ଅନୁଗୁଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଟ୍ରକ୍ ଧକ୍କାରେ ୩ ମୃତ

1 min read

ଅନୁଗୁଳ: ପୁଣି ଜାତୀୟ ରାଜପଥ ୫୫ ନେଲା ଜୀବନ। ଅନୁଗୁଳ ଜିଲ୍ଲା ପଞ୍ଚମହଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ଚାପାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ୩ ଜଣ ଯୁବକ ଏକ ମୋଟର ସାଇକେଲରେ ଅନୁଗୁଳ ଆଡକୁ ଆସୁଥିବା ବେଳେ ପଞ୍ଚମହଲା ନିକଟରେ ଟ୍ରକ ପଛରୁ ଧକ୍କା ଦେଇଥିଲା। ୩ ଜଣଙ୍କୁ ଟ୍ରକ କିଛି ବାଟ ଘୋଷାଡି ନେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

ମୃତକ ୩ ଜଣ ହେଲେ ଡେରେଜାଙ୍ଗ ଗାଁର ଛୋଟୁ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ ଓ କୃପା ପ୍ରଧାନ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ଜାତୀୟ ରାଜପଥ ଅବରୋଧ କରାଯାଇଛି। ଦୀର୍ଘ ବର୍ଷ ଧରି ୫୫ ନମ୍ବର ଜାତୀୟ ରାଜପଥ କାମ ଚାଲିଥିଲେ ବି ଏପର୍ଯ୍ୟନ୍ତ ସରୁନି। କାମ ସରୁନଥିବାରୁ ମରଣଯନ୍ତା ପାଲଟିଛି NH-55।

ପ୍ରତିଦିନ ଦୁର୍ଘଟଣା ଘଟିବା ସହ ଅନେକ ଲୋକଙ୍କ ମୃତ୍ୟୁ ହେଲାଣି। ତଥାପି କେନ୍ଦ୍ରମନ୍ତ୍ରୀଙ୍କ ଚିନ୍ତା ନାହିଁ। ଆଉ କେତେ ଜୀବନ ଗଲେ କେନ୍ଦ୍ରମନ୍ତ୍ରୀଙ୍କ ନିଦ ଭାଙ୍ଗିବ। ଏବେ ନିର୍ବାଚନ ଥିବାରୁ ଅନେକ ବଡ଼ ବଡ଼ ଭାଷଣ ଦେଉଛନ୍ତି। କିନ୍ତୁ ୫୫ ନମ୍ବର ଜାତୀୟ ରାଜପଥ କାମ ପ୍ରତି କାହିଁକି କେନ୍ଦ୍ରମନ୍ତ୍ରୀ କର୍ଣ୍ଣପାତ କରୁନାହାନ୍ତି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କଟକ ମଙ୍ଗୁଳି ଛକ ଠାରୁ ଢେଙ୍କାନାଳ ଅନୁଗୁଳ ଦେଇ ସମ୍ବଲପୁରକୁ ଯାଇଛି ଏନଏଚ-୫୫ ଜାତୀୟ ରାଜପଥ । ବିଶେଷ କରି କଟକ, ଢେଙ୍କାନାଳ, ଅନୁଗୁଳ ଓ ସମ୍ବଲପୁରର ଲାଇଫ ଲାଇନ୍ ଏହି ରାସ୍ତା । ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଦୁଇ ବର୍ଷ ଭିତରେ ଶେଷ ହେବା କଥା। ହେଲେ ପୂରିବାକୁ ଯାଉଛି ୭ ବର୍ଷ । ଏନଏଚଆଇ କର୍ତ୍ତୃପକ୍ଷଙ୍କ ପ୍ରତିଶୃତି ଅନୁଯାୟୀ ରାସ୍ତା କାମ ମାର୍ଚ୍ଚ ୩୦ରେ ସରିବା କଥା ହେଲେ ଆଜି ପର୍ଯ୍ଯନ୍ତ କାର୍ଯ୍ଯ ସରିପାରିନାହିଁ । ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି ସଡ଼କ ସୁରକ୍ଷା କମିଟିକୁ ଖାତିର କରୁନାହାଁନ୍ତି ଏନଏଚ କର୍ତ୍ତୃପକ୍ଷ। ଆଞ୍ଚଳିକ ପରିବହନ ବିଭାଗର ସୂଚନା ଅନୁଯାୟୀ ୨୦୨୩ ମସିହାରେ ୪୦୫ଟି ଦୁର୍ଘଟଣା ଘଟିଥିବା ବେଳେ ୧୮୫ ଜଣଙ୍କର ଜୀବନ ଯାଇଛି । ୪୦୩ ଜଣ ଆହତ ହୋଇଛନ୍ତି। ସେହିପରି ଜାତୀୟ ରାଜପଥରେ ୨୦୨୪ ମାର୍ଚ୍ଚ ଭିତରେ ୧୫ଟି ଦୁର୍ଘଟଣାରେ ୨୨ ଜଣଙ୍କର ଜୀବନ ଗଲାଣି।