ଚାଷୀଙ୍କ ଆନ୍ଦୋଳନ ଚାଷୀ ପାଇଁ ପାଲଟିଛି ଚିନ୍ତାର କାରଣ..!

1 min read
Apple

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଚାଷୀ ଆନ୍ଦୋଳନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶୁକ୍ରବାର ଦିଲ୍ଲୀ ସୀମାରେ ପୋଲିସ ଓ ଚାଷୀମାନଙ୍କ ମଧ୍ୟରେ ଜୋରଦାର୍‌ ଟକ୍କର ହୋଇଛି । ଏମିତିକି ଚାଷୀଙ୍କୁ ଦିଲ୍ଲୀରେ ଏଣ୍ଟ୍ରି ନଦେବା ପାଇଁ ପୋଲିସ ସେମାନଙ୍କ ଉପରକୁ ଥଣ୍ଡା ଦିନରେ ପାଣି ମାଡ଼ କରିବାକୁ ବି ପଛେଇ ନଥିଲା । ହେଲେ ଯାହା ବି ହେଉ ଶେଷରେ ଚାଷୀ ନିଜ ଜିଦ୍‌ରେ ଅଟଳ ରହିଲେ । ଯେତେ ବାଧା ବିଘ୍ନ ଆସିଲେ ବି ତାଙ୍କର ଦିଲ୍ଲୀ ଚଲୋ ଆନ୍ଦୋଳନକୁ ସଫଳ କରିଥିଲେ । ସରକାର ବାଧ୍ୟ ହୋଇଥିଲେ ଚାଷୀଙ୍କୁ ଦିଲ୍ଲୀରେ ଆନ୍ଦୋଳନ ପାଇଁ ଏଣ୍ଟ୍ରି ଦେବାକୁ ।

ତେବେ ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯାହାକି ଚାଷୀଙ୍କ ପାଇଁ ମଧ୍ୟ ଏକ ଦୁଃଖଦ ଖବର ବୋଲି କୁହାଯାଇପାରେ । ରାଜରାସ୍ତାରେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ହଜାର ହଜାର ଟ୍ରକ୍‌ ଅଟକି ରହିଛି । ପ୍ରାୟ ୬୦୦ ଟ୍ରକ୍‌ରେ ଚାଷୀ ଉତ୍ପାଦ ଦ୍ରବ୍ୟ ସେଓ ମଧ୍ୟ ରହିଛି । ସଠିକ୍‌ ସମୟରେ ସେଓ ଡେଲିଭରି ନହୋଇପାରିବାରୁ ତାହା ଏବେ ଟ୍ରକ୍‌ରେ ରହି ରହି ନଷ୍ଟ ହେବାକୁ ବସିଲାଣି । ଏହି ସେଓ ଗୁଡ଼ିକ ପ୍ରାୟ ୬୦ କୋଟି ଟଙ୍କାର ହେବ ବୋଲି ଅନୁମାନ କରାଯାଇଛି । ଗୋଟିଏ ପଟେ ଚାଷୀ ନିଜ ହକ୍‌ ପାଇଁ ଲଢ଼ୁଥିବା ବେଳେ ଅନ୍ୟପଟେ ସେହି ଚାଷୀଙ୍କ ଉତ୍ପାଦକୁ ବଜାରରେ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଅନେକ କ୍ଷତି ସାମ୍ନାକୁ ଆସିଛି । ଏହି ସେଓ ଟ୍ରକ୍‌ଗୁଡ଼ିକ ଦିଲ୍ଲୀରେ ଏଣ୍ଟ୍ରି ପାଇଁ ଅପେକ୍ଷା କରି ରହିଛନ୍ତି । ହେଲେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ଟ୍ରାଫିକ୍‌ ଜାମ୍‌ ରହିଛି । କେବଳ ସେଇଥିପାଇଁ ଟ୍ରକ୍‌ଗୁଡ଼ିକୁ ଦିଲ୍ଲୀରେ ଏଣ୍ଟ୍ରି ଦିଆଯାଇ ନାହିଁ ।

ଚାଷୀ ଆନ୍ଦୋଳନ ଯୋଗୁଁ ଟ୍ରକ୍‌ ଗୁଡ଼ିକୁ ପଞ୍ଜାବ ସୀମା ଅତିକ୍ରମ କରିବା ପାଇଁ ୩ ଦିନ ଲାଗିଥିବା ବେଳେ ୫ ଦିନ ହେବ ହରିୟାଣାରେ ଫସି ରହିଛନ୍ତି । ନିୟମ ଅନୁଯାୟୀ ଟ୍ରକ୍‌ରେ ସେଓ ରଖାଯିବାର ପ୍ରାୟ ୩ରୁ ୪ ଦିନ ମଧ୍ୟରେ ମଣ୍ଡିରେ ପହଞ୍ଚିବା ଆବଶ୍ୟକ । ହେଲେ ସେଓ ମଣ୍ଡରେ ପହଞ୍ଚିବାକୁ ଅଧିକ ସମୟ ଲାଗୁଥିବାରୁ ତାହା ନଷ୍ଟ ହେବାକୁ ବସିଲାଣି । ସବୁଠୁ ବଡ଼ କଥା ହେଲା ସେଓ ବଗିଚାର ମାଲିକମାନଙ୍କୁ ବ୍ୟବସାୟୀମାନେ ଏବେ ସେଓ ନେବାକୁ ମନା କରି ଦେଇଛନ୍ତି । ବ୍ୟବସାୟୀମାନେ ବଗିଚା ମାଲିକଙ୍କୁ ଫୋନ୍‌ କରି ସେଓ ଫେରାଇ ନେବାକୁ କହିଛନ୍ତି ।

ଟ୍ରକ୍‌ ଡ୍ରାଇଭରଙ୍କ କହିବାନୁଯାୟୀ, ଗୋଟିଏ ଟ୍ରକ୍‌ରେ ପ୍ରାୟ ପ୍ରାୟ ୧୬ ଟନ୍‌ ସେଓ ରହିଥାଏ । ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହୋଇଥାଏ । ଜାମ୍ମୁ-କାଶ୍ମୀରରୁ ଟ୍ରକ୍‌ଗୁଡ଼ିକ ବାହାରି ଆଜାଦ୍‌ପୁର ମଣ୍ଡିରେ ପହଞ୍ଚିଥାଏ । ପ୍ରତ୍ୟେକ ଦିନ କାଶ୍ମୀରରୁ ପ୍ରାୟ ୩୦୦ ସେଓ ଟ୍ରକ୍‌ ଆଜାଦ୍‌ପୁର ମଣ୍ଡିରେ ପହଞ୍ଚିଥାଏ । ହେଲେ ଏବେ ଅନେକ ଟ୍ରକ୍‌ ରାସ୍ତାରେ ହିଁ ଅଟକି ରହିଛି । ଗରମ ପାଣିପାଗ ଯୋଗୁଁ ସେଓ ଗୁଡ଼ିକ ଟ୍ରକ୍‌ ଭିତରେ ରହି ନଷ୍ଟ ହେବାକୁ ବସିଲାଣି ବୋଲି ଡ୍ରାଇଭର ମାନେ କହିଛନ୍ତି ।

Leave a Reply