ଏମ୍‌ପି ଆସନ ସଂଖ୍ୟା ହ୍ରାସକୁ ନେଇ କେନ୍ଦ୍ର ଉପରେ ଉତକ୍ଷିପ୍ତ ହେଲେ ମାଡ୍ରାସ ହାଇକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ରକୁ ମହଙ୍ଗା ପଡିପାରେ ବିଭିନ୍ନ ରାଜ୍ୟରେ ଏମ୍‌ପି ଆସନ ସଂଖ୍ୟା ହ୍ରାସ। ଦୁଇଟି ଏମ୍‌ପି ଆସନ ସଂଖ୍ୟା ହ୍ରାସ କରାଯାଇଥିବାରୁ ତାମିଲନାଡୁକୁ କ୍ଷତିପୂରଣ ବାବଦରେ ୫.୬୦୦ କୋଟି ଟଙ୍କା ମିଳିବା ଉଚିତ ବୋଲି କହିଛନ୍ତି ମାଡ୍ରାସ ହାଇକୋର୍ଟ। ପ୍ରଥମରୁ ରହିଆସିଥିବା ୪୧ଟି ଆସନକୁ ହ୍ରାସ କରି ୩୯ଟି ଆସନ କରାଯିବା ଘଟଣାରେ ଉତକ୍ଷିପ୍ତ ହୋଇଛନ୍ତି ଅଦାଲତ। ଜାତୀୟ ପରିବାର ନିୟୋଜନ କାର୍ଯ୍ୟକ୍ରମରେ ରାଜ୍ୟରେ ଜନସଂଖ୍ୟା ହ୍ରାସ କରାଯାଇପାରିଥିବାରୁ ସେତେବେଳେ ତତକାଳୀନ କେନ୍ଦ୍ର ସରକାର ଏମପି ଆସନ ସଂଖ୍ୟା ହ୍ରାସ କରିଥିଲେ।

ରାଜ୍ୟରେ ଜନସଂଖ୍ୟା ହ୍ରାସ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ପ୍ରଶଂସା ଦିଆଯିବା କଥା। ମାତ୍ର ଏହାର ଅର୍ଥନୁହେଁ ସାଂସଦ ଆସନ ସଂଖ୍ୟା ହ୍ରାସ କରିବା। ଜଷ୍ଟିସ ଏନ. କିରୁବାକାରନ ଓ ଜଷ୍ଟିସ ବି. ପୁଗାଲେନ୍ଧିଙ୍କୁ ନଇ ଗଠିତ ଖଣ୍ଡପୀଠ କହିଛନ୍ତି ୧୯୬୨ ଯାଏଁ ରାଜ୍ୟରେ ୪୧ଟି ଲୋକସଭା ଆସନ ଥିଲା। ମାତ୍ର ୧୯୬୭ରେ ଏହି ସଂଖ୍ୟା ୩୯କୁ ହ୍ରାସ କରାଯାଇଥିଲା।ରାଜ୍ୟରେ ଜନସଂଖ୍ୟା ହ୍ରାସ ପାଇବା ପରେ ଏହି ପଦକ୍ଷେପ ନିଆଯାଇଥିଲା।

ସିଟ ସଂଖ୍ୟା ହ୍ରାସ କରି ରାଜ୍ୟର ସ୍ୱାର୍ଥକୁ ବଳି ପକାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। କେବଳ ତାମିଲନାଡୁ ନୁହେଁ, ଆନ୍ଧ୍ରପ୍ରଦେଶ ଓ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ୨ଟି ଲେଖାଏଁ ଏମପି ସିଟ୍ ହ୍ରାସ କରାଯାଇଥିଲା। କୋର୍ଟ କହିଛନ୍ତି ବର୍ତ୍ତମାନ ଦେଶର ଜନସଂଖ୍ୟା ୧୩୮ କୋଟିରୁ ଅଧିକ ହେଲାଣି। ୨୦୫୦ ସୁଦ୍ଧା ଭାରତ ବିା୍‌ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ହେବ।

ଜାତୀୟ ସ୍ତରରେ ଦେଖିବାକୁ ଗଲେ ଜଣେ ସାଂସଦ ୫ ବର୍ଷରେ ଯେଉଁ ଅବଦାନ କରିଥାନ୍ତି ତାହାର ପରିମାଣ ୨୦୦ କୋଟି ଟଙ୍କା ହେବ। ତେଣୁ ତାମିଲନାଡୁରେ ଗୋଟିଏ ନିର୍ବାଚନ ଲାଗି ଏହି କ୍ଷତି ବାବଦରେ ୪୦୦ କୋଟି ଟଙ୍କା ମିଳିବା ଉଚିତ। ବର୍ତ୍ତମାନ ସୁଦ୍ଧା ତାମିଲନାଡୁରେ ୧୪ଟି ନିର୍ବାଚନ ହେଲାଣି। ତେଣୁ ସମସ୍ତ ନିର୍ବାଚନ ବାବଦରେ ରାଜ୍ୟକୁ ମୋଟ କ୍ଷତିପୂରଣ ପରିମାଣ ୫ ହଜାର ୬୦୦ କୋଟି ଟଙ୍କା ଦିଆଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ୧୯୯୯ରେ ଗୋଟିଏ ଭୋଟ ଲାଗି ଅଟଳ ବିହାରୀ ବାଜପାୟୀ ସରକାରର ପତନ ଉଦାହରଣ ଦେଇ କୋର୍ଟ କହିଛନ୍ତି ଯଦି ଗୋଟିଏ ଭୋଟରେ ଗୋଟିଏ ସରକାରର ପତନ ହୋଇପାରୁଛି ତେବେ ଦୁଇଟି ଏମପି ଆସନ ହ୍ରାସ କରାଯାଇପାରିବ କିପରି।

Leave a Reply