ରେଲଓ୍ବେ ପୋଲିସ ଷ୍ଟେସନରେ ଭିତ୍ତିଭୂମିର ଅଭାବ ନେଇ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ମାନସ ମଙ୍ଗରାଜ

ନୂଆଦିଲ୍ଲୀ: ରାଜ୍ୟର ବିଭିନ୍ନ ରେଲଓ୍ବେ ପୋଲିସ ଷ୍ଟେସନରେ ଭିତ୍ତିଭୂମିର ଅଭାବ ନେଇ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ମାନସ ମଙ୍ଗରାଜ । ରେଳ ପୋଲିସ ଷ୍ଟେସନର ଭିତ୍ତିଭୂମି ଅଭାବ ନେଇ ରେଳ ମନ୍ତ୍ରାଳୟ ଅବଗତ ଅଛି ନା ନାହିଁ ବୋଲି ମନ୍ତ୍ରାଳୟକୁ ପ୍ରଶ୍ନ କରିଛନ୍ତି । ଏଥିସହ ଭିତ୍ତିଭୂମିର ସମାଧାନ ପାଇଁ କେନ୍ଦ୍ର ସରକାର କଣ ପଦକ୍ଷେପ ନେଇଛନ୍ତି ବୋଲି ମାନସ ମଙ୍ଗରାଜ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତର ଦେଇଛନ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଓଡ଼ିଶାରେ ରେଲଓ୍ବେ ପୋଲିସ ଷ୍ଟେସନର ଭିତ୍ତିଭୂମି ନିର୍ମାଣ ଚାଲିଛି । ଭିତ୍ତିଭୂମିର ନିର୍ମାଣ ପାଇଁ ଆବଣ୍ଟନ ହୋଇଥିବା ଅର୍ଥରାଶୀ ମଧ୍ୟରେ କାମ କରାଯାଉଛି । ଆଗକୁ ଆବଶ୍ୟକ ପଡ଼ିଲେ ନିର୍ମାଣ କରାଯିବ ବୋଲି କହିଛନ୍ତି ଅଶ୍ବିନୀ ବୈଷ୍ଣବ ।

ସେହିପରି ସମ୍ବଲପୁରୀ ବୁଣାକାରଙ୍କ ପାଇଁ ହ୍ୟାଣ୍ଡଲୁମ କ୍ଲଷ୍ଟର ଯୋଜନା କେତେବାଟ ଗଲା ବୋଲି ରାଜ୍ୟ ପକ୍ଷରୁ ଜାଣିବାକୁ ଚାହିଁଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ୨୦୧୫ରୁ ୨୦୨୩ ଫେବ୍ରୁଆରୀ ମଧ୍ୟରେ କେନ୍ଦ୍ର ସରକାର ୧୯.୦୧ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ୩୪ଟି କ୍ଲଷ୍ଟର ମାଧ୍ୟମରେ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି ସଂସଦରେ ଉତ୍ତର ରଖିଛନ୍ତି କେନ୍ଦ୍ର ଟେକ୍ସଟାଇଲ ମନ୍ତ୍ରୀ ପୀୟୂଷ ଗୋଏଲ । ଏଥିରେ ତନ୍ତ ଓ ଆନୁଷଙ୍ଗିକ ସାମଗ୍ରୀ ସୌର ଶକ୍ତି ୟୁନିଟ, କର୍ମଶାଳା, ଡିଜାଇନ ଏବଂ ଉତ୍ପାଦର ମାର୍କେଟିଂ କରିବାକୁ ଗୁରୁତ୍ବ ଦିଆଯାଇଛି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରିଛନ୍ତି ।