ଏବେ ରାହୁଲ, ସେବେ ଇନ୍ଦିରା ଓ ସୋନିଆ ହରାଇ ସାରିଛନ୍ତି ସଂସଦର ସଦସ୍ୟତା

1 min read

ନୂଆଦିଲ୍ଲୀ: କେରଳର ୱାୟନାଡ ଲୋକସଭା ଆସନରୁ ସାଂସଦ ଥିବା ରାହୁଲ ଗାନ୍ଧିଙ୍କୁ ଆଜି ଏକ ବଡ଼ ଝଟକା ଲାଗିଛି । ତାଙ୍କର ଲୋକସଭା ସଦସ୍ୟତାକୁ ରଦ୍ଦ କରିଦିଆଯାଇଛି । ଗତକାଲି ମୋଦି ସରନେମ ମାମଲାରେ ସୁରଟର ଶେଷନ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଅବଶ୍ୟ ତାଙ୍କୁ ଜାମିନ ମିଳିଯାଇଥିଲା । ହେଲେ ଆଜି ତାଙ୍କର ସଦସ୍ୟତା ରଦ୍ଦ ହେବା ପରେ ରାଜନୈତିକ ମହଲ ସରଗରମ ରହିଛି । ସବୁଠି ଏହି ନିଷ୍ପତ୍ତିକୁ ବିରୋଧ କରାଯାଉଛି । ତେବେ ରାହୁଲଙ୍କୁ ଯଦି ଉପର କୋର୍ଟରୁ ଆଶ୍ୱସ୍ତି ନମିଳେ ତେବେ ସେ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ିବା ଉପରେ ରୋକ୍ ଲାଗିଯିବ ।

ତେବେ ରାହୁଲଙ୍କ ସଦସ୍ୟତା ରଦ୍ଦ ହେବା ଗାନ୍ଧି ପରିବାରର ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମାଆ ସୋନିଆ ଗାନ୍ଧି ଏବଂ ଜେଜେ ମା’ ଇନ୍ଦିରା ଗାନ୍ଧି ମଧ୍ୟ ଲୋକସଭା ସଦସ୍ଯତା ହରାଇଥିଲେ । ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ମଧ୍ୟ ରାହୁଲ ଗାନ୍ଧିଙ୍କ ପକ୍ଷରେ କୌଣସି ମାହୋଲ ଦେଖାଯାଉନି ସତ ହେଲେ ଏପରି ଏକ ସମୟ ଥିଲା ଯେବେ ଜେଜେ ମାଆ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ତାଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା । ଘଟଣା ଇମରଜେନ୍ସି ସହ ସମ୍ବନ୍ଧିତ । ଇମରଜେନ୍ସିର ଖରାପ ସମୟ ପରେ ଯେବେ ନିର୍ବାଚନ ହୋଇଥିଲା ତେବେ ଇନ୍ଦିରା ଗାନ୍ଧିଙ୍କୁ ବୃହତ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।

ଏହାପରେ ୧୯୭୭-୭୮ ସମୟ ବହୁତ ନାଟକୀୟ ରହିଥିଲା । ୧୯୭୮ରେ ଇନ୍ଦିରା ଗାନ୍ଧି କର୍ଣ୍ଣାଟକର ଚିକମଙ୍ଗଲୁରରୁ ଉପନିର୍ବାଚନ ଜିତି ଲୋକସଭା ପହଞ୍ଚିଯାଇଥିଲେ । ଲୋକସଭାରେ ପହଞ୍ଚିବା କ୍ଷଣି ତାଙ୍କ ବିରୋଧରେ ନିଜ କାର୍ଯ୍ୟକାଳ ସମୟରେ ସରକାରୀ ଅଧିକାରୀଙ୍କ ଅପମାନ କରିବା ଏବଂ ପଦର ଦୁରୁପଯୋଗ କରିବା ମାମଲାରେ ନିଜେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ପ୍ରସ୍ତାବ ଆଗତ କରିଥିଲେ । ପ୍ରସ୍ତାବ ପାରିତ ମଧ୍ୟ ହୋଇଯାଇଥିଲା । ୭ଦିନର ଲମ୍ବା ତର୍କ ପରେ ଇନ୍ଦିରାଙ୍କ ବିରୋଧରେ ବିଶେଷାଧିକାର କମିଟି ଗଠନ ହୋଇଥିଲା । ଏହି କମିଟିକୁ ଇନ୍ଦିରାଙ୍କ ବିରୋଧରେ ପଦର ଦୁରୁପଯୋଗ ମାମଲା ସମେତ ଅନେକ ଅଭିଯୋଗର ତଦନ୍ତ କରି ଏକ ମାସ ଭିତରେ ରିପୋର୍ଟ ଦେବାକୁ ଥିଲା ।

ତଦନ୍ତ ପରେ କମିଟି ଏହି ନିଷ୍କର୍ଷରେ ପହଞ୍ଚିଥିଲା ଯେ ତାଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗ ସବୁ ସତ, ସେ ଅଧିକାରର ଉଲ୍ଲଂଘନ କରିଛନ୍ତି ଏବଂ ସଂସଦର ଅପମାନ କରିଛନ୍ତି । ଏବଂ ଏଥିପାଇଁ ତାଙ୍କୁ ସଂସଦରୁ ନିଷ୍କାସିତ କରାଯାଇଛି ଏବଂ ଗିରଫ କରି ତିହାର ଜେଲକୁ ପଠାଯାଉଛି । କିନ୍ତୁ ଜନତା ଦଳ ସରକାରରେ କନ୍ଦଳ ପାଇଁ ୩ ବର୍ଷରେ ହିଁ ସରକାର ଭାଙ୍ଗିଯାଇଥିଲା । ଏହାପରେ ଇନ୍ଦିରା ଗାନ୍ଧି ୧୯୮୦ରେ ବିପୁଳ ସମର୍ଥନରେ ପୁଣିଥରେ ନର୍ବାଚନ ଜିତି ପ୍ରଧାନମନ୍ତ୍ରୀ ହୋଇଯାଇଥିଲେ । ଏବେ ଆସିବା ୨୦୦୬ ମସିହାକୁ ।

ଯେବେ ସଂସଦରେ ଲାଭର ପଦ ମାମଲା ଜୋର ସୋରରେ ଉଠିଥିଲା । ଦେଶରେ ୟୁପିଏର ଶାସନ ଥିଲା ଏବଂ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏହି ଆରୋପରେ ଫସିଥିଲେ । ସୂଚନାନୁଯାୟୀ ସୋନିଆ ଗାନ୍ଧି ରାୟବରେଲିରୁ ସାଂସଦ ଥିଲେ । ଏଥିସହ ସେ ୟୁପିଏ ସରକାର ସମୟରେ ଗଠିତ ରାଷ୍ଟ୍ରୀୟ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ମଧ୍ୟ ଥିଲେ, ଯାହାକୁ ଲାଭର ପଦ ବୋଲି ବିରୋଧୀ ଦର୍ଶାିଥିଲେ । ଏହି କାରଣରୁ ସୋନିଆ ଗାନ୍ଧିଙ୍କୁ ଲୋକସଭା ସଦସ୍ୟତାରୁ ଇସ୍ତଫା ଦେବାକୁ ପଡ଼ିଥିଲା ।

ଏହାପରେ ସେ ରାଏବରେଲିରୁ ପୁଣିଥରେ ନିର୍ବାଚନ ଲଢ଼ିଥିଲେ । ଅବଶ୍ୟ ଇନ୍ଦିରା ଗାନ୍ଧି ହୁଅନ୍ତୁ ବା ସୋନିଆ ଗାନ୍ଧି ଯେଉଁ ବି ରାଜନୈତିକ ଋଣନୀତିର ଶିକାର ହୋଇଥିଲେ ଏହାପରେ ସେ ପୁଣିଥରେ ଦୃଢତାର ସହ ପ୍ରତ୍ୟାବର୍ତ୍ତନ କରିଥିଲେ । ଗାନ୍ଧି ପରିବାରର ତୃତୀୟ ସଦସ୍ୟ ହେଉଛନ୍ତି ରାହୁଲ ଗାନ୍ଧି, ଯାହାଙ୍କର ସଦସ୍ୟତା ଯାଇଛି । ଏହା ପୂର୍ବରୁ ସେ ଲୋକସଭା ନିର୍ବାଚନରେ ଆମେଠି ଆସନ ହରାଇଥିଲେ । ଏବେ ୱାୟନାଡ ମଧ୍ୟ ହାତରୁ ଚାଲିଯାଇଛି । ଏବେ ଦେଖିବାକୁ ବାକି ରହିଲା ରାହୁଲ ଏହି ସ୍ଥିତିରୁ ବାହାରି ଆଗକୁ ବଢ଼ୁଛନ୍ତି କି ଚାପରେ ଚେପା ହୋଇଯାଉଛନ୍ତି ।