ଛତିଶଗଡ଼ ହାଇକୋର୍ଟଙ୍କ ଐତିହାସିକ ରାୟ: ଶାଶୁଘରଠାରୁ ମଧ୍ୟ ଭରଣପୋଷଣ ଦାବି କରିପାରିବେ ବିଧବା ବୋହୂ

1 min read

ବିଳାସପୁର: ଛତିଶଗଡ଼ ବିଲାସପୁର ହାଇକୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି । ଏକ ମାମଲାର ଶୁଣାଣି କରି ବୋହୂଙ୍କ ଭରଣପୋଷଣ ଉପରେ ବଡ଼ ରାଏ ଦେଇଛନ୍ତି କୋର୍ଟ । କୋର୍ଟ ରାଏରେ କହିଛନ୍ତି, ଯଦି ହିନ୍ଦୁ ବିଧବା ମହିଳା ନିଜ ଆୟ କିମ୍ବା ଅନ୍ୟ ସମ୍ପତ୍ତି ଦ୍ୱାରା ଜୀବନ ବଞ୍ଚିବା ପାଇଁ ଅସମର୍ଥ ହୁଅନ୍ତି ତେବେ ସେ ନିଜ ଶ୍ୱଶୁରଙ୍କଠାରୁ ଭରଣ ପୋଷଣ ପାଇଁ ଦାବି କରିପାରିବେ । ହାଇକୋର୍ଟ ବିଚାରପତି ଗୌତମ ଭାଦୁଡ଼ି ଏବଂ ବିଚାରପତି ଦୀପକ କୁମାର ତିୱାରୀଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଖଣ୍ଡପୀଠ ଶୁଣାଣି ସମୟରେ କହିଛନ୍ତି, ସ୍ୱାମୀଙ୍କ ମୃତ୍ୟୁ ପରେ ଶ୍ୱଶୁର ବୋହୂଙ୍କୁ ଘରୁ ବାହାର କରିଦିଅନ୍ତୁ କିମ୍ବା ବିଧବା ମହିଳା ନିଜ ଇଚ୍ଛାରେ ଅଲଗା ରୁହନ୍ତି ତେବେ ସେ ଆଇନ ଅନୁଯାୟୀ ଭରଣ ପୋଷଣ ପାଇବାର ହକଦାର ଅଟନ୍ତି ।

ଆବେଦନ ଅନୁଯାୟୀ, କୋରବା ଅଞ୍ଚଳର ଜଣେ ଯୁବତୀଙ୍କ ବିବାହ ୨୦୦୮ ମସିହାରେ ଜାଂଜଗୀର-ଚମ୍ପା ଜିଲ୍ଲାର ବିରା ଗାଁର ଯୁବକଙ୍କ ସହ ହୋଇଥିଲା  । ୨୦୧୨ରେ ମହିଳାଙ୍କ ସ୍ୱାମୀର ମୃତ୍ୟୁ ହୋଇଯାଇଥିଲା । ଶ୍ୱଶୁର ଘର ଲୋକେ ମହିଳାଙ୍କୁ ଘରୁ ବାହାର କରିଦେଇଥିଲେ, ଏହାପରେ ବିଧବା ମହିଳାଜଣଙ୍କ ନିଜ ବାପ ଘରେ ରହିଥିଲେ । ୨୦୧୫ ମସିହାରେ ଜାଂଜଗୀର ଫ୍ୟାମିଲି କୋର୍ଟରେ ମହିଳାଜଣଙ୍କ ଆବେଦନ କରି ଶାଶୁ ଘର ପକ୍ଷଙ୍କଠାରୁ ଭରଣପୋଷଣ ଦାବି କରିଥିଲେ । କୋର୍ଟ ମଧ୍ୟ ବିଧବା ମହିଳା ଜଣଙ୍କ ସପକ୍ଷରେ ରାଏ ଦେଇଥିଲେ ।

ତେବେ ଶାଶୁଘର ଲୋକେ ଫ୍ୟାମିଲି କୋର୍ଟଙ୍କ ରାଏକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ  । ଶାଶୁଘର ପକ୍ଷରୁ ଓକିଲ ହାଇକୋର୍ଟରେ ଯୁକ୍ତି ରଖିଥିଲେ ଯେ, ହିନ୍ଦୁ ଆଇନ ଅନୁଯାୟୀ କୌଣସି ବି ମହିଳା ନିଜ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇଁ ଦାବି କରିପାରିବେ । କିନ୍ତୁ ଶାଶୁଘରକୁ ଭରଣପୋଷଣ ଦେବାକୁ କହିପାରିବେ ନାହିଁ । ଏଥିସହ ଶ୍ୱଶୁର କହିଥିଲେ ମୁଁ ତାଙ୍କୁ, ଘରୁ ବାହାର କରିନାହିଁ ବରଂ ସେ ନିଜେ ହିଁ ବାପ ଘକୁ ଯାଇଥିଲା । ତେଣୁ ଏହି ମମଲା ଖାରଜ ପାଇଁ ଦାବି କରିଥିଲେ । ହେଲେ ଡିଭିଜନାଲ ବେଞ୍ଚ ଶ୍ୱଶୁରଙ୍କ ଏହି ଆବେଦନକୁ ଖାରଜ କରିବା ସହ ଫ୍ୟାମିଲ କୋର୍ଟ ସହ ଏକମତ ହୋଇ ବିଧବା ମହିଳାଙ୍କ ସପକ୍ଷରେ ରାଏ ଶୁଣାଇଛନ୍ତି । ତେବେ ଫ୍ୟାମିଲି କୋର୍ଟ ପ୍ରତି ମାସରେ ୨୫୦୦ ଟଙ୍କା ଭରଣପୋଷଣ ଆକାରରେ ଦେବା ପାଇଁ ଆଦେଶ ଦେଇଥିଲେ  । ଏଥିରେ ପରିବର୍ତ୍ତନ କରି ହାଇକୋର୍ଟ ୪୦୦୦ ହଜାର ଟଙ୍କା ପ୍ରତିମାସ ଦେବାକୁ ଆଦେଶ ଦେଇଛନ୍ତି  ।