ଟିକେଟ ପାଇଁ ଅପରାଜିତା ମୋତେ ୨କୋଟି ଟଙ୍କା ମାଗିଥିଲେ : କାଳୁ ଖଣ୍ଡାୟତରାୟ

ଖୋର୍ଦ୍ଧା: ୨କୋଟି ଟଙ୍କା ଦେଲିନି ବୋଲି ଟିକେଟ କାଟିଦେଲେ ଅପରାଜିତା ଷଡ଼ଙ୍ଗୀ । ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ବିଜେପି ଆଶାୟୀ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟ । ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି ଖୋର୍ଦ୍ଧାରୁ ପ୍ରାର୍ଥୀ କରିବା ପରେ ଆହୁରି ତେଜିଛି କାଳୁ କନ୍ଦଳ । ମଳିପଡ଼ାଠାରେ ହଜାର ହଜାର ସମର୍ଥକଙ୍କୁ ନେଇ ଖୋର୍ଦ୍ଧା ମାଟିର ସ୍ବାଭିମାନ ସମାବେଶ ନାଁରେ ଶକ୍ତି ପ୍ରଦର୍ଶନ କରି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ବର୍ଷିଛନ୍ତି କାଳୁ । କାଳୁ କହିଛନ୍ତି ଅପରାଜିତା ଷଡଙ୍ଗୀ ମିଥ୍ୟାବାଦିନୀ ଓ ଲାଞ୍ଚୁଆ ନେତ୍ରୀ । ଜିଲ୍ଲାପାଳ ଥିବାବେଳେ ୧୦ ହଜାର ଟଙ୍କା ବି ଲାଞ୍ଚ ନେଉଥିଲେ । ଖୋର୍ଦ୍ଧାର ଟିକେଟ ପ୍ରସଙ୍ଗରେ ରାଜ୍ଯ ସଭାପତି ଓ ଅନ୍ଯ ବରିଷ୍ଠ ନେତା ସମର୍ଥନ କରିଥିବାବେଳେ ଟିକେଟ ପାଇଁ ଅପରାଜିତା ୨କୋଟି ଟଙ୍କା ମାଗିଥିଲେ । ହେଲେ ଟଙ୍କା ନଦେବାରୁ ଟିକେଟ କାଟି ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିକ୍ରି କରିଦେଲେ । ଏ ସ୍ୱାଭିମାନର ମାଟି ପାଇଁ ଅପରାଜିତା ଷଡଙ୍ଗୀ ବେଇମାନ। ଅପରାଜିତା ଏଥର ଭୋଟ ପାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି କାଳୁ । ଏହାସହିତ ଆଗାମୀ ଦିନରେ କଡ଼ା ଜବାବ ଦିଆଯିବ ବୋଲି ଶୁଣାଇଦେଇଛନ୍ତି । କାଳୁ କହିଛନ୍ତି ଅପରାଜିତା ଷଡଙ୍ଗୀ ବିହାର ଯିବା ନିଶ୍ଚିତ । ଆଗକୁ ଲୋକଙ୍କ ପରାମର୍ଶରେ ଲଢିବି ବୋଲି କାଳୁ କହିଛନ୍ତି । କାଳୁଙ୍କ ସମର୍ଥକମାନେ ବି ଅପରାଜିତାଙ୍କ ଉପରେ ବର୍ଷିଛନ୍ତି । ୨୦୧୯ରେ କାଳୁଙ୍କ ପାଇଁ ହିଁ ଅପରାଜିତା ନିର୍ବାଚନ ଜିତିଥିଲେ । କାଳୁ ନିଜେ ୭୪ହଜାରରୁ ଅଧିକ ଭୋଟ ପାଇଥିବାବେଳେ ଅପରାଜିତାଙ୍କୁ ପ୍ରାୟ ୯୦ ହଜାର ଭୋଟ ଦେଇଥିଲେ । ହେଲେ ଜିତିବା ପରେ ଖୋର୍ଦ୍ଧା ପାଇଁ କାଣିଚିଏ କାମ କରିନାହାନ୍ତି ଅପରାଜିତା । ସ୍ବାଭିମାନର ମାଟି ପ୍ରତି ଅପରାଜିତା ବେଇମାନି କରିଛନ୍ତି ।