ଟିକା ପାଇଁ ଗରିବ ଲୋକ ଟଙ୍କା କେଉଁଠୁ ଆଣିବେ ?

ନୂଆଦିଲ୍ଲୀ: କରୋନାର କରାଳ ରୂପ ଭିତରେ ସୁପ୍ରିମକୋର୍ଟଙ୍କ କେନ୍ଦ୍ରକୁ ଯକ୍ଷ ପ୍ରଶ୍ନ । ଟିକାର ଭିନ୍ନ ଦାମ୍ ନେଇ କେନ୍ଦ୍ର ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମାନ୍ୟବର କୋର୍ଟ । ଭିନ୍ନ ଭିନ୍ନ ଦାମ୍ ନେଇ ସ୍ପଷ୍ଟୀକରଣ ମାଗିବା ସହ ଟିକା ବିତରଣର ମେକାନିଜମ୍ ନେଇ ପ୍ରଶ୍ନ କରିଛନ୍ତି । ଟିକା ନେଇ ଗରିବ ଲୋକ ଟଙ୍କା କେଉଁଠୁ ଆଣିବେ ବୋଲି ପ୍ରଶ୍ନ କରିଛନ୍ତି ।

ଆତଙ୍କର ନାଁ କରୋନା । ପ୍ରତିଦିନ କରୋନାକୁ ନେଇ ଏଭଳି ଚିତ ସାମ୍ନାକୁ ଆସୁଛି ଯାହା ଦେଶର ଅନ୍ତରଆତ୍ମାକୁ ଦୋହଲାଇ ଦେଉଛି । ଅମ୍ଲଜାନ ପାଇଁ ଡହଳ ବିକଳ ହେଉଛନ୍ତି ସଂକ୍ରମିତ । ହସ୍ପିଟାଲରେ ଅମ୍ଲଜାନ ନାହିଁ । ରୋଗୀଙ୍କ ପାଇଁ ଔଷଧ ନାହିଁ । କିନ୍ତୁ ଜୋରଦାର ଚାଲିଛି ରାଜନୈତିକ ଟଣା ଓଟରା । ରାଜ୍ୟ କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି  । କେନ୍ଦ୍ର ରାଜ୍ୟଙ୍କୁ ସଂକଟ ପାଇଁ ଦାୟୀ କରୁଛି ।

କେନ୍ଦ୍ର କହୁଛି ଅମ୍ଲଜାନ ଅଛି । ଯେଉଁଠି ନାହିଁ ସେଠିକି ଯୋଗାଇ ଦେଉଛୁ । ଟିକାକରଣ ପାଇଁ ଜୋରଦାର କାମ ଚାଲିଛି । କିନ୍ତୁ ଲାଗୁଛି କେନ୍ଦ୍ର ସରକାରଙ୍କ କଥାକୁ ବିଶ୍ୱାସ କରୁ ନାହାନ୍ତି ସୁପ୍ରିମକୋର୍ଟ । ମାନ୍ୟବର କୋର୍ଟ ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କୁ କାଠଗଡ଼ାରେ ଛିଡା କରିଛନ୍ତି । ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ କେନ୍ଦ୍ରକୁ ଏମିତି କିଛି ପ୍ରଶ୍ନ ପଚାରିଛନ୍ତି  ଯାହା ନିଶ୍ଚୟ କେନ୍ଦ୍ରକୁ ଅସୁବିଧାରେ ପକାଇବ ।

କେନ୍ଦ୍ରକୁ ସୁପ୍ରିମକୋର୍ଟ ପଚାରିଥିବା ପ୍ରଶ୍ନ

ପ୍ରଶ୍ନ୧:  ଜରୁରୀ ଔଷଧର ବିତରଣ ଓ ଉତ୍ପାଦନ କାହିଁକି ସୁନିଶ୍ଚିତ ହୋଇ ପାରୁନାହିଁ ?  କେନ୍ଦ୍ର ସରକାରଙ୍କ ଉତ୍ତର ଥିଲା ମାସକୁ ୧ କୋଟି ୩ ଲକ୍ଷ ରେମେଡିସିଭର ଉତ୍ପାଦନ କ୍ଷମତା ରହିଛି । କିନ୍ତୁ କେନ୍ଦ୍ର ଡିମାଣ୍ଡ୍ ଓ ସପ୍ଲାଏ ବାବଦରେ ନିରବ ରହିଛି ।

ପ୍ରଶ୍ନ୨: ୧୮ରୁ ୪୫ ବର୍ଷ ବୟସ୍କଙ୍କୁ ଟିକା ଦେବାକୁ କେନ୍ଦ୍ର ପାଖରେ କିଛି ଯୋଜନା ରହିଛି କି ? କେନ୍ଦ୍ର ପାଖରେ ଏମିତି କିଛି ଫଣ୍ଡ୍ ଅଛି କି ଯାହା ଦ୍ୱାରା ଟିକାର ଦାମ ସମାନ ରହିବ ?

କେବଳ ଏତିକି ନୁହେଁ, ସୁପ୍ରିମକୋର୍ଟ ଏହା ମଧ୍ୟ ଜାଣିବାକୁ ଚାହିଁଥିଲେ ଯେ, ସିରମ ଓ ଭାରତ ବାୟୋଟେକକୁ କେନ୍ଦ୍ର ସରକାର କେତେ ଫଣ୍ଡ୍ ଦେଇଛନ୍ତି ।

ପ୍ରଶ୍ନ୩ : ଟିକାର ମୂଲ୍ୟକୁ ନେଇ ସୁପ୍ରିମକୋର୍ଟ ବିଶେଷ ଚିନ୍ତାବ୍ୟକ୍ତ କରିଛନ୍ତି । ଟିକାର ଆକାଶଛୁଆଁ ମୂଲ୍ୟ ପାଇଁ ଏହା ଗରିବଙ୍କ ପାଇଁ ଦୁର୍ଲଭ ହୋଇଯିବ ବୋଲି ଅଦାଲତ ଆଶଙ୍କା କରିଛନ୍ତି । ଅଦାଲତ କହିଥିଲେ ଯେ, ଟିକାର ମୂଲ୍ୟନିର୍ଧାରଣ ଅସାଧରଣ ରୂପେ ଗମ୍ଭୀର ପ୍ରସଙ୍ଗ । କେନ୍ଦ୍ର ଦ୍ୱାରା ପ୍ରଦତ୍ତ ଟିକାର ୫୦ ପ୍ରତିଶତ ୪୫ ବର୍ଷରୁ ଅଧିକ ବୟସ୍କ ଓ ଫ୍ରଣ୍ଟଲାଇନ୍ ଯୋଦ୍ଧାଙ୍କ ପାଇଁ ବ୍ୟବହାର ହେବ ବୋଲି କୁହାଯାଉଛି । ବାକି ୫୦ ପ୍ରତିଶତ ଟିକା ରାଜ୍ୟ ନେବେ । ୫୯ କୋଟି ୬୦ ଲକ୍ଷ ଭାରତୀୟଙ୍କ ବୟସ ୪୫ରୁ କମ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ । ଏମାନେ ଟିକା ପାଇଁ ଟଙ୍କା କେଉଁଠାରୁ ଆଣିବେ ?

ସୁପ୍ରିମକୋର୍ଟ କେବଳ ଏତିକିରେ ଅଟକିନଥିଲେ । ଦେଶର ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆମେ ଚିନ୍ତିତ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଆମେ ଜାଣିଛୁ ଏହା ଆପଣଙ୍କୁ ଉତ୍ତରାଧିକାର ସୂତ୍ରରେ ମିଳିଛି କିନ୍ତୁ ଆମେ ଦେଶର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ।

Leave a Reply