ମହିଳା ଦିବସ ସ୍ପେଶାଲ: ଦହିବରା ବିକାଳୀ ବିନିଙ୍କ ସଂଘର୍ଷ କାହାଣୀ

1 min read

ମହାକାଳପଡ଼ା: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ମହିଳାଙ୍କ ତ୍ୟାଗ, ବଳିଦାନ ଓ ଅସୀମ ଧୈର୍ଯ୍ୟକୁ ସମ୍ମାନ ଜଣାଇବା ପାଇଁ ପାଳିତ ହୋଇଥାଏ ଏହି ଦିବସ । ଆଜିର ଏହି ସ୍ବତନ୍ତ୍ର ଦିନରେ ଏମିତି ଜଣେ ସଂଘର୍ଷକୁ କୋଳେଇ ନେଇଥିବା ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ସମ୍ପର୍କରେ ଜାଣିଲେ ଆପଣ ବି ତାଙ୍କୁ ସତ ସଲାମ କରିବେ । ଏ କାହାଣୀ ଜଣେ ବାପା ଛେଉଣ୍ଡ ପିଲାର । ଏ କାହାଣୀ ଏକ ନାଚାର ପରିବାରର ଭୋକର । ଏ କାହାଣୀ ଜଣେ ଦହିବରା ବିକାଳୀ ମହିଳାଙ୍କର । ଏ କାହାଣୀ ମହାକାଳପଡା ବିନିଙ୍କର ।

ବିମଳା ଓରଫ ବିନି । ଟି-ସାର୍ଟକୁ ହାଫ ପ୍ଯାଣ୍ଟ । କାନ୍ଧରେ ଗୋଟେ ଗାମୁଛା । ପୋଷାକ ପରିଧାନ ଆଦୌ ଝିଅଙ୍କ ପରି ନୁହେଁ । ଲୁନା ଖଣ୍ଡେ ଧରି ବାହାରି ପଡନ୍ତି, ଏ ଗାଁରୁ ସେ ଗାଁ ବିକନ୍ତି ଦହିବରା ଆଳୁଦମ । ଲୋକେ ଦହିବରା ଖାଇଲେ ତାଙ୍କ ଘରେ ଚୂଲି ଜଳିବ । କଅଁଳା ପିଲା ପେଟକୁ ଦାନା ଯାଏ । ମାର୍ଶାଘାଇ ନାରାୟଣପୁର ଗାଁର ସ୍ବାଭିମାନ ମହିଳା ବିନି ଆଜି ପାଲଟିଛନ୍ତି ସମସ୍ତଙ୍କ ପାଇଁ ଉଦାହରଣ ।

ମାତ୍ର ୩ ବର୍ଷ ବୟସରେ ବାପାଙ୍କୁ ହରାଇ ଥିଲେ ବିନି । ଏକ ସଡ଼କ ଦୁର୍ଘଟଣାରେ ବାପାଙ୍କ ପରଲୋକ ଘଟିଥିଲା । ଯେଉଁ ସମୟରେ ବାପାଙ୍କ ହାତ ଧରି ଦୁନିଆ ଦେଖିବା କଥା ସେ ବୟସରେ ବାପା ହାତ ଛାଡି ଦୁଃଖ, ଦୁର୍ଦ୍ଦିନ, ଅସହାୟର ଦୁନିଆକୁ ଆପଣାଇ ନେଇଥିଲେ । ୪ ଭଉଣୀଙ୍କ ମଧ୍ଯରେ ବିନି ଥିଲେ ସାନ । ହେଲେ କଅଁଳ ବୟସରୁ ନିଜେ ଗୋଡରେ ଠିଆ ହେବାକୁ ନେଇଥିଲେ ସଂକଳ୍ପ । ରୋଜଗାର କରି ପରିବାର ଚଳାଇବାର ନିଶା ଦିନ ରାତି ଶୁଆଇ ଦେଉନଥାଏ । କିଛି ଉପାୟ ନପାଇ ଦହିବରା ଆଳୁଦମ ବିକ୍ରି କରିବାକୁ ନେଇଥିଲେ ନିଷ୍ପତ୍ତି । ବାସ ସେବେଠାରୁ ଚାଲିଛି ତାଙ୍କ ଦହିବରା ଆଳୁଦମ ବେପାର ।

ପ୍ରତ୍ୟକ ଦିନ ରାତି ୪ଟାରୁ ଉଠି ଦହିବରା ଓ ଆଳୁଦମ ତିଆରିରେ ଲାଗିପଡନ୍ତି ବିନି । ଦହିବରା ପ୍ରସ୍ତୁତ ହୋଇଯିବା ପରେ ସେ ସବୁକୁ ଲୁନାରେ ବାନ୍ଧି ବୁଲନ୍ତି ଗାଁକୁ ଗାଁ । ବିନିଙ୍କ ଦହିବରାର ରହିଛି ବେଶ୍ ଚାହିଦା । ଦହିବରା ପାଇଁ ଫୋନ୍ ଦ୍ବାରା ଅର୍ଡର ମଧ୍ଯ ଆସେ । ବିନିଙ୍କ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି । ତାଳସଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ନାଥ ବେହେରା ବିନିଙ୍କୁ ସହାୟତା ରାଶି ଯୋଗାଇ ଦେବାକୁ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ।

ଆଜିର ଦିନରେ ସମାନ୍ୟ ସମସ୍ୟାକୁ ଦେଖିଲେ ପିଲାମାନେ ଭାଙ୍ଗି ପଡୁଛନ୍ତି । ହେଲେ ବିନି ଦୁଃଖର ପାହାଡ଼କୁ ଅତିକ୍ରମ କରି ଆଜି ସମାଜରେ ସମ୍ମାନର ସହ ବଞ୍ଚି ପାରିଛନ୍ତି । ସମସ୍ୟା ଆଗରେ ମୁଣ୍ଡ ନୁଆଁଇ ନଦେଇ ଏହାକୁ ଦୃଢ଼ତାର ସହ ସାମ୍ନା କରି ଆଗକୁ ବଢ଼ିବା ବିନିଙ୍କ ପରି ମହିଳାଙ୍କ ପାଖରୁ ଶିଖିବାର ଅଛି ।