ସାମାଜିକ ଦୂରତାକୁ ମାନି ସାତଜନ୍ମର ସାଥୀ ହେଲେ …

କେନ୍ଦ୍ରାପଡ଼ା: ବିନା ବାଣ ରୋଷଣୀରେ ବାହାଘର କେମିତି ? ବିନା ବରଯାତ୍ରୀରେ ବାହାଘର ସମ୍ଭବ କି ? ଉତ୍ତର ହେଉଛି ହଁ ସମ୍ଭବ । କରୋନା ସବୁକିଛି ବଦଳାଇ ଦେଇଛି । କରୋନା ପାଇଁ ବାହାଘରରେ ନା ହେଉଛି ଗହଳି ଚହଳି ନା ଶୁଭୁଛି ବାଣ ବାଜାର ଶବ୍ଦ । ସେହିଭଳି ଗୋଟିଏ ବାହାଘର ଦେଖିବାକୁ ମିଳିଛି କେନ୍ଦ୍ରାପଡାର ମହାକାଳପଡା ବ୍ଲକ୍ ସୁନୀତି ପଂଚାୟତରେ ।

ନା ବାଜିଲା ବାଜା ନା ନାଚିଲେ ସାଙ୍ଗ ସାଥି । ଖାଁ ଖାଁ ଥିଲା ବାହାଘର ବେଦୀ ମଣ୍ଡପ ।  ଯାହା ଖାଲି ସୁଭୁଥିଲା ବ୍ରାହ୍ମଣର ମନ୍ତ୍ର ଧ୍ୱନି । ଯଥା ରାବଣସ୍ୟ ମନ୍ଦୋଦରୀ… ଯଥା ରାମସ୍ୟ ସୀତା । ହାତଗଣ୍ଠୀ ପଡିଲା କିନ୍ତୁ ହାତଗଣ୍ଠି ଖୋଲିବା ବେଳର ମସ୍ତି ନଥିଲା । କାରଣ ବିବାହ ମଣ୍ଡପ ଥିଲା ଖାଲି । ମାତ୍ର ସାତ ଜଣଙ୍କୁ ନେଇ ସାତ ଜନ୍ମ ପାଇଁ ପରସ୍ପରର ହେଉଥିଲେ ବରବଧୁ । କେବଳ ଅଗ୍ନି ଦେବତା ଓ ମା ଦକ୍ଷିଣ ଶ୍ୟାମାକାଳୀ ଙ୍କୁ ସାଖିରଖି ସାତ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ନବ ଦମ୍ପତ୍ତି ।

ସୂଚନା ଅନୁଯାୟୀ, ଏବେ କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି । ମହାମାରୀ କରୋନା ହେତୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସାରା ଦେଶରେ ସଭାସମିତି , ବିବାହ , ବ୍ରତ ଏପରିକି ଭୋଜିଭାତ ସଂପୂର୍ଣ୍ଣରୁପେ ବନ୍ଦ କରାଯାଇଛି । କିନ୍ତୁ ବହୁ ଅଳ୍ପ ଲୋକଙ୍କ ଗହଳିରେ ଯିଏ ଚାହିଁବେ ଅନୁମତି ଆଣି ବାହାଘର କରିପାରିବେ । ସେହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ମହାକାଳପଡା ବ୍ଲକ ସୁନୀତି ପଞ୍ଚାୟତ ଜଗତଜୋରସ୍ଥିତ ଶ୍ୟାମା କାଳୀ ମନ୍ଦିରରେ ।

ଏହି ବାହାଘରରେ ବର କନିଆଁ , ବର କର୍ତ୍ତା , କନିଆଁ କର୍ତ୍ତା ଗୋଲ କାଟି ସାମାଜିକ ଦୂରତ୍ୱ ରକ୍ଷା କରି ବାହାଘର କାର୍ଯ୍ୟ କରାଯାଇଥିଲା । ବର ନିଜେ ମଟର ସାଇକେଲ ଚଲାଇ ଆସିଲେ ମନ୍ଦିର ନିକଟକୁ । ବର , କନିଆଁ , ବ୍ରାହ୍ମଣ , ବାରିକଙ୍କୁ ଛାଡ଼ି ଉଭୟ ବର କନିଆଁ ପକ୍ଷରୁ ୭ ଜଣରେ ଉପସ୍ଥିତ ଥିଲେ । ଉଭୟ ବର କନିଆଁ ଓ ବ୍ରାହ୍ମଣ ମଧ୍ୟ ମାସ୍କ ପିନ୍ଧି ଏହି ବିବାହ କାର୍ଯ୍ୟ ସଂପାଦନ କରିଥିଲେ। ନିଆରା ଢଙ୍ଗରେ ହୋଇଥିବା ଏହି ବିଭାଘର ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply