କଣ ହେବ ମଧ୍ଯପ୍ରାଚ୍ଯ ସ୍ଥିତି?

1 min read

ନନ୍ଦିଘୋଷ ବ୍ୟୁରୋ: କଣ ହେବ ମଧ୍ଯପ୍ରାଚ୍ଯ ସ୍ଥିତି? ସଙ୍କଟର ପରିସମାପ୍ତି ନା ଆଗକୁ ଚାଲିବ ବଡ଼ ଧରଣର ଯୁଦ୍ଧ। ଏହାକୁ ନେଇ ଜାରି ରହିଛି ସସପେନ୍ସ। ଇରାନ ଉପରେ ଯଦି ଇସ୍ରାଏଲ ଆକ୍ରମଣ କରେ ତେବେ ଏଥିରେ ଆମେରିକା ଭାଗ ନେବ ନାହିଁ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁଙ୍କୁ କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ବାଇଡେନଙ୍କ ଏହି ସୂଚନା ପରେ ସମ୍ଭବତଃ ଇସ୍ରାଏଲ ନରମି ଥିବା କୁହାଯାଉଛି। ଇରାନ ଆକ୍ରମଣ ପରେ ଇସ୍ରାଏଲ କେଉଁ ପଦକ୍ଷେପ ଗ୍ରହଣ କରିବ ତାହାକୁ ନେଇ ସସପେନ୍ସ ଜାରିରହିଛି। ସେପଟେ ଇରାନର ତେହରାନ ସମେତ ଅନେକ ସହରରେ ବହୁ ବିମାନ ବନ୍ଦର ବନ୍ଦ ରହିଛି। ଇସ୍ରାଏଲ-ଇରାନ ମଧ୍ଯରେ ବିବାଦ ପରେ ଦିଲ୍ଲୀରୁ ତେଲଆବିବକୁ ବିମାନ ଚଳାଚଳ ସାମୟିକ ବନ୍ଦ କରିଛି ଏୟାର ଇଣଅଡିଆ। ଦିଲ୍ଲୀ ଓ ତେଲଆବିବ ମଧ୍ଯରେ ସପ୍ତାହରେ ୪ ଥର ବିମାନ ଚଳାଚଳ ହୋଇଥାଏ।

ସ୍ଥିତିରେ ସାମାନ୍ଯ ଉନ୍ନତି ଆସିବା ପରେ ଇସ୍ରାଏଲର ଆକାଶ ମାର୍ଗକୁ ଉନ୍ମୁକ୍ତ କରାଯାଇଛି। ଇସ୍ରାଏଲ ଉପରେ ଇରାନର ଏକପାଖିଆ ଆକ୍ରମଣକୁ ନେଇ ହଲଚଲ ବିଶ୍ବ। ଇରାନର ଆକ୍ରମଣକୁ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଓ ଅନ୍ଯାନ୍ଯ ଶକ୍ତି ନିନ୍ଦା କରିବା ପରେ ଥମିଛି ଇରାନ। ସେପଟେ ଇରାନ ବୈଦେଶିକ ମନ୍ତ୍ରୀ ଅମିରାବଦୋଲାହିନା କହିଛନ୍ତି- ଇସ୍ରାଏଲ ଉପରେ ଆକ୍ରମଣ ଲାଗି କିଛି ଦିନ ପୂର୍ବରୁ ଇରାନ ପକ୍ଷରୁ ଆମେରିକାକୁ ସୂଚନା ଦିଆଯାଇଥିଲା। ଏହି ଆକ୍ରମଣ ସୀମିତ ଓ ଆତ୍ମରକ୍ଷା ଉଦ୍ଦେଶ୍ୟରେ କରାଯିବ ବୋଲି କୁହାଯାଇଥିଲା। ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ପ୍ରତି ଇରାନ ସଚେତନ ରହିଛି ବୋଲି ସେ କହିଛନ୍ତି। ଏପରିକି ଜାତିସଂଘର ଧାରା ୫୧ ଅନୁସାରେ ଆଇନଗତ ପ୍ରତିରକ୍ଷା ସକାଶେ ଏହି ସାମରିକ ଆକ୍ରମଣ କରାଯାଇଛି ବୋଲି ଜାତିସଂଘରେ ବି ଇରାନ ପକ୍ଷରୁ କୁହାଯାଇଛି।

ଡାମାସ୍କସସ୍ଥିତ ଦୂତାବାସ ଉପରେ ଇସ୍ରାଏଲର ଆକ୍ରମଣର ଜବାବ ଲାଗି ଏହା ଉଦ୍ଦିଷ୍ଟ ଥିଲା ବୋଲି କହିଛି ଇରାନ। ପୂର୍ବ ସୂଚନା ଅନୁସାରେ ଇସ୍ରାଏଲ ଉପରେ ଇରାନ ୨୦୦ରୁ ଅଧିକ ଡ୍ରୋନ ଓ ମିସାଇଲ ହମଲା କରିଥିଲେ ବି ସେଥିରୁ ୯୯ ପ୍ରତିଶତକୁ ଧ୍ବଂସ କରିଦେଇଥିଲା ଇସ୍ରାଏଲ।ଆମେରିକା ସହଯୋଗରେ ପ୍ରତିଷ୍ଠିତ ଆରୋ ଏରିଆଲ ଡିଫେନସ ସିଷ୍ଟମ ସାରା ଇସ୍ରାଏଲକୁ ଦେଇଥିଲା ସୁରକ୍ଷା।   ଇରାନର ଇସଲାମିକ ରିଭଲ୍ଯୁସନାରୀ ଗାର୍ଡ ପକ୍ଷରୁ ଏହି  ହମଲା କରାଯାଇଥିଲା। ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଲୋଚନା କରିଛନ୍ତି।