ଭୂତ ଭୟରେ ଭିଟାମାଟି ଛାଡ଼ିଲେ ୧୮ ପରିବାର

ବୌଦ୍ଧ/ନୟାଗଡ଼/କେନ୍ଦ୍ରାପଡା: ଅକସ୍ମାତ ଆସୁଛି ମୃତ୍ୟୁ । ଗୋଟେ ପରେ ଗୋଟେ ମୁଣ୍ଡ ଗଡୁଛି । ନୟାଗଡ଼ ପରେ ବୌଦ୍ଧ କୁଲପଡ଼ାରେ ଭୂତପ୍ରେତକୁ ନେଇ ଆତଙ୍କ । ଜୀବନ ବିକଳରେ ଗାଁ ଛାଡ଼ିଛନ୍ତି ୧୮ ପରିବାର । ସେହିପରି ୪୫ ଦିନ ପରେ ବି ଡାହାଣୀ ଭୟରେ ଭିଟାମାଟିକୁ ଫେରିବା ପାଇଁ ଦମ୍ଭ ଗୋଟାଇ ପାରୁନାହାନ୍ତି ନୟାଗଡ଼ ଗୁଣ୍ଡୁରୀବାଡ଼ି ଗାଁଲୋକ । କେନ୍ଦ୍ରାପଡ଼ାରେ ଘରେ ଛାଏଁ ଛାଏଁ ନିଆଁ ଲାଗିଯାଉଛି । ବିଶ୍ୱାସ, ଅନ୍ଧବିଶ୍ୱାସର କୁହେଳିକା ଭିତରେ ବସା ବାନ୍ଧିଛି ଅଜଣା ଭୟ ।

କୁଲପଡ଼ାର କଳାଶକ୍ତି । ଅସମୟରେ ଆସୁଛି ମୃତ୍ୟୁ । କିଛି ଜାଣିବା ଆଗରୁ, ଦାଣ୍ଡ ଦୁଆରେ ପାଦ ଥାପୁଛି । ଗଡୁଛି ଗୋଟେ ପରେ ଗୋଟେ ମୁଣ୍ଡ । ହେଲେ କାହିଁକି ? କିଏ କହୁଛି ଅନ୍ଧବିଶ୍ୱାସ, କିଏ କହୁଛି ଦୁଷ୍ଟ ଶକ୍ତି । ହେଲେ ଯାହା ପରିବାରରୁ ପରିଜନଙ୍କ ପ୍ରାଣ ଯାଇଛି, ତା’ର ଆଉ ସହିବାକୁ ଯୁ’ ନାହିଁ । ଜୀବନ ବିକଳରେ ଭିଟାମାଟି ଛାଡ଼ି ପଳାଇଛନ୍ତି ବୌଦ୍ଧ କଣ୍ଟାମାଳ ବ୍ଲକ କୁଲପଡ଼ା ଗାଁର ୧୮ ପରିବାର । ପୂରା ଗାଁରେ ଏବେ ଶ୍ମଶାନର ନିରବତା । ମୁକୁଳା ପଡିଛି ଘରଦ୍ୱାର, ଜନଶୂନ୍ୟ ଗାଁ ।

କିଏ ଜୀବନ ବଞ୍ଚାଇବାକୁ ଦୂରକୁ ପଳାଇଛି, ତ ଆଉ କିଏ ଗାଁ ମୁଣ୍ଡ ଖେଳ ପଡ଼ିଆରେ ଝୁମ୍ପୁଡ଼ି କରି ଆଶ୍ରା ନେଇଛି । ଫେରିବା କଥା ଭାବିବା ବେଳକୁ ଆତଙ୍କ ଆଣୁଛି ଅଜଣା ଭୟ । ୨ ବର୍ଷ ଭିତରେ ପିଲାଠୁ ବଡ଼ କେତେ ଜୀବନ ଯାଇଛି । ଚାହୁଁଚାହୁଁ ପିଣ୍ଡରୁ ପ୍ରାଣ ଛଡ଼ାଇ ନେଇଛି ଦୁଷ୍ଟଶକ୍ତି । ମୃତ୍ୟୁର ସାମ୍ନା କରିବାକୁ ଆଉ ଦମ୍ଭ ନାହିଁ । ଅଭାବରେ ରହିବେ ପଛେ କୁଲପଡ଼ା ଫେରିବେନି ବୋଲି କହିଛନ୍ତି ଗାଁଲୋକ । ସେପଟେ ଲୋକଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି ବୌଦ୍ଧ ଜିଲ୍ଲାପାଳ ।

ସେହିପରି ଏବେବି ନୟାଗଡ଼ ଦର୍ପନାରାୟଣପୁର ଗୁଣ୍ଡୁରୀବାଡ଼ି ଗାଁ ଖାଁ ଖାଁ । ଡାହାଣୀ ଭୟରେ ଦେଢ଼ମାସ ପରେ ବି ଗାଁକୁ ଫେରିନାହାନ୍ତି ଲୋକ । ଜୀବନ ବଞ୍ଚାଇବାକୁ ଭିଟାମାଟି ଛାଡ଼ିଛନ୍ତି । ସେତିକି ବେଳେ ଗାଁରେ ପହଞ୍ଚିଥିଲା ନନ୍ଦିଘୋଷ ଟିଭି ଟିମ୍ । ରାତିର ନିର୍ଜନତାରେ ମାପିଥିଲା ଭୟର ସୀମା । ଗାଁ ଲୋକ କହିଥିଲେ, ବିବାହ ପରେ ରକ୍ତ ବାନ୍ତି କରି ପ୍ରାଣ ହରାଉଛନ୍ତି ଯୁବକ । ୨ବର୍ଷରେ ୭ ମୃତ୍ୟୁ ପରେ ଆଉ ଧୈର୍ଯ୍ୟ ନାହିଁ। ମୃତ୍ୟୁକୁ ଭୟ କରି ସିନା ଭିଟାମାଟି ଛାଡ଼ିଲେ, ହେଲେ ଅଭାବ ହନ୍ତସନ୍ତ କରୁଛି । ଏମିତି କେତେଦିନ ପର ଛାତ ତଳେ ଆଶ୍ରୟ ନେବେ, ସେ ଚିନ୍ତା ଘାରୁଛି ।

ସେପଟେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ନୂଆଗାଁରେ ନିଦ ହଜାଇଛି ଅଜଣା ଭୟ । କୋଠା ଘରେ ଛାଏଁ ଲାଗିଯାଉଛି ନିଆଁ । ଖଟ, ଲୁଗାପଟା, ଆସବାବପତ୍ରରେ ଜଳିଯାଉଛି । ଭୌତିକ କାଣ୍ଡ ନା କଳାଯାଦୁ ? ଭୟ ପଛରେ ରହିଛି ଅନେକ ଯୁକ୍ତି, ଭୟ ଛାଡୁନି  ।

(ବୌଦ୍ଧରୁ ସିମୁନ ନାୟକ, ନୟାଗଡ଼ରୁ ପ୍ରଦୀପ ପ୍ରଧାନ ଓ କେନ୍ଦ୍ରାପଡାରୁ ନୟନମଣି ସାମଲ)

Leave a Reply