Coronavirus Vaccine: ଭାରତର ସ୍ୱଦେଶୀ କୋଭାକ୍ସିନ ଟିକାକୁ ମଞ୍ଜୁରି ଦେବାକୁ ନେଇ କ’ଣ ପାଇଁ ଉଠୁଛି ପ୍ରଶ୍ନ ?

1 min read

ନୂଆଦିଲ୍ଲୀ: ଦୁଇଟି କରୋନା ଟିକାକୁ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳି ସାରିଛି । ଏହା ମଧ୍ୟରୁ ଗୋଟିଏ ହେଉଛି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଓ ଅନ୍ୟଟି ହେଉଛି ଭାରତ ବାୟୋଟେକ୍ ଦ୍ୱାରା ତିଆରି ସ୍ୱଦେଶୀ ଟିକା କୋଭାକ୍ସିନ୍ । ତେବେ କୋଭାକ୍ସିନକୁ ଅନୁମତି ମିଳିବାକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ବିବାଦର କାରଣ ହେଉଛି କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଡାଟା ଏପର୍ଯ୍ୟନ୍ତ କଂପାନୀ ପକ୍ଷରୁ ଜାରି କରାଯାଇ ନାହିଁ ।

ଭାରତ ବାୟୋଟେକ୍ ଓ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମିଳିତ ଭାବେ ଏହି ଟିକାକୁ ପ୍ରସ୍ତୁତ କରିଛନ୍ତି । କୋଭାକ୍ସିନକୁ ଅନୁମତି ମିଳିବା ପରେ ଭାରତ ସେହି ଦେଶ ମାନଙ୍କ ତାଲିକାରେ ସାମିଲ ହୋଇଛି ଯାହା କୋଭିଡ୍ ଟିକା ନିଜେ ପ୍ରସ୍ତୁତ କରିଛି । ଭାରତ ବାୟୋଟେକ୍ ଆମେରିକା ବଜାର ପାଇଁ ଡ୍ରଗ୍ ଡେଭଲପର Ocugen Inc ସହ ଅନୁବନ୍ଧ କରିଛି । ବ୍ରାଜିଲ ମଧ୍ୟ ଏହି ଟିକା କିଣିବାକୁ ଭାରତ ବାୟୋଟେକ୍ ସହିତ ଚୁକ୍ତି କରିଛି ।

କମ୍ପାନୀର କହିବା ହେଉଛି ୧୦ରୁ ଅଧିକ ଦେଶ ତା’ଠାରୁ ଟିକା କିଣିବା ପାଇଁ କଥାବାର୍ତ୍ତା କରୁଛନ୍ତି । ଭାରତ ବାୟୋଟେକ୍ ଅଧ୍ୟକ୍ଷ କୃଷ୍ଣା ଏଲା ରଏଟର୍ସକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ପୁରା ବିଶ୍ୱକୁ ଏହି ଟିକା ଦେବା ହେଉଛି ଆମ ଲକ୍ଷ୍ୟ । ତାଙ୍କ କହିବା ହେଉଛି କୋଭାକ୍ସିନ୍ ମଜବୁତ ଇମ୍ୟୁନ୍ ରେସପନ୍ସ ବିକଶିତ କରିଥାଏ ଓ ଏହା ସୁରକ୍ଷିତ ।

କୃଷ୍ଣା ଏଲାଙ୍କ କହିବା ହେଉଛି କୋଭାକ୍ସିନ୍ ମେମୋରି ଟି ସେଲ୍ ଉପରେ ମଧ୍ୟ ଭଲ କାମ କରିଥାଏ । ଏହା ଦ୍ୱାରା ଶରୀରରେ ଲମ୍ବା ସମୟ ପାଇଁ ଆଣ୍ଟିବଡି ରହିବ । ଯାହା ଭବିଷ୍ୟତରେ ସଂକ୍ରମଣରୁ ରକ୍ଷା କରିବା । ଦୁଇ ଡୋଜ୍ ସହିତ କୋଭାକ୍ସିନର କ୍ଷମତା ୬୦ ପ୍ରତିଶତରୁ ଅଧିକ ବୋଲି କୁହାଯାଉଛି ।

କୋଭାକ୍ସିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲରେ ୮ଶହ ସ୍ୱେଛାସେବୀ ସାମିଲ ହୋଇଥିଲେ । ଭାରତ ବାୟୋଟେକର କହିବା ହେଉଛି ଆମେ ତୃତୀୟ ପର୍ଯ୍ୟାୟ ପାଇଁ ୨୩ ହଜାର ଭଲ୍ୟୁଣ୍ଟରଙ୍କୁ ବାଛିଥିଲୁ । ଯାହାର ଟ୍ରାଏଲ ନଭେମ୍ବର ୨୦୨୦ରୁ ଆରମ୍ଭ ହୋଇଥିଲା । ତେବେ ଏହାର ଡାଟା ଏପର୍ଯ୍ୟନ୍ତ ଜାରି କରାଯାଇ ନାହିଁ ।

ଟିକାକୁ ୨୦୨୧ ଫେବ୍ରୁଆରିରେ କିମ୍ବା ମାର୍ଚ୍ଚରେ ମଞ୍ଜୁରି ମିଳିବାର ଥିଲା କିନ୍ତୁ ସମୟ ପୂର୍ବରୁ ଅର୍ଥାତ ଜାନୁଆରୀ ୩ ତାରିଖରେ ଏହାକୁ ମଞ୍ଜୁରୀ ମିଳିଗଲା । ଯେଉଁଥିପାଇଁ ଡାଟା ଜାରି ହୋଇ ପାରିନାହିଁ ।

ସିରମ ଇନଷ୍ଟିଚ୍ୟୁଟ୍ ସିଇଓ ଆଦର ପୁନାୱାଲା ବିନା ଡାଟାରେ କୋଭାକ୍ସିନକୁ ଅନୁମତି ଦିଆଯିବାକୁ ବିରୋଧ କରିଛନ୍ତି । କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଏହାକୁ ବିରୋଧ କରିଛନ୍ତି । ତାଙ୍କ କହିବା ହେଉଛି ବିନା ଯାଂଚରେ ଭ୍ୟାକ୍ସିନକୁ ଅନୁମତି ଦେବା ଅପରିପକ୍ୱ ନିଷ୍ପତ୍ତି । ଏହା ବିପଜ୍ଜନକ ସାବ୍ୟସ୍ତ ହୋଇପାରେ । ଯେପର୍ଯ୍ୟନ୍ତ ଟ୍ରାଏଲ ପୁରା ନହୋଇଛି ସେ ପର୍ଯ୍ୟନ୍ତ ଭାରତ ପକ୍ଷରେ ଆଷ୍ଟ୍ରୋଜେନେକା ଭ୍ୟାକ୍ସିନ ବ୍ୟବହାର କରିବା ଠିକ୍ ହେବ ।

Leave a Reply