୧ ପ୍ରତିଶତ ସର୍ବୋଚ୍ଚ ଧନୀଙ୍କ ନିକଟରେ ଦେଶର ୪୦ ପ୍ରତିଶତ ସମ୍ପତ୍ତି

1 min read

ନୂଆଦିଲ୍ଲୀ : ଭାରତର ୧ ପ୍ରତିଶତ ସର୍ବୋଚ୍ଚ ଧନୀଙ୍କ ନିକଟରେ ରହିଛି ଦେଶର ମୋଟ ସମ୍ପତ୍ତିର ୪୦ପ୍ରତିଶତ । ମୋଟ ଜନସଂଖ୍ୟାର ୫୦ପ୍ରତିଶତଙ୍କ ନିକଟରେ ରହିଛି ମୋଟ ସମ୍ପତ୍ତିର ମାତ୍ର ୩ ପ୍ରତିଶତ । ବିଶ୍ବ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକରେ ଏହି ଚିନ୍ତାଜନକ ତଥ୍ୟ ଦେଇଛି ଅକ୍ସଫାମ ଇଣ୍ଟରନ୍ୟାସନାଲ । ଯଦି ଭାରତର ସର୍ବୋଚ୍ଚ ୧୦ଧନୀଙ୍କ ଉପରେ ୫ ପ୍ରତିଶତ କର ଲାଗୁ କରାଯାଏ ତେବେ ସେହି ଅର୍ଥରେ ସ୍କୁଲ ଛାଡିଥିବା ସମସ୍ତ ପିଲାଙ୍କୁ ସ୍କୁଲକୁ ଅଣାଯାଇ ପଢାଯାଇପାରିବ ବୋଲି ରିପୋର୍ଟରେ କୁହାଯାଇଛି ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଯଦି ଭାରତର ଆରବପତି ମାନଙ୍କ ସମସ୍ତ ସମ୍ପତ୍ତି ଉପରେ ୨ପ୍ରତିଶତ କର ଲାଗୁ କରାଯାଏ ତେବେ ଆଦାୟ ହେବ ୪୦ ହଜାର ୪୨୩କୋଟି ଟଙ୍କା । ସେହି ଅର୍ଥରେ ଦେଶରେ ଆସନ୍ତା ୩ ବର୍ଷ ଲାଗି ପୁଷ୍ଟିହୀନତାରେ ସଢୁଥିବା ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦିଆଯାଇପାରିବ । ଦେଶର ୧୦ଜଣ ସର୍ବୋଚ୍ଚ ଧନୀଙ୍କ ଉପରେ ଯଦି ଏକକାଳୀନ ୫ ପ୍ରତିଶତ କର ଲାଗୁ କରାଯାଏ ତେବେ ଆଦାୟ ହେବ ୧ ଲକ୍ଷ ୩୭ ହଜାର କୋଟି ଟଙ୍କା । ଏହି ପରିମାଣ ହେବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଓ ଆୟୁଷ ମନ୍ତ୍ରାଳୟର ବାର୍ଷିକ ବ୍ୟୟ ଅଟକଳ ପରିମାଣର ଦେଢ ଗୁଣ ।

ଭାରତରେ ଲିଙ୍ଗଗତ ବୈଷମ୍ୟକୁ ପର୍ଯ୍ୟାଲୋଚନା କରି ରିପୋର୍ଟରେ କୁହାଯାଇଛି- ଦେଶରେ ମହିଳା ଶ୍ରମିକମାନେ ପୁରୁଷ ଶ୍ରମିକଙ୍କ ତୁଳନାରେ ପ୍ରତି ୧ ଟଙ୍କାରେ ୬୩ ପଇସା ପାଇଥାନ୍ତି । ସାମାଜିକ ଅଗ୍ରସର ବର୍ଗର ଶ୍ରମିକ ତୁଳନାରେ ତଫସିଲଭୁକ୍ତ ଜାତିର ଶ୍ରମିକମାନେ ୫୫ ପ୍ରତିଶତ ଆୟ କରୁଥିବାବେଳେ ଗ୍ରାମୀଣ ଶ୍ରମିକ ଆୟ କରିଥାନ୍ତି ୫୦ ପ୍ରତିଶତ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ- କୋଭିଡ କାଳରେ ଭାରତର ଆରବପତିମାନଙ୍କ ସମ୍ପତ୍ତି ୧୨୧ପ୍ରତିଶତ ଅର୍ଥାତ ଦୈନିକ ୩ହଜାର ୬୦୮ କୋଟି ଲେଖାଏଁ ଟଙ୍କା ବଢିଛି । ୨୦୨୧-୨୨ରେ ମୋଟ ଜିଏସଟି ଆଦାୟ ପରିମାଣ ହୋଇଥିଲା ୧୪ ଲକ୍ଷ ୮୩ହଜାର କୋଟି ଟଙ୍କା ।

ତେବେ ଆଶ୍ଚର୍ଯ୍ୟର ବିଷୟ ଏହା ଯେ, ଏହି ପରିମାଣର ୫୦ ପ୍ରତିଶତ ଅର୍ଥ ଆଦାୟ ହୋଇଥିଲା ସମାଜର ନିମ୍ନ ଭାଗରେ ଥିବା ୫୦ ପ୍ରତିଶତ ଲୋକଙ୍କଠାରୁ । ଦେଶର ସର୍ବୋଚ୍ଚ ୧୦ପ୍ରତିଶତ ଲୋକଙ୍କଠାରୁ ଆଦାୟ ହୋଇଥିଲା ମାତ୍ର ୩ପ୍ରତିଶତ ଜିଏସଟି । ଅକ୍ସଫାମ ବି କହିଛି ଯେ, ୨୦୨୦ରେ ଦେଶରେ ମୋଟ ଆରବପତିଙ୍କ ସଂଖ୍ୟା ୧୦୨ ଥିବାବେଳେ ୨୦୨୨ରେ ସେମାନଙ୍କ ସଂଖ୍ୟା ୧୬୬ ହୋଇଛି ।