ମାଲକାନଗିରିରେ ଲଗାଣ ବର୍ଷା, ବେହାଲ ହେଲାଣି ସ୍ଥିତି…

1 min read
Malkangiri Flood

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା । ବେହାଲ ହୋଇଛି ସ୍ଥିତି । ଯୋଗାଯୋଗ ହୋଇଛି ବିଛିନ୍ନ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରୁ ନାହାନ୍ତି ଲୋକେ । ପାଣି ଘେରରେ ବନ୍ଦି ହୋଇ ରହିଛନ୍ତି ଶତାଧିକ ଗ୍ରାମବାସୀ । କାଲିମେଳା ବ୍ଲକ ଅନ୍ତର୍ଗତ ପୋଟେରୁ, କାଙ୍ଗୁରକୋଣ୍ଡା, ଏମଭି ୯୦, ଏମଭି ୯୬ ପୋଲ ଉପରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ମାଲକାନଗିରି, କାଲିମେଳା ଓ କାଲିମେଳା ମୋଟୁ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ଉଭୟ ପାର୍ଶ୍ୱରେ ଲୋକେ ଅଟକି ରହିଛନ୍ତି । ଦୁଇ ଚକିଆଠାରୁ ଆରମ୍ଭ କରି ବଡ଼ ବଡ଼ ଟ୍ରକ ବସ୍‌ ମଧ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି । ସତେ ଯେମିତି ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି ।

ମାଲକାନଗିରିରେ ଗତ ୯ ଘଣ୍ଟା ମଧ୍ୟରେ ୧୧୪ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । କାଲିମେଳା ପଡ଼ିଆ ବ୍ଲକରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଇଛି । ଜିଲ୍ଲାରେ ଗତ ୨୪ ଘଣ୍ଟା ଧରି ଲଗାତାର ବର୍ଷା ଜାରି ରହିଛି । ଆଜି ସକାଳୁ ମାଥିଲି ବ୍ଲକ ଅନ୍ତର୍ଗତ ପାଙ୍ଗାମା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ପାଙ୍ଗାମା ପୋଲ ଉପରେ ୩ ଫୁଟ ପାଣି ପ୍ରବାହିତ ହେଉଛି । ଫଳରେ ଜୟପୁର- ମାଲକାନଗିରି ଯୋଗାଯୋଗ ବିଛିନ୍ନ ହୋଇଛି ।

ପଙ୍ଗାମ ପୋଲର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିବାର ଦେଖିବାକୁ ମିଳିଛି । ଜିଲ୍ଲାରେ ଥିବା ସବୁ ପୋଲ ତଳୁଆ ହୋଇଥିବାରୁ ପ୍ରତିବର୍ଷ ବର୍ଷାଦିନ ଆସିଲେ ଏହିଭଳି ସମସ୍ୟା ଦେଖାଦିଏ । ସେପଟେ କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରକୋଣ୍ଡା ଠାରେ ସମ୍ପୁର୍ଣ୍ଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମାଲକାନଗିରି ଓ କାଲିମେଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏବେ ପାଣିରେ ଉବୁଟୁବୁ ହେଉଛି ।

Leave a Reply