ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ବଜ୍ରପାତ ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ବଜ୍ରପାତ ସମ୍ଭାବନା। ଘଡଘଡି ବିଜୁଳି ସହ ଝଡ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ୧୯ ଏବଂ ୨୦ ତାରିଖରେ ପଡିବ ବଡ ପ୍ରଭାବ। ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ୧୯ ତାରିଖରେ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, କଳହାଣ୍ଡି, ବଲାଙ୍ଗିର, ରାୟଗଡା ଏବଂ ନବରଙ୍ଗପୁର କୁ ସତର୍କତା ଜାରି କରାଯାଇଛି। ଏହି ସ ବୁ ଜିଲ୍ଲାରେ ୭୦ ରୁ ୧୧ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବା ସହ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ବହିବ ପବନ। ଏହାସହ କିଛି ସ୍ଥାନରେ କୁଆପଥର ବର୍ଷା ନେଇ ସତର୍କତା ଜାରି କରାଯାଇଛି। ସେହିଭଳି ୨୦ ତାରିଖରେ ୪ଟି ଜିଲ୍ଲା କଟକ, ଖୋର୍ଦ୍ଧା, ନୟାଗଡ ଏବଂ କନ୍ଧମାଳକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ତ୍ତମାନ ଉପକୂଳ ଓଡ଼ିଶା ବଙ୍ଗୋପସାଗରରେ ଏକ ଗୁରୁଚାପବଳୟ ସକ୍ରିୟ ରହିଥିବା ବେଳେ ପଶ୍ଚିମା ଝଡର ପ୍ରଭାବ ରହିଛି। ଏହି ନିୟାମକ ଅନୁସାରେ ରାଜ୍ୟରେ ପାଗ ବଦଳିବା ସହ କାଳବୈଶାଖୀ ଜନିତ ବର୍ଷା ଲାଗିରହିଛି। ୨୧ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ। ବର୍ଷା ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ବର୍ଷା ହେଲେ ବି କିଛି ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ପର୍ଯ୍ୟନ୍ତ ରହିବା ସହ ଗରମ ଗୁଳୁଗୁଳି ଅନୁଭୁତ ହେବାର ସମ୍ଭାବନା ରହିଛି।

ଦିନକୁ ଦିନ ରାଜ୍ୟରେ ଭୟଙ୍କର ହେଉଛି ବଜ୍ରପାତ। ବିଶେଷ କରି ଖରାଦିନେ ଅତ୍ୟଧିକ ମାତ୍ରାରେ ପ୍ରଚଣ୍ଡ ଘଡଘଡି ସହ ବିଜୁଳି ଦେଖିବାକୁ ମିଳୁଛି। ଏହି ବିଜୁଳିରେ ଦୈନିକ କେଉଁଠି ନା କେଉଁଠି ଜୀବନ ଚାଲିଯାଉଛି। ଯାହାକୁ ନେଇ ଏବେ ଚିନ୍ତା ବଢିଛି। ଆଗକୁ ରାଜ୍ୟରେ ପ୍ରବଳ ବଜ୍ରପାତ ସମ୍ଭାବନା ଥିବାରୁ ତା ପୂର୍ବରୁ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଅଧିକାଂଶ ସମୟରେ ବଜ୍ରପାତରେ ଇଲେକ୍ଟ୍ରି ପୋଲରେ ନିଆଁ ଲାଗୁଛି ତ କିଛି ଘଟଣାରେ ଜଳିଯାଉଛି ଗଛ । ଆଉ କେଉଁଠି ବିଜୁଳିରେ ମଣିଷ ପୋଡିଯିବାର ବି ନଜର ରହିଛି। ସାଧାରଣ ବିଜୁଳି ବି ଅତି ଭୟଙ୍କର। ଥରେ ବିଜୁଳି ମାରିଲେ ସେଥିରୁ ୧୦ କୋଟିରୁ ୧୦୦ କୋଟି ଭୋଲ୍ଟର ବିଦ୍ୟୁତ୍ ଉତ୍ପନ୍ନ ହୁଏ। ଗୋଟିଏ ଥର ବିଜୁଳି ମାରିଲେ ଏହାର ତାପମାତ୍ରା ୨ହଜାର ଡିଗ୍ରୀ ସେଲସିୟସ୍ ସହ ସମାନ ହୋଇଥାଏ। ଏହି ତାପମାତ୍ରା ଧାତୁକୁ ତରଳାଇବା ସହ ବାଲିକୁ ବି କାଚରେ ପରିଣତ କରିପାରେ। ବିଜୁଳି ପ୍ରଭାବରେ ସୃଷ୍ଟି ହେଉଥିବା ଏହି ଉଚ୍ଚ ତାପମାତ୍ରାରେ ମଣିଷ ସମେତ ଡେଙ୍ଗା ନଡ଼ିଆ ଏବଂ ତାଳ ଗଛ ଜଳୁଥିବାର ଦେଖା ଯାଇଥାଏ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି। ଓଡ଼ିଶାରେ ଗ୍ରୀଷ୍ମ ଋତୁରେ ଅଧିକାଂଶ ସମୟ ବଜ୍ରପାତ ବା ବିଜୁଳି ମାରିଥାଏ। ସ୍ଥଳଭାଗରେ ଅତ୍ୟଧିକ ତାତି, ଗୁରୁଚାପବଳୟ, ଟ୍ରପ୍ଲାଇନ୍ ଏବଂ ପଶ୍ଚିମା ଝଡର ପ୍ରଭାବରେ ବେଶିମାତ୍ରାରେ ବଜ୍ରପାତ ଅନୁଭୁତ ହୁଏ। ଏହି ବଜ୍ରପାତ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବାଲେଶ୍ବର, ଭଦ୍ରକ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ପୁରୀ, ଖୋର୍ଦ୍ଧୋ ଆଦି ଜିଲ୍ଲାରେ ଅଧିକ ହୁଏ। ବଜ୍ରପାତ ବିଜୁଳି ଆମ ପାଇଁ ଅତ୍ୟନ୍ତ ବିପଦଜନକ ଏବଂ ବିପର୍ଯ୍ୟୟ ସୃଷ୍ଟି କରେ | ତେଣୁ ବିଜୁଳି ଘଡଘଡି ସମୟରେ ନିଜକୁ ନିରାପଦ ସ୍ଥାନରେ ସୁରକ୍ଷିତ କରିବା ଅତ୍ୟନ୍ତ ଜରୁରୀ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର।