ପେଶାରେ ଏମାନେ ଡ଼ାକ୍ତର ହେଲେ ନିଶା କିନ୍ତୁ ଭିନ୍ନ, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

Doctors

ବଲାଙ୍ଗିର/ କଳାହାଣ୍ଡି: ପେଶାରେ ଡ଼ାକ୍ତର, କିନ୍ତୁ ନିଶା କିଛି ଭିନ୍ନ । ଯାହା ସେମାନଙ୍କୁ ସମାଜରେ ଦେଇଛି ଭିନ୍ନ ଏକ ପରିଚୟ । ଜଣେ ପରିବେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି ତ ଆଉ ଜଣେ ସୃଜନାତ୍ମକ ଦିଗରେ ମନୋନିବେଶ କରିଛନ୍ତି ।

ବଲାଙ୍ଗିର ଜିଲ୍ଲାର ଡ଼ାକ୍ତର ମନ ମୋହନ ବାଗ । ପରିବେଶକୁ ପଲିଥିନ୍ ମୁକ୍ତ ରଖିବାକୁ ଚଲାଇଛନ୍ତି ଉଦ୍ୟମ । କଟକ ଏସସିବିରେ ନିଶ୍ଚେତକ ଡାକ୍ତର ଭାବେ ନିଯୁକ୍ତି ପାଇଛନ୍ତି । ହେଲେ ସ୍ୱପ୍ନର ପ୍ରୋଜେକ୍ଟକୁ ସାକାର କରିବା ପାଇଁ ଛୁଟି ମିଳିବା ମାତ୍ରେ ଧାଇଁ ଆସିଥାନ୍ତି ବଲାଙ୍ଗିର । ସହରର ବିଭିନ୍ନ ନର୍ସିଂହୋମ୍, କ୍ଲିନିକ, ଔଷଧ ଦୋକାନ ଓ ଅନ୍ୟାନ୍ୟ ସ୍ଥାନରେ ପଡୁଥିବା ପ୍ଲାଷ୍ଟିକ, ପଲିଥିନକୁ ସଂଗ୍ରହ କରି ରିସାଇକ୍ଲିଂ କରିଥାନ୍ତି । ଏଥିପାଇଁ ସହର ଉପକଣ୍ଠରେ ଏକ ଗୋଦାମ ଘର ତିଆରି କରିଛନ୍ତି । ଆଉ ପରିଚାଳନା ପାଇଁ ଦୁଇ ଜଣ ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତି ଦେଇଛନ୍ତି । ତେବେ ଡାକ୍ତରଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକ ।

ସେହିଭଳି ଆଉ ଜଣେ ନିଆରା ଡାକ୍ତର ହେଉଛନ୍ତି ଦୀନବନ୍ଧୁ ସାହୁ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ସେ କାର୍ଯ୍ୟରତ । ହେଲେ କଳା, ସାହିତ୍ୟ ପ୍ରତି ତାଙ୍କର ଅହେତୁକ ରୁଚି । ସମୟ ମିଳିବା କ୍ଷଣି ରଙ୍ଗତୁଳୀ ଧରି ବସିଡିଥାନ୍ତି । ଆଉ ନିଜ ହାତର ଯାଦୁରେ ବିଭିନ୍ନ ଚିତ୍ରକୁ ଜୀବନ୍ତ କରିଥାନ୍ତି । ଏହା ସହିତ କବିତା ଲେଖିବା ସହିତ ଅଭିନୟ ମଧ୍ୟ କରିଥାନ୍ତି । ଏପର୍ଯ୍ୟନ୍ତ ତାଙ୍କର ରଚିତ ୫ଟି କବିତା ସଙ୍କଳନ ପ୍ରକାଶ ପାଇ ସାରିଥିବା ବେଳେ ୫ ଶହରୁ ଉର୍ଦ୍ଧ ଚିତ୍ର ରାଜ୍ୟ ସ୍ତରୀୟ ବିଭିନ୍ନ ଚିତ୍ରକଳା ପ୍ରଦର୍ଶନୀରେ ସ୍ଥାନ ପାଇଛି ।

Leave a Reply