ଓମିକ୍ରନର ସବୁ ମ୍ୟୁଟେସନ୍ ଉପରେ ପ୍ରଭାବୀ ଏହି ଔଷଧ

1 min read

ବ୍ରିଟେନ: ସାରା ବିଶ୍ୱରେ ଚିନ୍ତାର କାରଣ ପାଲଟିଥିବା କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବଡ଼ ବୟାନ ଦେଇଛନ୍ତି ବ୍ରିଟିଶ ବୈଜ୍ଞାନିକ । ସେମାନେ କହିଛନ୍ତି ଯେ, ତାଙ୍କ ନିକଟରେ ଥିବା ସୋଟ୍ରୋବିମାବ୍ (Sotrovimab) ଔଷଧ ଓମିକ୍ରନର ସବୁ ପ୍ରକାର ମ୍ୟୁଟାଣ୍ଟ ବିରୋଧରେ ପ୍ରଭାବୀ । ଏହି ଔଷଧ ଓମିକ୍ରନ ଭାରିଆଣ୍ଟ ବିରୋଧରେ ଫଳପ୍ରଦ ପ୍ରମାଣିତ ହୋଇଛି । ଏହି ଔଷଧକୁ ଗ୍ଳେସ୍କୋସ୍ମିଥକ୍ଳାଇନ୍ (ଜିଏସ୍‌କେ) କମ୍ପାନୀ ତାହାର  ୟୁଏସ୍ ପାର୍ଟନର ବୀର ବାୟୋଟେକ୍ନୋଲୋଜି ସହ ମିଶିକରି ବିକଶିତ କରିଛନ୍ତି । ଏହାକୁ ଓମିକ୍ରନ ଭାରିଆଣ୍ଟ ବିରୋଧରେ ପ୍ରଭାବୀ ବୋଲି କୁହାଯାଉଛି ।

କମ୍ପାନୀ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଓମିକ୍ରନ ଭାରିଆଣ୍ଟର ଯେଉଁ ୩୭ ମ୍ୟୁଟାଣ୍ଟ ବିରୋଧରେ ସୋଟ୍ରୋବିମାବ୍ (Sotrovimab) ବେଶ୍ ପ୍ରଭାବୀ । ଗତ ସପ୍ତାହରେ ପ୍ରି କ୍ଳିନିକାଲ ଟେଷ୍ଟ ରିପୋର୍ଟ ପରେ କମ୍ପାନୀ ପକ୍ଷରୁ ଏହି ବୟାନ ଜାରିକରାଯାଇଛି । କମ୍ପାନୀ ଜୋର ଦେଇ କହିଛି ଯେ, ଏହି ଔଷଧ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଥିବା ସମସ୍ତ ଭାରିଆଣ୍ଟ ବିରୋଧରେ ବେଶ୍ ପ୍ରଭାବୀ ।

ସୂଚନା ଯୋଗ୍ୟ ଯେ, ଦେଶରେ ମଧ୍ୟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କର୍ଣ୍ଣାଟକ, ଗୁଜରାଟ, ମୁମ୍ବାଇ ପରେ ଦିଲ୍ଲୀ ଓ ଜୟପୁରରୁ ଡେଇଁଛି କରୋନାର ନୂଆ ଭାଇରସ ଓମିକ୍ରନ । ରାଜସ୍ଥାନର ଜୟପୁରରୁ ୯ ଜଣ ଓ ମହାରାଷ୍ଟ୍ରରୁ ୭ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ୨୧ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି ।

ଅନ୍ୟପକ୍ଷରେ ଓମିକ୍ରନ ଦେଶରେ ତୃତୀୟ ଲହର ଆଣିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବିଶେଷଜ୍ଞ । କାନପୁର ଆଇଆଇଟି ପ୍ରଫେସର ବୈଜ୍ଞାନିକ ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି, ୨୦୨୨ ଜାନୁଆରୀ କିମ୍ବା ପେବ୍ରୁଆରୀରେ ଦେଶରେ ଆସିପାରେ ତୃତୀୟ ଲହର । ତେବେ ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହର କମ୍ ମାରାତ୍ମକ ହେବ । ବର୍ତ୍ତମାନ ଓମିକ୍ରନ୍ ଭାରିଆଣ୍ଟ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ପରେ ସାରା ବିଶ୍ୱରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ଅନେକ ଦେଶରେ ଓମିକ୍ରନ୍ ମାମଲା ଆସିବା ପରେ ଭାରତରେ ପହଞ୍ଚିବା ଆରମ୍ଭ କରିଛି । ସଂକ୍ରମଣ ବଢିବାରେ ଲାଗିଛି କିନ୍ତୁ ଅଧିକ ମୃତ୍ୟୁ ହୋଇନି । ନୂଆ ଅଧ୍ୟୟନରୁ ତୃତୀୟ ଲହର ଆସିବା ଆଶଙ୍କା ରହିଛି ବୋଲି ପ୍ରଫେସର ଅଗ୍ରଓ୍ୱାଲ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ୨୧ ଛୁଇଁଲା ଭାରତରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା

Leave a Reply