ଶ୍ରୀଲଙ୍କା ସଙ୍କଟ ଭିତରେ ନୂଆ ନେତୃତ୍ୱକୁ ନେଇ ଚର୍ଚ୍ଚା, ରାଷ୍ଟ୍ରପତି ରେସରେ ଆଗରେ ସାଜିଥ ପ୍ରେମଦାସା

କଲମ୍ବୋ: ଅର୍ଥନୈତିକ ସଙ୍କଟକୁ ନେଇ ଗୃହଯୁଦ୍ଧ ସ୍ଥିତି । କ’ଣ ହେବ ଶ୍ରୀଲଙ୍କାର ଭବିଷ୍ୟତ ? କିଏ ହେବେ ସଙ୍କଟମୋଚକ ? ବିରୋଧୀ ଦଳ ନେତା ସାଜିଥ ପ୍ରେମଦାସା ସାଜିବେ କି ଶ୍ରୀଲଙ୍କାର ରକ୍ଷାକର୍ତ୍ତା ? ଦୀର୍ଘଦିନ ଧରି ସରକାରଙ୍କ ବିରୋଧରେ କୁହୁଳୁଥିବା ଅସନ୍ତୋଷର ହିଂସ୍ରକ ପରିଣାମ ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି, ସରକାରଙ୍କ ଦୂରଦର୍ଶିତା ଅଭାବରୁ ଧ୍ୱସ୍ତ ହୋଇଛି ଦେଶର ଅର୍ଥନୀତି । ଏହି ଭୟଙ୍କର ସଙ୍କଟ ଏବଂ ବିଶୃଙ୍ଖଳା ଭିତରେ ପରବର୍ତ୍ତୀ ରାଷ୍ଟ୍ରପତି ପାଇଁ ବିରୋଧୀଦଳ ନେତା ସାଜିଥ ପ୍ରେମାଦାସଙ୍କ ନାମ ଚର୍ଚ୍ଚାରେ ରହିଛି ।

ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରଣସିଂହ ପ୍ରେମଦାସଙ୍କ ପୁଅ ହେଉଛନ୍ତି ସାଜିଥ ପ୍ରେମାଦାସା । ରାଜପକ୍ଷ ସରକାରଙ୍କ ଭୂଲ ନୀତି ଓ ଦେଶର ଅତିଧନୀଙ୍କୁ ୬ ଶହ ଆରବ ଟଙ୍କା ଋଣ ଛାଡ଼ କରିବା ଯୋଗୁ ଦେଶର ଜିଡିପି ୧୨ରୁ ୪ ପ୍ରତିଶତକୁ ହ୍ରାସ ପାଇଥିଲା । ଯାହାଫଳରେ ଆଜି ଦେଶ ଭୟଙ୍କର ସଙ୍କଟ ଦେଇ ଗତି କରୁଛି ବୋଲି ସାଜିଥ କହିଛନ୍ତି । ତେବେ ସଙ୍କଟ ସ୍ଥିତିରେ ଶ୍ରୀଲଙ୍କାକୁ ଚୀନ ସହାୟତା କରି ନଥିବା ବେଳେ ଭାରତ ସରକାର ଯଥାସମ୍ଭବ ସହଯୋଗ କରିଛନ୍ତି । ଏଥିପାଇଁ ଭାରତ ସରକାର ଓ ଭାରତୀୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଜିଥ ।