ମୁଦ୍ରକ ଏବଂ ପ୍ରକାଶକଙ୍କ ପରିଚୟ ବିନା ରାଜନୈତିକ ବିଜ୍ଞାପନ ଲଗାଇବା ମନା

1 min read

ନୂଆଦିଲ୍ଲୀ : ଦେଶର ମୁଖ୍ୟ ନିର୍ବାଚନ କମିଶନର ଆଜି ଏକ ବିଜ୍ଞପ୍ତି ଜାରି କରିଛନ୍ତି । ସାଧାରଣ ନିର୍ବାଚନରେ ସ୍ୱଚ୍ଛତା ଆଣିବା ପାଇଁ  ସମସ୍ତ ରାଜ୍ୟର ରାଜନୈତିକ ଦଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନରେ ବ୍ୟବହାର ହେବାକୁ ଥିବା ପୋଷ୍ଟର, ବ୍ୟାନର, ଲିଫଲେଟ ଏବଂ ଅନ୍ୟାନ୍ୟ ସାମଗ୍ରୀରେ  ସବିଶେଷ ତଥ୍ୟ ପ୍ରଦାନ କରିବାକୁ କମିଶନ କହିଛନ୍ତି । କମିଶନ ପୋଷ୍ଟର, ପ୍ରଚାରପତ୍ରରେ ମୁଦ୍ରକ ଏବଂ ପ୍ରକାଶକଙ୍କ ପରିଚୟକୁ ସାର୍ବଜନୀନ କରିବାକୁ କହିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ନେଇ ଗଠିତ କମିଟି ନିର୍ବାଚନ କମିଶନର ଗଣେଶ କୁମାର ଏବଂ ଡ. ସୁଖବୀର ସିଂ ସାନ୍ଧୁ ପ୍ରତିନିଧିତ୍ୱରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଜ୍ଞପ୍ତିରେ କୁହାଯାଇଛି ଯେ,  ମୁଦ୍ରକ ଏବଂ ପ୍ରକାଶକଙ୍କ ପରିଚୟ ବିନା କୌଣସି ହୋର୍ଡିଂ ଲଗାଯାଇ ପାରିବ ନାହିଁ । ଲୋକ ପ୍ରତିନିଧୀ ଅଧିନିୟମର ଧାରା 127A, 1951 ଅନୁସାରେ, ମୁଦ୍ରକ ଓ ପ୍ରକାଶକଙ୍କ ପରିଚୟ ବିନା କୌଣସି ନିର୍ବାଚନୀ ପାମ୍ପଲେଟ୍, ପୋଷ୍ଟର, ପ୍ଲାକାର୍ଡ ବ୍ୟବହରା ବେଆଇନ ଅଟେ ।  ମୁଦ୍ରକ ଓ ପ୍ରକାଶକଙ୍କ ନାମ ଏବଂ ଠିକଣା ନଥିବା  ବ୍ୟାନର ଏବଂ ପୋଷ୍ଟର ଲଗାଯାଇପାରିବନାହିଁ । ପୋଷ୍ଟର ଓ ହୋର୍ଡିଂରେ ମୁଦ୍ରକ ଏବଂ ପ୍ରକାଶକଙ୍କ ପରିଚୟ ପ୍ରକାଶ କରିବାର ଆବଶ୍ୟକତା ରହିଛି ।

ଯାହାର ମୂଳ ଲକ୍ଷ୍ୟ ହେଉ ନିର୍ବାଚନୀ ପ୍ରଚାରରେ ଆର୍ଥିକ ସ୍ୱଛତା ଆଣିବା ଏବଂ ଉତ୍ତରଦାୟିତ୍ୱ ନିର୍ଦ୍ଧାରିତ କରିବା । ସହରାଞ୍ଚଳରେ ରାଜନୈତିକ ଦଳଙ୍କ ହୋର୍ଡିଂ ଲଗାଇବା ବେଳେ ନାମ,ଠିକଣା ପ୍ରକାଶ କରିବା ପାଇଁ ହୋର୍ଡିଂ ପାଇଁ ଲାଇସେନ୍ସ ପାଇଥିବା  ସ୍ୱିକୃତିପ୍ରାପ୍ତ ବିଜ୍ଞାପନ ସଂସ୍ଥା ଉତ୍ତରଦାୟୀ ରହିବେ । ସେହିଭଳି, ଖବରକାଗଜରେ ରାଜନୈତିକ ବିଜ୍ଞାପନ ପ୍ରକାଶ କରିବା ସମୟରେ ସମ୍ପାଦକ ମାନେ ସତର୍କ ରହିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।  ରାଜନୈତିକ ଦଳ ନିଜର ପ୍ରଚାର ପାଇଁ ବିଜ୍ଞାପନ ପ୍ରକାଶିତ କରିପାରିବେ କିନ୍ତୁ  କୌଣସି  ଦଳ କିମ୍ବା ପ୍ରାର୍ଥୀଙ୍କ ବିରୁଦ୍ଧରେ ବିଜ୍ଞାପନର ପ୍ରଚାର ଓ ପ୍ରସାର କରିବା ନିଷେଧ । କ୍ଷମତାରେ ଥିବା ଦଳ ସରକାରୀ ଖର୍ଚ୍ଚରେ  କୌଣସି ରାଜନୈତିକ ବିଜ୍ଞାପନ ପ୍ରକାଶିତ କରିବା ନିଷେଧ । ସମସ୍ତ ରାଜନୈତିକ ବିଜ୍ଞାପନ ଉପଯୁକ୍ତ ସାର୍ଟିଫିକେଟ୍ ଓ କର୍ତ୍ତୁପକ୍ଷଙ୍କ  ଅନୁମୋଦନ ପରେ ହିଁ ପ୍ରଦର୍ଶିତ ହୋଇ ପାରିବ ।