ଡ୍ରଗ୍ ମାଫିଆ-ପୋଲିସ ଡିଲ୍ ? ଅଡିଓ କ୍ଲିପରୁ ଧରା ପଡ଼ିଲା ସତ, ଜାଣନ୍ତୁ ପୁରା ଘଟଣା…..

ବାଲେଶ୍ୱର : ଜିଲ୍ଲାରେ ବ୍ରାଉନସୁଗାର ବିକ୍ରି ବଢିବା ପଛର କାରଣ ଲୋକେ ଖୋଜି ଖୋଜି ଥକୁଥିଲେ । ପ୍ରଶାସନ ଠିକ ଭାବେ କାମ କରୁନାହିଁ ବୋଲି ଅଭିଯୋଗ ମଧ୍ୟ କରୁଥିଲେ । ମାତ୍ର ଘଟଣା ସାମ୍ନାକୁ ଆସିବା ପରେ ଜଣାପଡ଼ିଛି ପୋଲିସ ହିଁ ଚୋର । ବ୍ରାଉନସୁଗାର ବେପାରୀଙ୍କଠାରୁ ଟଙ୍କା ନେବା ପାଇଁ ଡିଲ୍ କରୁଥିବା ବେଳେ ଧରା ପଡ଼ିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ । ନନ୍ଦିଘୋଷ ଟିଭି ହାତରେ ଧରା ପଡ଼ିଛି ଡିଲର ଅଡିଓ କ୍ଲିପ୍ । ଅଧିକାରୀ ଜଣଙ୍କ ହେଉଛନ୍ତି ଜଳେଶ୍ୱର ଆଇଆଇସି ।

ବ୍ରାଉନସୁଗାର କାରବାର ପାଇଁ ସେ ୫ ଲକ୍ଷ ଟଙ୍କାର ଡିଲ କରୁଥିବା ଅଡ଼ିଓ କ୍ଲିପରୁ ସ୍ପଷ୍ଟ ହୋଇଛି । ସେହିଭଳି ଅଡିଓ କ୍ଲିପକୁ ଭଲ ଭାବେ ଶୁଣିଲେ ଏକଥା ମଧ୍ୟ ସ୍ପଷ୍ଟ ହେଉଛି ଯେ, ବ୍ରାଉନସୁଗାର ପାଇଁ ପୋଲିସ ଅଧିକାରୀ ପ୍ରଥମ ଥର ଟଙ୍କା ନେଉ ନାହାନ୍ତି । ପୋଲିସ ଅଧିକାରୀ ଓ ବ୍ରାଉନସୁଗାର ମାଫିଆଙ୍କ ମଧ୍ୟରେ ସମ୍ପର୍କ ନୂଆ ନୁହେଁ । ଉଭୟ ପରସ୍ପରକୁ ବ୍ୟକ୍ତିଗତ ଭାବେ ଜାଣିବା ସହ ପୂର୍ବରୁ ମଧ୍ୟ ଏଭଳି ବେପାର କରି ସାରିଛନ୍ତି । ତେବେ ସବୁ ସମୟରେ ପୋଲିସ ବାବୁଙ୍କ ପାଖରେ ଠିକ୍ ସମଯରେ ଟଙ୍କା ପହଞ୍ଚେ । ମାତ୍ର ଏଥର ପହଞ୍ଚିନି । ଏଇ କଥାକୁ ନେଇ ରାଗି ପଞ୍ଚମ ହୋଇଛନ୍ତି ପୋଲିସ ଅଧିକାରୀ ।

ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲାକୁ କଦଳୀ ଗାଡ଼ିରେ ଆସୁଛି ବ୍ରାଉନ ସୁଗାର । ଏଥିପାଇଁ ଡ୍ରଗ୍ସ ମାଫିଆଙ୍କଠାରୁ ଟଙ୍କା ନିଆ ଯାଉଛି  । ଯେଉଁଥିପାଇଁ ଫୋନରେ ଦୁଇଜଣଙ୍କ ଭିତରେ ଆଲୋଚନା ଚାଲିଥିଲା । ତେବେ ଏହି ଅଡିଓ କ୍ଲିପ ଉପରେ ଉକ୍ତ ପୋଲିସ ଅଧିକାରୀଙ୍କର ପ୍ରତିକ୍ରିୟା ଆଣିବା ସମ୍ଭବପର ହୋଇନାହିଁ । ବାରମ୍ୱାର ସମ୍ପର୍କ କରିବାକୁ ଚେଷ୍ଟା କରି ମଧ୍ୟ ନନ୍ଦିଘୋଷ ଟିମ୍ ପ୍ରତିକ୍ରିୟା ପାଇବାରେ ବିଫଳ ହୋଇଥିଲା ।

 

Leave a Reply