ବିହାରରେ ଏମିତି ହେବ ଭୋଟ୍ : ଅନଲାଇନରେ ପ୍ରାର୍ଥୀପତ୍ର ଦାଖଲ ,ଗ୍ଲୋଭସ ପିନ୍ଧି ମତଦାନ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ହେବ ନିର୍ବାଚନ । ସଂକ୍ରମଣ ଭିତରେ ବିହାରରେ  ଭୋଟିଂ ନେଇ ନିର୍ବାଚନ କମିଶନ ଜାରି କରିଛନ୍ତି ଗାଇଡଲାଇନ । ଭୋଟରମାନେ ଗ୍ଲୋଭସ ପିନ୍ଧି ଭୋଟ ଦେବେ । ଆଶାୟୀ ପ୍ରାର୍ଥୀମାନେ ଅନଲାଇନରେ ଦେବେ ପ୍ରାର୍ଥୀପତ୍ର । ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେଉଥିବା ସବୁ ଅଧିକାରୀ ମାସ୍କ ପିନ୍ଧିବାକୁ ବାଧ୍ୟ । ଭୋଟର ମାନେ ଇଭିଏମ ପାଖକୁ ଯିବା ବେଳେ ମତଦାନ କେନ୍ଦ୍ରରେ ଦିଆଯିବ ଗ୍ଲୋଭସ । ପୁଲିଂ ଅଧିକାରୀମାନେ ମାସ୍କ ଓ ସାନିଟାଇଜର ଦେବେ । ଭୋଟରଙ୍କ ସହ ଆସିଥିବା ପିଲାଙ୍କୁ ଦିଆଯିବ ପିପିଇ କିଟ । ଭୋଟରଙ୍କୁ ଚିହ୍ନଟ ପାଇଁ କିଛି ସମୟ ପାଇଁ ପୁଲିଂ ଅଧିକାରୀ ସେମାନଙ୍କ ମୁହଁରୁ ମାସ୍କ ହଟାଇପାରିବେ । ମତଦାନ କେନ୍ଦ୍ରରେ ପ୍ରବେଶ ପୂର୍ବରୁ ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ଭୋଟିଂର ଗୋଟିଏ ଦିନ ପୂର୍ବରୁ ମତଦାନ କେନ୍ଦ୍ରକୁ ବିଶୋଧନ କରାଯିବ । ଧାଡି ସମସ୍ୟାକୁ ଦୂର କରିବାକୁ ଟୋକନ ବ୍ୟବସ୍ଥା କରାଯିବ । ସେହିପରି ଘର ଘର ବୁଲି ପ୍ରଚାର ବେଳେ ପ୍ରାର୍ଥୀଙ୍କୁ ମିଶାଇ କେବଳ ପାଂଚ ଜଣ ଯାଇପାରିବେ । ପ୍ରଥମ ଥର ପାଇଁ ପ୍ରାର୍ଥୀମାନେ ଅନଲାଇନରେ ଜମା କରିବେ ସିକ୍ୟୁରିଟି ଅର୍ଥ ।

ସୂଚନାଯୋଗ୍ୟ ଯେ, କରୋନା କାରଣରୁ ବିହାର ନିର୍ବାଚନ ଘୁଂଚିବ କି ନାହିଁ ତାକୁ ନେଇ ଆଲୋଚନା ହେଉଥିଲା । ତେବେ ବିହାର ମୁଖ୍ୟମନ୍ତ୍ରୀ ଗୁରୁବାର ଦିନ ଯେଉଁଭଳି ଭାବେ ମାରାଥନ ପ୍ରକଳ୍ପ ଶିଳାନ୍ୟାସ ଓ ଘୋଷଣା କରିଥିଲେ ସେଥିରୁ ଲାଗୁଥିଲା ଯେ ,ଭୋଟିଂ ଠିକ୍ ସମୟରେ ହେବ । ୨୦୧୫ ଭଳି ଏଥର ମଧ୍ୟ ସେପ୍ଟମ୍ବର ମାସରେ ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ୨୦୧୫ରେ ବିହାର ନିର୍ବାଚନ  ସେପ୍ଟେମ୍ବର ୯ ତାରିଖରେ ହୋଇଥିଲା । ସେତେବେଳେ ମତଦାନ ୬ ପର୍ଯ୍ୟାୟରେ ହୋଇଥିଲା  ।୨୦୧୫ରେ ଜେଡିୟୁ ଓ ଆରଜେଡି ମିଳିତ ଭାବେ ମୈଦାନକୁ ଓହ୍ଲାଇଥିଲେ ।  ସେଥିରେ ମହାମେଣ୍ଟକୁ ବିପୁଳ ବିଜୟ ମିଳିଥିଲା । ତେବେ ପ୍ରାୟ ଗୋଟିଏ ବର୍ଷ ପରେ ନୀତିଶ ବିଜେପି ସହ ହାତ ମିଳାଇଥିଲେ ।  ଏଥର ବିଜେପି,ଜେଡିୟୁ ଓ ଏଲଜେପି ଏକାଠି ନିର୍ବାଚନ ଲଢିବେ । ତେବେ ଏଲଜେପିର ମତିଗତିକୁ ନେଇ ବିଜେପି ଓ ଜେଡିୟୁ ଟିକିଏ ଆଶଙ୍କାରେ ଅଛନ୍ତି ।

Leave a Reply