କଣ ୨୧ ଦିନରୁ ଅଧିକ ହେବ ଲକ୍ ଡାଉନ୍ ? ଜାଣନ୍ତୁ ସତ କଣ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ମାମଲା ବଢୁଥିବାରୁ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଥିଲା । ଲକଡାଉନକୁ ଆଜି ୬ ଦିନ ହୋଇଛି । ଏହାଭିତରେ ଜୋରଦାର ଚର୍ଚ୍ଚା ଚାଲିଛି ଯେ,ଲକ୍ ଡାଉନ୍ ଆଗକୁ ବଢିପାରେ । ତେବେ ଏହା ଉପରେ ଭାରତ ସରକାରଙ୍କ ସ୍ପଷ୍ଟୀକରଣ ଆସିଛି । କ୍ୟାବିନେଟ୍ ସଚିବ ରାଜୀବ ଗୌବା ବୟାନ ଦେଇ ଏଭଳି ଆଶଙ୍କାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ସରକାରଙ୍କର ଲକ୍ ଡାଉନ ଅବଧି ବଢାଇବାର କୌଣସି ଉଦ୍ଦେଷ୍ୟ ନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ବିପଦକୁ ଦୃଷ୍ଟିରେ ରଖି ୨୪ ମାର୍ଚ୍ଚ ତାରିଖରେ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଥିଲେ । ଏହି ଲକ୍ ଡାଉନ୍ ୧୪ ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିବ । ତେବେ କରୋନା ସଂକଟକୁ ଦେଖି ଲକ୍ ଡାଉନ୍ ଅବଧି ବଢିବ ବୋଲି ଆଶଙ୍କା କରାଯାଉଛି । ସରକାର ୧୪ ଏପ୍ରିଲ ପରେ ମଧ୍ୟ ଲକ୍ ଡାଉନ୍ ଜାରି ରଖିବେ ବୋଲି ଆଶଙ୍କା କରାଯାଉଛି ।

ତେବେ ଏବେ ସେହି ସବୁ ଖବର ଉପରେ କ୍ୟାବିନେଟ୍ ସଚିବ ବିରାମ ଲଗାଇଛନ୍ତି । ଏଭଳି ରିପୋର୍ଟକୁ ନେଇ ସେ ଚକିତ ଅଛନ୍ତି ଓ ସରକାରଙ୍କ ବର୍ତ୍ତମାନ ସେଭଳି କୌଣସି ପ୍ଲାନ୍ ନାହିଁ ବୋଲି ସେ କହିଛନ୍ତି ।

କେମିତି ଆରମ୍ଭ ହୋଇଥିଲା ଲକ୍ ଡାଉନ୍ ବଢିବା ନେଇ ଚର୍ଚ୍ଚା ?

୨୧ ଦିନିଆ ଲକ୍ ଡାଉନ୍ କାରଣରୁ ଅର୍ଥନୀତି ପ୍ରଭାବିତ ହୋଇଛି । ସାଧାରଣ ଲୋଲ ବିଶେଷ କରି ଦିନ ମଜୁରିଆ ଏହା ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ଆଗରେ ଖାଦ୍ୟପଦାର୍ଥର ସଂକଟ ସୃଷ୍ଟି ହୋଇଛି  । ସାଧାରଣ ଲୋକଙ୍କ ଉପରେ ବୋଝ କମ କରିବା ପାଇଁ କେନ୍ଦ୍ର ସରକାର ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ । ଏହାସହ ଗରିବଙ୍କ ପାଇଁ ମଧ୍ୟ ବିଭିନ୍ନ ଜନହିତକାରୀ ପ୍ୟାକେଜ୍ ଘୋଷଣା ହୋଇଥିଲା । ସବୁ ପ୍ୟାକେଜ୍ ଓ ଯୋଜନାର ସମୟ ଅବଧି ୩ ମାସ ରହିଛି । ଏହି ତିନି ମାସର ସମୟ ଅବଧିକୁ ନେଇ ଲୋକଙ୍କ ମଧ୍ୟରେ ଲକ୍ ଡାଉନ୍ ବଢିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା ।

Leave a Reply