ସେଇ ଚାରି ଚେହେରା, ବଦଳାଇ ଦେଲେ ଶ୍ରୀଲଙ୍କାର ଦୃଶ୍ୟପଟ, ରାଜପକ୍ଷେ ପରିବାର ଜୀବନ ନେଇ ବୁଲୁଛନ୍ତି ଏ ଦେଶରୁ ସେ ଦେଶ

1 min read

କଲମ୍ବୋ: ଗତ କିଛିଦିନ ହେବ ଶ୍ରୀଲଙ୍କାରେ ଗୃହଯୁଦ୍ଧ ସ୍ଥିତି ଲାଗିରହିଛି । ରାଜନୈତିକ ଅସ୍ଥିରତା ଭିତରେ ସବୁଠୁ ଅଧିକ କ୍ଷମତା ରଖିଥିବା ରାଜପକ୍ଷେ ଦେଶ ଛାଡି ଚାଲିଯାଇଛନ୍ତି । ଜନସାଧାରଣଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ରାଜପକ୍ଷେ ସପରିବାର ଦେଶ ଛାଡି ପଳାଇଛନ୍ତି । ବିକ୍ଷୋଭକାରୀ ରାଷ୍ଟ୍ରପତିଙ୍କ ଘରେ କବଜା କରିବା ପରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଉପରେ କବଜା କରିଛନ୍ତି । ଏପଟେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ବିକ୍ଷୋଭକାରୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ସେନାକୁ ଆଦେଶ ଦେଇଛନ୍ତି । ଗତ ୮ ତାରିଖଠାରୁ ଅନେକ ସ୍ଥାନରେ କର୍ଫ୍ୟୁ ଲଗାଯାଇଛି । ବିରୋଧ ଏତେ ଜୋରଦାର ହେଉଛି ଯେ, ସରକାରର ସବୁ ନେତା ଓ ଅଧିକାରୀ ମାନେ ଭୟରେ ଅଛନ୍ତି । ତେବେ ଏହି ସ୍ଥିତି କାହିଁକି ଉପୁଜିଲା ଓ ଏହା ପଛରେ କିଏ । କିଏ ସେହି ନେତା ଯିଏ ଦେଶର ସବୁଠୁ ଶକ୍ତିଶାଳୀ ପରିବାରକୁ କ୍ଷମତାରୁ ଓପାଡି ଫୋପାଡି ଦେଇଥିଲା । ସମସ୍ତଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚିତ ଉଙ୍କି ମାରୁଥିବ । ତେବେ ଆଜିର ସ୍ଥିତି ପଛରେ ଚାରି ଯୁବ ଚେହେରା ରହିଛନ୍ତି । ସେମାନେ ଗତ ୪-୫ ମାସ ହେବ ଲଗାତାର ବୈଠକ କରୁଥିଲେ । ଋଣନୀତି ପ୍ରସ୍ତୁତ କରୁଥିଲେ ଏବଂ ଫେସବୁକ ଦ୍ୱାରା ପ୍ରତି ଜନସାଧାରଣଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରୁଥିଲେ  ।

ପ୍ରଥମ ଯୁବ ଚେହେରା ହେଉଛନ୍ତି ଚାମିରେ ଦେଡୱାଗେ । ଚାମିରେଙ୍କ ଫେସବୁକରେ ଅନେକ ଭିଡିଓ ଏବଂ ଲୋକଙ୍କୁ ନିବେଦନ କରୁଥିବାର ସନ୍ଦେଶ ଭରିରହିଛି । ତାଙ୍କର ପ୍ରତି ପୋଷ୍ଟକୁ ହଜାର ହଜାର ମାତ୍ରାରେ ସେୟାର କରାଯାଇଥାଏ । ସେ ପେଶାରେ ଜଣେ ମାର୍କେଟିଂମ୍ୟାନ  ଅଟନ୍ତି । ଦେଶର ଏକ ବଡ଼ କମ୍ପାନୀରେ ମ୍ୟାନେଜର ଅଛନ୍ତି । ସେ ନିଜ ଫେସବୁକ୍ ଏବାଉଟରେ ଲେଖିଛନ୍ତି, ପେଶାରେ ମାର୍କେଟିୟର କିନ୍ତୁ ଚଏସରେ ଆକ୍ଟିଭିଷ୍ଟ ଏବଂ ବର୍ତ୍ତମାନ ସ୍ଥିତିରେ ରାଜନୈତିକ ସମୀକ୍ଷକ । ସେ ଆଉ ତାଙ୍କ ସାଥିମାନେ ମାର୍ଚ୍ଚ ମାସରୁ ହିଁ ଋଣନୀତି ପ୍ରସ୍ତୁତ କରିଥିଲେ । ଏପ୍ରିଲରେ ଅଭିଯାନ ଆରମ୍ଭ କରିଥିଲେ । ୯ ଏପ୍ରିଲରେ ପ୍ରାୟ ହଜାର ଜଣ ରାଜପକ୍ଷେଙ୍କ କାର୍ଯ୍ୟାଳୟ ବାହାରେ ପ୍ରଦର୍ଶନ କରିଥିଲେ ।

ଆନ୍ଦୋଳନର ଦ୍ୱିତୀୟ ଚେହେରା ସତ୍ୟା ଚାରିତ ଅମରାତୁଙ୍ଗ । ତାଙ୍କ ଫେସବୁକ ଆକାଉଣ୍ଟରେ ପୋଷ୍ଟ ଭିଡିଓରେ ଦେଖାଯାଇଛି ଯେ ସେ ଲୋକମାନଙ୍କ ନେତୃତ୍ୱ ନେଇ ଆନ୍ଦୋଳନ କରୁଛନ୍ତି ଏବଂ ଗୋ ଗୋଟା ହୋମ ନାରା ଲଗାଉଥିବାର ନଜର ଆସିଛନ୍ତି । ତାଙ୍କ ଆକାଉଣ୍ଟରେ ମଧ୍ୟ ଲୋକଙ୍କୁ ଅପିଲ କରିବା ଏବଂ ଭିଡିଓ ଜରିଆରେ ଆନ୍ଦୋଳନ ପାଇଁ ଜାଗ୍ରତ କରୁଥିବା ପୋଷ୍ଟରେ ଭରିରହିଛି । ସେ କଲମ୍ବୋଠାରୁ ୨୦କିମି ଦୂର ମୋରାତୁଆରେ ରହୁଛନ୍ତି  । ସେ ଜଣେ ଭଲ ସଂଗଠକ ଭାବେ ପରିଚିତ । ତେବେ ପେଶାରେ ସତ୍ୟା ଚାରିତ ମଧ୍ୟ ମାର୍କେଟିଂ ପ୍ରଫେସନାଲ ଅଟନ୍ତି । ଦେଶର ୮୦ ଲକ୍ଷ ଫେସବୁକ୍ ୟୁଜର୍ସଙ୍କୁ ଏହି ଆନ୍ଦୋଳନ ସହ ଯୋଡିବାର କାମ ସତ୍ୟା ଓ ଚାମିରା କରିଥିଲେ । ଏହି ଦୁଇଜଣଙ୍କ ପୋଷ୍ଟ ଦେଶର କୋଣ ଅନୁକୋଣରେ ପହଞ୍ଚିବାରେ ଲାଗିଥିଲା । ଲଗାତାର ସତ୍ୟା ନିଜ ସାଥିମାନଙ୍କ ସହ ମିଶି ଋଣନୀତି ପ୍ରସ୍ତୁତ କରିଥିଲେ । ଫେସବୁକ୍ ଜରିଆରେ ହିଁ କଲମ୍ବୋରେ ଆନ୍ଦୋଳନର ଭୟଙ୍କର ବିଭୀଷିକା ରଚିଥିଲେ। ସତ୍ୟା ଏକ ସାକ୍ଷାତକାରରେ କହିଥିଲେ ଏହି ଆନ୍ଦୋଳନ ଦେଖାଇ ଦେଇଛି କି ବିନା ପଇସା ଖର୍ଚ୍ଚରେ କେବଳ ଫେସବୁକ୍ ମାଧ୍ୟମରେ କିପରି ଏକ ବଡ଼ ଆନ୍ଦୋଳନ ସୃଷ୍ଟି କରାଯାଇପାରେ ।

ଶ୍ରୀଲଙ୍କାରେ ଜନସମୁଦ୍ର ସୃଷ୍ଟିର ଇଏ ହେଉଛନ୍ତି ତୃତୀୟ ଯୁବ ଚେହେରା । ନାଁ ହେଉଛି ରୁବାଁତୀ ଚିକେରା । ସେ ଜଣେ ନାଟ୍ୟକାର ଓ ସମାଜସେବିକା ଅଟନ୍ତି । ତାଙ୍କ କାମ ଥିଲା କିପରି ଭଲିଣ୍ଟିୟରଙ୍କ ଜରିଆରେ ସାରା ଦେଶରେ ଏବଂ ଆଖପାଖ ଅଞ୍ଚଳରେ ଲୋକମାନଙ୍କ ଘର ପର୍ଯ୍ୟନ୍ତ ପହଞ୍ଚି ସେମାନଙ୍କ ସହ ସମ୍ପର୍କ କରିବା । ସେ ଏହି କାମ ସଫଳତାର ସହ ସମ୍ପନ୍ନ କରିଥିଲେ । ଲୋକମାନଙ୍କୁ ଜାଗ୍ରତ କରିବାକୁ ସେ ନିଜର ନାଟ୍ୟକାର କଳାର ଉପଯୋଗ କରିଥିଲେ । ବେସ କିଛି ଦିନ ହେବ ଫେସବୁକରେ ସେ ସକ୍ରିୟ ରହି ଆନ୍ଦୋଳନ ସହ ଲୋକମାନଙ୍କୁ ଯୋଡିବାର କାର୍ଯ୍ୟ ମଧ୍ୟ କରୁଥିଲେ ।

ଅମିଲା ଜୀବନ୍ତ ପେଇରିସ ହେଉଛନ୍ତି ଏହି ଆନ୍ଦୋଳନର ଚତୁର୍ଥ ଚେହେରା । ପେଶାରେ କ୍ୟାଥୋଲିକ ପ୍ରିଷ୍ଟ ଅଟନ୍ତି । କିନ୍ତୁ ଏଥର ସେ ମହାନ ଆନ୍ଦୋଳନରେ ସାମିଲ ହୋଇ ଲୋକମାନଙ୍କୁ ଜାଗ୍ରତ କରିବାର କାମ କରିଥିଲେ । ଏହି ଆନ୍ଦୋଳନ ପାଇଁ ସେ ବିଭିନ୍ନ ଧାର୍ମିକ ସଂଗଠନକୁ ଯୋଡିଥିଲେ । ତାଙ୍କର ଭିଡିଓ ଏବଂ ଲୋକଙ୍କୁ ଆବେଦନ କରୁଥିବାର ଭିଡିଓ ମଧ୍ୟ ଫେସବୁକରେ ବେସ୍ ଭାଇରାଲ୍ ହୋଇଥିଲା । ପ୍ରିଷ୍ଟ ଜୀବନ୍ତ ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କୁ ଆନ୍ଦୋଳନ ପାଇଁ ପ୍ରବର୍ତ୍ତାଇବାର କାମ କରିଥିଲେ  ।

ଏମାନଙ୍କ ପାଇଁ ଆନ୍ଦୋଳନର ତାରିଖ ଥିଲା ୯ । ତିନୋଟି ଆନ୍ଦୋଳନ ୯ ତାରିଖରେ ହିଁ ଆରମ୍ଭ ହୋଇଥିଲା । ଆନ୍ଦୋଳନର ମୁଖ୍ୟ ପୁରୋଧା ଏହି ଚାରିଜଣ ଏପ୍ରିଲ ୯ ରେ ପ୍ରଥମେ ଛୋଟ ବିକ୍ଷୋଭ କରିଥିଲେ । ଏହାପରେ ବିପୁଳ ଜନସମର୍ଥନ ଜୁଟାଇ ୯ଜୁନରେ ବଡ଼ ଧରଣର ପ୍ରଦର୍ଶନ କରିଥିଲେ । ଆନ୍ଦୋଳନ ଏତେ ତୀବ୍ର ଥିଲା ଯେ, ମହିନ୍ଦ୍ରା ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା  । ଆଉ ଏବେ ୯ ଜୁଲାଇରେ ସେମାନଙ୍କ ଆନ୍ଦୋଳନ ଶିଖରରେ ପହଞ୍ଚିଥିଲା  । ରାଜପକ୍ଷେ ପରିବାରରୁ ଆରମ୍ଭ କରି ସବୁ ନେତା ଭୟରେ ରହିଛନ୍ତି । ଏବେବି ଲୋକମାନେ ଭାବୁଛନ୍ତି ଯେ ଏତେ ବଡ଼ ସଂଖ୍ୟାରେ ଲୋକମାନେ ଏକଜୁଟ ହେଲେ କେମିତି । ସେମାନଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିଲା କିଏ  । ତେବେ ଏହି ଚାରି ଜଣ ହେଉଛନ୍ତି ଆନ୍ଦୋଳନର ମୁଖ୍ୟ ପୁରୋଧା ।