ସଦସ୍ୟତା ରଦ୍ଦ ପରେ ମୁଁହ ଖୋଲିଲେ ରାହୁଲ; ଦେଶର ସ୍ୱର ପାଇଁ ଲଢ଼େଇ କରୁଛି, ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ଶୁକ୍ରବାର ଅପରାହ୍ନରେ ରଦ୍ଦ କରି ଦିଆଯାଇଛି । ସେ କେରଳର ୱାୟନାଡରୁ ଲୋକସଭା ସାଂସଦ ଥିଲେ । ଲୋକସଭା ସଚିବାଳୟ ପତ୍ର ଜାରି କରି ଏନେଇ ସୂଚନା ଦେଇଛି । ରାହୁଲ ୨୦୧୯ରେ କର୍ଣ୍ଣାଟକର ଏକ ସଭାରେ ମୋଦି ସରନେମକୁ ନେଇ ବୟାନ ଦେଇଥିଲେ । ସେ କହିଥିଲେ ଯେ ସବୁ ଚୋରଙ୍କ ସରନେମ ମୋଦି କାହିଁକି ହୋଇଥାଏ? ଏହି ମାନହାନି ମାମଲାରେ କୋର୍ଟ ଗୁରୁବାର ମଧ୍ଯାହ୍ନରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଅବଶ୍ୟ, କିଛି ସମୟ ପରେ ତାଙ୍କୁ ଜାମିନ ମିଳିଯାଇଥିଲା । ତେବେ ଏହି ନିଷ୍ପତ୍ତିର ପ୍ରାୟ ତିନି ଘଣ୍ଟା ପରେ ମୁଁହ ଖୋଲିଛନ୍ତି ରାହୁଲ ଗାନ୍ଧି ।

ରାହୁଲ ଗାନ୍ଧି ଟ୍ୱିଟ କରି କହିଛନ୍ତି, ମୁଁ ଭାରତର ସ୍ୱର ପାଇଁ ଲଢ଼ୁଛି, ମୁଁ ଏଥିପାଇଁ ଯେ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛି । ଅନ୍ୟପକ୍ଷରେ ସମସ୍ତ ବିରୋଧୀ ଦଳ ନେତାମାନେ କେନ୍ଦ୍ର ସରକାରଙ୍କ ଏପରି କାର୍ଯ୍ୟକୁ ଭର୍ତ୍ସନା କରିଛନ୍ତି । ସୂଚନାଥାଉକି, ସୁପ୍ରିମକୋର୍ଟ ୧୧ ଜୁଲାଇ ୨୦୧୩ରେ ନିଜର ଏକ ରାୟରେ କହିଥିଲେ ଯେ କୌଣସି ବି ସାଂସଦ ବା ବିଧାୟକ ତଳ ଅଦାଲତରେ ଦୋଷୀ ସାବ୍ୟସ୍ତ ହେବାର ତାରିଖଠାରୁ ସଂସଦ ବା ବିଧାନସଭାର ସଦସ୍ୟତା ପାଇଁ ଅଯୋଗ୍ୟ ଘୋଷିତ ହୋଇଯିବେ । କୋର୍ଟ ଲିଲି ଥୋମାସ ବନାମ ଭାରତ ସରକାରଙ୍କ ମାମଲାରେ ଏହି ଆଦେଶ ଦେଇଥିଲେ । ଏହା ପୂର୍ବରୁ କୋର୍ଟଙ୍କ ଶେଷ ରାୟ ଆସିବା ପୂର୍ବରୁ ବିଧାୟକ ବା ସାଂସଦଙ୍କ ସଦସ୍ୟତା ରଦ୍ଦ ନକରିବା ନେଇ ନିୟମ ଥିଲା ।