ନିଶା କାରବାରରୁ ବାପ-ପୁଅଙ୍କୁ ଗୁଳିମାଡ଼, ପୁଅ ମୃତ

1 min read

ଭୁବନେଶ୍ୱର: ରାଜଧାନୀରେ ପୁଣି ଫୁଟିଲା ଗୁଳି । ପୁଅ ମୃତ, ବାପା ଗୁରୁତର ଆହତ । ଡ୍ରଗ୍ସ କାରବାରକୁ ନେଇ ଖଣ୍ଡିଗିରି ଥାନା ଅନ୍ତର୍ଗତ ବାହାଦଲପୁର ଗାଁରେ ବାପ-ପୁଅଙ୍କ ଉପରକୁ ଗୁଳିମାଡ କଲା ଦୁର୍ବୃତ୍ତ ।  ଗୁଳିମାଡ କରି ଘଟଣାସ୍ଥଳରେ ନିଜ ବାଇକ ଛାଡି ଦୁର୍ବୃତ୍ତ ଫେରାର ହୋଇଯାଇଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଅନୀଲ ଜେନାଙ୍କ ମୃତ୍ୟୁ ହୋଇଛି । ବାପା ଅଭିମନ୍ୟୁ ଜେନାଙ୍କ ଅବସ୍ଥା ଗୁରତର ଥିବାରୁ ଏମ୍ସରେ ଚାଲିଛି ଚିକିତ୍ସା  । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ସ୍ଥାନୀୟ ଅଞ୍ଚଳର ବାପି ନାମକ ଯୁବକ ଡ୍ରଗ୍ସ କାରବାର କରେ । ବାପି ଅନୀଲଙ୍କ ଭାଇଙ୍କୁ ଅନ୍ୟ ଜଣଙ୍କ ଦ୍ୱାରା ଡ୍ରଗ୍ସ ଖାଇବାକୁ ଦେଇଥିଲା । ଗତକାଲି ଏହି ବିଷୟରେ  ଅନୀଲ ଫୋନ୍ ଯୋଗେ ବାପିକୁ ପଚାରିଥିଲେ । ଫୋନ୍ ପାଇ ଉତକ୍ଷିପ୍ତ ବାପି ଅନୀଲକୁ ଧମକ ଦେଇଥିଲା ।  ୨୪ ଘଣ୍ଟା ଭିତରେ ମୁଁ କ’ଣ କରିପାରେ ବୋଲି କହିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

କାଲିର ଫୋନ୍ ପରେ ଗୁରୁବାର ସନ୍ଧ୍ୟାରେ ବାପି ବାପ-ପୁଅଙ୍କୁ ଗୁଳିମାଡ଼ କରି ଫେରାର୍ ହୋଇଯାଇଛି ।  ଗାଁ ଲୋକଙ୍କ କହିବା ଅନୁଯାୟୀ ବାପି ଗୋଟିଏ ପିସ୍ତଲ ଧରି ଗାଁରେ ବୁଲୁଥିଲା । ଗୋଟିଏ ହାତରେ  ପିସ୍ତଲ ଓ ଗୋଟିଏ ହାତରେ ବାଇକର ହ୍ୟାଣ୍ଡଲ ଧରି ଗାଁ ସାରା ବୁଲୁଥିବା ଗାଁ ଲୋକେ ଦେଖିଛନ୍ତି  ।  ଅନୀଲ ବ୍ଲାକ ଫାଏରିଂ କରିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ସନ୍ଧ୍ୟାବେଳେ ଅନୀଲ ନିଜ ଘର ଠାରୁ କିଛି ଦୁରରେ ଥିବା ବେଳେ ହଠାତ ସେଠାରେ ପହଞ୍ଚିଲା ବାପି ।  କେହି କିଛି ବୁଝିବା ପୂର୍ବରୁ ଫୁଟିଲା ଗୁଳି  । ଅନୀଲ ନିସ୍ତେଜ ହୋଇ ତଳେ ପଡିଲା  । ଆଉ ଏହାପରେ ଅନୀଲଙ୍କ ବାପା ଅଭିମନ୍ୟୁ ଉପରେ ଗୁଳି ଚଲାଇଲା ବାପି ।  ଏବେ ଏମ୍ସରେ ଅଭିମନ୍ୟୁ ଚିକିତ୍ସିତ ହେଉଛନ୍ତି । ସରକନ୍ତରା ଓ ବାହାଦଲପୁର ଗାଁରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି । ଗୁଳିମାଡରେ ସମ୍ପୃକ୍ତ ଥିବା ବାପି ଓ ତାର ସହଯୋଗୀଙ୍କୁ ଖୋଜିବା ପାଇଁ  ଛାନଭିନ୍ ଚଲାଇଛି ପୋଲିସ । ')}

Leave a Reply