କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆକୁ ଏନକାଉଣ୍ଟର, ହସ୍ପିଟାଲରେ ଭର୍ତ୍ତି

1 min read

କାମାକ୍ଷାନଗର: ନିର୍ବାଚନ ପୂର୍ବରୁ ଢେଙ୍କାନାଳ ପୋଲିସର ବଡ ଆକ୍ସନ। କାମାକ୍ଷାନଗରର କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆକୁ ଏନକାଉଣ୍ଟର। ଏନକାଉଣ୍ଟରରେ ଗୁରୁତର ସୁବାସକୁ କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ।

ସୂଚନା ଅନୁଯାୟୀ, ସୁବାସର ଗୋଡରେ ବାଜିଛି ଗୁଳି। ଏହି କୁଖ୍ୟାତ ଅପରାଧୀ ନାଁରେ ରହିଛି ୧୮ଟି ମାମଲା। ଦୁଇଟି ହତ୍ୟା ଓ ଡକାୟତି ସହ ଦାଦାବଟି ଭଳି ରହିଛି ସଙ୍ଗୀନ ଅଭିଯୋଗ। ଏହାସହ ସୁବାସ ଠାରୁ ବନ୍ଧୁକ ଜବତ କରିଛି ପୋଲିସ।

ତେବେ ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚି ଯାଞ୍ଚ କରୁଛି। ଏକ ବଡ ଧରଣର ଅପରାଧ ଘଟାଇବା ପାଇଁ କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗର ସଦସ୍ୟମାନେ ଯୋଜନା କରୁଥିଲେ। ନିର୍ବାଚନ ସମୟରେ କିଛି ଅଘଟଣ ଘଟାଇଥାନ୍ତେ। ମାସକୁ ୩୦ ଲକ୍ଷରୁ ଅଧିକ ବଟି ଆଦାୟ କରୁଥିଲେ ଏହି ଗ୍ୟାଙ୍ଗ। ବାଲିଘାଟଠାରୁ ଆରମ୍ଭ କରି ବଡ ବ୍ୟବସାୟ ଓ ଠିକାଦାରଙ୍କୁ ଟାର୍ଗେଟ କରୁଥିଲେ ଏହି ଗ୍ୟାଙ୍ଗ। ଦୀର୍ଘ ଦିନ ଧରି କାମାକ୍ଷାନଗର ଅଞ୍ଚଳରେ ଆତଙ୍କରାଜ ଚଳାଉଥିବା ସୁବାସ ଖୁଣ୍ଟିଆ ଏନକାଉଣ୍ଟର ପରେ କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଛତ୍ରଭଙ୍ଗ ଦେଇଛନ୍ତି।

ଦାଦାବଟି, ରାହାଜାନି, ଲୁଟ, ହତ୍ୟା ଭଳି ସଙ୍ଗୀନ ଅପରାଧ ଘଟାଉଥିବା ସୁବାସ ଖୁଣ୍ଟିଆ ଓ ତାଙ୍କ ଗ୍ରୁପ ଆଗାମୀ ନିର୍ବାଚନରେ ଅପ୍ରୀତିକିର ପରିସ୍ଥିତି ସୃଷ୍ଟି କରିବା ପାଇଁ ଖୁଣ୍ଟାପଶି-ଗୁଣ୍ଡିଚାନାଳୀ ଜଙ୍ଗଲ ଭିତରେ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ପୋଲିସ ଚଢ଼ାଉ କରିଥିଲା। ପୋଲିସକୁ ଦେଖି କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗର ସଦସ୍ୟ ମାନେ ବୋମା ପକାଇବା ସହ ପୋଲିସ ଉପରକୁ ଗୁଳିଚାଳନା କରୁଥିବା ବେଳେ ପାଲଟା ଆକ୍ରମଣରେ ପୋଲିସ ଏନକାଉଣ୍ଟର କରିଥିଲା। ଫଳରେ ସୁବାସ ଖୁଣ୍ଟିଆର ଡାହାଣ ଗୋଡରେ ଗୁଳି ବାଜିବା ସହ ଅନ୍ୟ ତିନି ଅପରାଧୀ ଫେରାର ହୋଇ ଯାଇଥିଲେ। ଘଟଣାସ୍ଥଳରୁ ଖଣ୍ଡା, ଦେଶୀ ବନ୍ଧୁକ, ଗୁଳି ଇତ୍ୟାଦି ଜବତ କରିଛି ପୋଲିସ।