡିର ବିକାଶର ଧାରା ଉପସ୍ଥାପନା କରିଥିଲେ ।

Leave a Reply