ମଧ୍ୟବର୍ତ୍ତୀକାଳୀନ ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ୍ ମହାନ୍ତି

କଟକ: ରାଜ୍ୟର ମଧ୍ୟବର୍ତ୍ତୀକାଳୀନ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ସତ୍ୟଜିତ୍ ମହାନ୍ତି । କଟକ ପୋଲିସ ମୁଖ୍ୟାଳୟରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ମଧ୍ୟବର୍ତ୍ତୀକାଳୀନ ଡିଜି ଭାବେ ସରକାର ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୂର୍ଣ୍ଣକାଳୀନ ଡିଜି ଅଭୟ ଦାୟିତ୍ୱ ନେବା ପର୍ଯ୍ୟନ୍ତ ଆଇନଶୃଙ୍ଖଳା ବ୍ୟବସ୍ଥା ବଜାୟ ରହିବା ନେଇ ସେ ପ୍ରଚେଷ୍ଟା କରିବେ ବୋଲି କହିଛନ୍ତି ।୧୯୮୮ ବ୍ୟାଚର ଆଇପିଏସ୍ ଅଫିସର ସତ୍ୟଜିତ୍ ମହାନ୍ତି ଜୟପୁରରୁ ଏଏସପି ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ପରେ କୋରାପୁଟ, ରାଉରକେଲା, କଟକ ଓ ବାଲେଶ୍ୱରରେ ଏସପି ଭାବେ କାର୍ଯ୍ୟ କରିଛନ୍ତି । ଭିଜିଲାନ୍ସ ଏସପି ଓ ଟ୍ରାନ୍ସପୋର୍ଟ କମିଶନର ଭାବେ ତାଙ୍କର ଅଭିଜ୍ଞତା ରହିଛି । ଉତ୍ତରାଞ୍ଚଳ ପୋଲିସ ଡିଆଇଜି ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ଟ୍ୱିନ୍ ସିଟି ପୋଲିସ କମିଶନର ଭାବେ ସେ ଉଲ୍ଲେଖନୀୟ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ । ଏବେ କାରାଗାର ଡିଜି ଦାୟିତ୍ୱରେ ଅଛନ୍ତି ।ଗତକାଲି ରାଜ୍ୟ ସରକାର ବିକେ ଶର୍ମାଙ୍କୁ ଅନିୟମିତତା ଅଭିଯୋଗରେ ଡିଜି ପଦରୁ ହଟାଇଥିଲେ । କେନ୍ଦ୍ରୀୟ ଡେପୁଟେସନରେ ଯାଇ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିବା ୧୯୮୬ ବ୍ୟାଚର ଆଇପିଏସ୍ ଅଫିସର ଅଭୟଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତି ଦେଇଥିଲେ । ଅଭୟ ଦାୟିତ୍ୱ ନେବା ଯାଏଁ ସତ୍ୟଜିତ୍ ମହାନ୍ତି ମଧ୍ୟବର୍ତ୍ତୀକାଳୀନ ଡିଜି ଭାବେ କାର୍ଯ୍ୟ କରିବେ ।

Leave a Reply